ନୂଆଦିଲ୍ଲୀ: ସୀମା ପୁନଃନିର୍ଦ୍ଧାରଣକୁ ନେଇ ଦେଶର ରାଜନୀତି ସରଗରମ ରହିଛି । ଏହାରି ଭିତରେ ଦୁନିଆର ସର୍ବବୃହତ ଗଣତନ୍ତ୍ରରେ ଜଣେ ସାଂସଦଙ୍କ ଉପରେ କେତେ ଲୋକଙ୍କ ଦାୟିତ୍ୱ ରହିଛି, ଏହାର ତୁଳନା ଭାରତର ସ୍ଥିତିକୁ ବୁଝିବା ପାଇଁ ଗୁରୁତ୍ୱପୂର୍ଣ୍ଣ  । ଭାରତରେ ଜଣେ ଲୋକସଭା ସାଂସଦ ହାରାହାରି ପ୍ରାୟ ୨୬.୩ ଲକ୍ଷ ଲୋକଙ୍କ ପ୍ରତିନିଧିତ୍ୱ କରୁଛନ୍ତି । ଆମେରିକା ତୁଳନାରେ ଭାରତର ଜଣେ ସାଂସଦ ପ୍ରାୟ ୩.୩ ଗୁଣ ଅଧିକ ଲୋକଙ୍କ ପ୍ରତିନିଧିତ୍ୱ କରୁଛନ୍ତି ।

ଦେଶରେ ନିର୍ବାଚନମଣ୍ଡଳୀର ପୁନଃନିର୍ଦ୍ଧାରଣ ବା ସୀମା ନିର୍ଦ୍ଧାରଣକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏହି ତଥ୍ୟ ସାମ୍ନାକୁ ଆସିଛି ।  ଭାରତର ୧୪୨ କୋଟି ଲୋକଙ୍କ ପାଇଁ ଲୋକସଭାରେ ୫୪୩ଟି ନିର୍ବାଚିତ ଆସନ ରହିଛି । ଅନ୍ୟପଟେ ଆମେରିକାର ଜନସଂଖ୍ୟା ପ୍ରାୟ ୩୪.୦୯ କୋଟି ରହିଛି । ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍‌ରେ ୪୩୫ ଜଣ ସଦସ୍ୟ ଅଛନ୍ତି । ଅର୍ଥାତ୍ ଆମେରିକାରେ ଜଣେ ସାଂସଦଙ୍କ ଉପରେ ହାରାହାରି ୮.୦୨ ଲକ୍ଷ ଲୋକଙ୍କ ପ୍ରତିନିଧିତ୍ୱର ଦାୟିତ୍ୱ ରହିଛି ।

ବ୍ରାଜିଲରେ ୨୧.୩୬ ନିୟୁତ ଜନସଂଖ୍ୟା ପାଇଁ ୫୧୩ ଜଣ ସାଂସଦ ଅଛନ୍ତି । ଏଠି ଜଣେ ସାଂସଦ ପ୍ରାୟ ୪.୧୬ ଲୋକଙ୍କୁ ପ୍ରତିନିଧିତ୍ୱ କରନ୍ତି । ଜାପାନର ଜନସଂଖ୍ୟା ୧୨.୨୪ କୋଟି ଏବଂ ୪୬୫ ଜଣ ସାଂସଦ ଅଛନ୍ତି । ଏଠାରେ ଜଣେ ସାଂସଦ ପ୍ରାୟ ୨.୬୩ ଲକ୍ଷ ଲୋକଙ୍କୁ ପ୍ରତିନିଧିତ୍ୱ କରନ୍ତି । ତାଇୱାନରେ ଜଣେ ସାଂସଦ ପ୍ରାୟ ୨.୦୪ ଲକ୍ଷ, ଅଷ୍ଟ୍ରେଲିଆରେ ୧.୮୨ ଲକ୍ଷ ଏବଂ ଦକ୍ଷିଣ ଆଫ୍ରିକାରେ ୧.୬୪ ଲକ୍ଷ ଲୋକଙ୍କୁ ପ୍ରତିନିଧିତ୍ୱ କରନ୍ତି ।

