ନୂଆଦିଲ୍ଲୀ, ୪/୧୧ : ଗୋଟିଏ ପରେ ଗୋଟିଏ ବାତ୍ୟା । ଅର୍ଣ୍ଣାବ ପରେ ମୁରାସୁ ଆସିଲା । ମୁରାସୁ ଯିବା ପରେ ବଙ୍ଗୋପସାଗରରେ ପୁଣି କିଛି ହେଲା ଭଳି ସଙ୍କେତ ମିଳିଲାଣି। ଆନ୍ତର୍ଜାତିକ ପାଣିପାଗ ମଡେଲ୍ ଜିଏଫଏସର ପ୍ରାକ୍ ଆକଳନ ଅନୁସାରେ ୧୬-୧୭ ତାରିଖବେଳକୁ ଆଉ ଲଘୁଚାପ ଭାରତ ଉପକୂଳ ପାଖକୁ ଆସିପାରେ। ସମ୍ଭବତଃ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ଘଷି ହୋଇ ବାଂଲାଦେଶ ଆଡ଼କୁ ଯାଇପାରେ। ମାତ୍ର ଏହା କେବଳ ପ୍ରାକ୍ ଆକଳନ। ଏଥିରେ ଅନେକ କିଛି ପରିବର୍ତ୍ତନ ବି ଘଟିପାରେ। ଯଦି ଏହି ସିଷ୍ଟମ ଓଡ଼ିଶା ଉପକୂଳ ପାଖକୁ ଆସେ, ତେବେ ରାଜ୍ୟରେ ପୁଣି ବଡ଼ ବର୍ଷା ସମ୍ଭାବନା ରହିଛି।

ଆନ୍ତର୍ଜାତିକ ପାଣିପାଗ ପୂର୍ବାନୁମାନ ସଂସ୍ଥା ଆକ୍ୟୁୱେଦରର ବରିଷ୍ଠ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ ବଙ୍ଗୋପସାଗରରେ ନିକଟରେ ଆସିଥିବା ବାତ୍ୟାକୁ ନେଇ କେତେକ ସୂଚନା ଜାରି କରିଛନ୍ତି। ତେବେ ଆସନ୍ତା ୧୨ରୁ ୧୬ ତାରିଖ ଭିତରେ ବଙ୍ଗୋପସାଗରରେ କିଛି ସିଷ୍ଟମ ସୃଷ୍ଟି ହେବା ନେଇ ସେ ସଙ୍କେତ ଦେଖା ଦେଖାଇଛନ୍ତି । ଆଉ କେତେକ ମଡେଲ୍ ଏବେ କିଛି ସ୍ପଷ୍ଟ ସୂଚନା ଦେଇନାହାନ୍ତି। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ବର୍ତ୍ତମାନ ଏ ବାବଦରେ କୌଣସି ସୂଚନା ଦେଇନାହିଁ। ତେଣୁ ଏହାକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ ।

Also Read :-Horoscope Today : ନଭେମ୍ବର ୪ ତାରିଖ, ବୁଧବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ଇତିମଧ୍ୟରେ ବାତ୍ୟା ମୁରାସୁ ସୋମବାର ବିଳମ୍ବିତ ରାତିରେ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ କରିଛି। ଏଯାବତ୍ ଓଡ଼ିଶାରେ ଏହାର ଏହାର ବଡ଼ ଧରଣର ପ୍ରଭାବ ପରିଲକ୍ଷିତ ହୋଇନାହିଁ। କେତେକ ଜିଲ୍ଲାରେ ପାଗ ଆଂଶିକ ମେଘୁଆ ଥିବାବେଳେ କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି। ଦିନ ଭିତରେ କାଁ ଭାଁ ବର୍ଷା ହୋଇଛି। ଆଜି ବିଳମ୍ବିତ ରାତି ଭିତରେ ମୁରାସୁ ଗଭୀର ଅବପାତ ହେବା ସହ ଏହାର ବଳ କ୍ରମଶଃ କମିବ। ବୁଧବାର ସକାଳ ଭିତରେ କୋରାପୁଟ, ମାଲକାନଗିରିର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ପବନ ବେଗ ୪୦- ୫୦ କିମି ରହିପାରେ । ଝଟକା ପବନ ୬୦ କିମି ପର୍ଯ୍ୟନ୍ତ ଯାଇପାରେ।

ଏହାବାଦ୍ ଉପକୂଳ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ସହ ୩୦-୪୦ ପବନ ରହିପାରେ। ୪ ତାରିଖରେ ଅଳ୍ପ କିଛି ଜାଗାରେ ବର୍ଷା ସମ୍ଭାବନା ଥିବାବେଳେ ଦକ୍ଷିଣ ଓ ଉପକୂଳ ଅଞ୍ଚଳରେ ବଜ୍ରପାତ ସହ ୩୦-୪୦ କିମି ପବନ ହୋଇପାରେ। ୫ ଓ ୬ ତାରିଖରେ ଅଳ୍ପ କିଛି ସ୍ଥାନରେ ହାଲୁକାରୁ ମଧ୍ଯମ ବର୍ଷା ହୋଇପାରେ। ବଡ଼ ବର୍ଷା ନେଇ କୌଣସି ସୂଚନା ନାହିଁ । ୭ରୁ ପାଗ ଶୁଖିଲା ରହିବ। ଦୀପାବଳିକୁ ପାଗ ଭଲ ରହିପାରେ।