ୟୁରୋପର ବୃହତ୍ତର ଗଣତନ୍ତ୍ରରେ ବି ଜଣେ ସାଂସଦଙ୍କ କାନ୍ଧରେ ଭାରତ ତୁଳନାରେ ବହୁତ କମ୍ ଲୋକଙ୍କ ଦାୟିତ୍ୱ । ଇଟାଲୀର ୪୦୦ ଜଣ ସାଂସଦଙ୍କ ପାଇଁ ପ୍ରାୟ ୫.୮୯ କୋଟି ଲୋକ ଅଛନ୍ତି । ଏଠାରେ ଜଣେ ସାଂସଦ ପ୍ରାୟ ୧.୪୭ ଲକ୍ଷ ଲୋକଙ୍କୁ ପ୍ରତିନିଧିତ୍ୱ କରନ୍ତି । ଜର୍ମାନୀର ଜନସଂଖ୍ୟା ୮.୩୬ କୋଟି ଥିବା ବେଳେ ୬୩୦ ଜଣ ସାଂସଦ ଅଛନ୍ତି । ପ୍ରତ୍ୟେକ ସାଂସଦ ପ୍ରାୟ ୧.୩୩ ଲକ୍ଷ ଲୋକଙ୍କ ପ୍ରତିନିଧିତ୍ୱ କରନ୍ତି । ନେଦରଲ୍ୟାଣ୍ଡରେ ଏହି ସଂଖ୍ୟା ପ୍ରାୟ ୧.୨୩ ନିୟୁତ, ଫ୍ରାନ୍ସରେ ୧.୨ ଲକ୍ଷ, କାନାଡାରେ ୧.୧୮ ଲକ୍ଷ ଏବଂ ବ୍ରିଟେନରେ ପ୍ରାୟ ୧.୦୮ ଲକ୍ଷ ।

କୋଷ୍ଟାରିକାରେ ଜଣେ ସାଂସଦ ପ୍ରାୟ ୯୦.୭୯ ହଜାର ଲୋକଙ୍କ ପ୍ରତିନିଧିତ୍ୱ କରନ୍ତି । ଅଷ୍ଟ୍ରିଆରେ ପ୍ରାୟ ୪୯.୭୭ ହଜାର, ପର୍ତ୍ତୁଗାଲରେ ୪୫.୨୦ ହଜାର ଏବଂ ସ୍ୱିଜରଲ୍ୟାଣ୍ଡରେ ୪୫.୦୪ ହଜାର ଲୋକଙ୍କ ପାଇଁ ଜଣେ ସାଂସଦ ।

ଛୋଟ ଦେଶଗୁଡ଼ିକରେ ସାଂସଦଙ୍କ ଜନସଂଖ୍ୟା ଆହୁରି କମ୍ ଥାଏ । ଉରୁଗୁଏରେ ଜଣେ ସାଂସଦ ପ୍ରାୟ ୩୪.୧୭ ହଜାର ଲୋକଙ୍କୁ ପ୍ରତିନିଧିତ୍ୱ କରନ୍ତି । ଡେନମାର୍କରେ ୩୩.୬୫ ହଜାର, ନରୱେରେ ୩୩.୪୫ ହଜାର, ଆୟରଲ୍ୟାଣ୍ଡରେ ୩୦.୭୯ ହଜାର, ସ୍ୱିଡେନରେ ୩୦.୬୬ ଏବଂ ଫିନଲ୍ୟାଣ୍ଡରେ ୨୮.୧୧ ହଜାର ଲୋକଙ୍କୁ ଜଣେ ସାଂସଦ ପ୍ରତିନିଧିତ୍ୱ କରନ୍ତି । ଲକ୍ସେମବର୍ଗରେ ଜଣେ ସାଂସଦ ପ୍ରାୟ ୧୧.୪୬ ହଜାର ଲୋକଙ୍କ ପ୍ରତିନିଧିତ୍ୱ କରନ୍ତି । ଆଇସଲ୍ୟାଣ୍ଡରେ ଏହି ସଂଖ୍ୟା ମାତ୍ର ୬.୩୯ ହଜାର । ଏଠାରେ ୪.୦୨ ଲକ୍ଷ ଜନସଂଖ୍ୟା ପାଇଁ ୬୩ ଜଣ ସାଂସଦ ଅଛନ୍ତି ।

ଏହି ତୁଳନା ଦର୍ଶାଉଛି ଯେ ଭାରତରେ ପ୍ରତି ସାଂସଦ ପାଇଁ ଜନସଂଖ୍ୟା ତୁଳନାରେ ଅଧିକ ସଂଖ୍ୟାରେ ନାଗରିକ ଅଛନ୍ତି । ତେବେ, ଭିନ୍ନ ଭିନ୍ନ ଦେଶରେ ସଂସଦର ଗଠନ, ନିର୍ବାଚନ ପ୍ରଣାଳୀ ଏବଂ ରାଜନୈତିକ ପ୍ରଣାଳୀ ଅଲଗା ଅଲଗା ହୋଇଥାଏ । ତେଣୁ, ଏହି ସଂଖ୍ୟା ଗଣତନ୍ତ୍ରର ଗୁଣବତ୍ତାର ରାଙ୍କିଂ ନୁହେଁ, ବରଂ ପ୍ରତିନିଧିତ୍ୱର ଓଜନକୁ ତୁଳନା କରେ ।

Also read: ଭାରତର ବିକାଶ ନାରୀ ଶକ୍ତିଙ୍କ ସ୍ୱପ୍ନ ସହ ଜଡ଼ିତ, ସଂସଦର ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା

କାହିଁକି ଗୁରୁତ୍ୱପୂର୍ଣ୍ଣ ସୀମା ନିର୍ଦ୍ଧାରଣ ?

ଭାରତରେ ଜନସଂଖ୍ୟା ବୃଦ୍ଧି ସହିତ ଲୋକସଭାର ଆସନ ସଂଖ୍ୟା ବୃଦ୍ଧି କରିବା ନେଇ କେନ୍ଦ୍ର ସରକାର ଯୁକ୍ତି ରଖିଆସୁଛନ୍ତି । ସରକାରଙ୍କ କହିବା ଅନୁସାରେ, ନିର୍ବାଚନମଣ୍ଡଳୀର ସୀମା ପୁନଃନିର୍ଦ୍ଧାରଣ ହେଲେ ପ୍ରତ୍ୟେକ ସାଂସଦଙ୍କ ଉପରେ ଥିବା ଲୋକଙ୍କ ସଂଖ୍ୟା କମିବ । ଫଳରେ ଜନସାଧାରଣଙ୍କ ସମସ୍ୟାକୁ ସଂସଦରେ ଅଧିକ ପ୍ରଭାବଶାଳୀ ଭାବେ ଉଠାଇବା ସମ୍ଭବ ହେବ । ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ନଭେମ୍ବର ୩୦ ତାରିଖରେ ଲୋକସଭାରେ ଏକ ନୂଆ ସମ୍ବିଧାନ ସଂଶୋଧନ ବିଲ୍ ଆଣିବାକୁ ଯାଉଛନ୍ତି ।

ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ

ଏହି ବିଲ୍‌ର ଅନ୍ୟତମ ଉଦ୍ଦେଶ୍ୟ ହେଉଛି ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରିବା । ପ୍ରସ୍ତାବ ଅନୁସାରେ, ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଲୋକସଭା ଆସନ ସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି କରାଯିବ। ଏଥିସହିତ ରାଜ୍ୟ ବିଧାନସଭାର ଆସନ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ । ୨୦୨୬ର ସମ୍ବିଧାନ (୧୩୨ତମ ସଂଶୋଧନ) ବିଲ୍‌ରେ ଲୋକସଭାର ସର୍ବାଧିକ ସଦସ୍ୟ ସଂଖ୍ୟା ୮୫୦କୁ ବୃଦ୍ଧି କରିବା ପ୍ରସ୍ତାବ ରହିଛି। ଏଥିରେ ରାଜ୍ୟଗୁଡ଼ିକରୁ ସର୍ବାଧିକ ୮୧୫ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ୩୫ ଜଣ ସଦସ୍ୟ ରହିପାରିବେ । ସେହିପରି ରାଜ୍ୟ ବିଧାନସଭାର ସର୍ବାଧିକ ଆସନ ସଂଖ୍ୟା ୫୦୦ରୁ ବୃଦ୍ଧି କରି ୬୫୦ କରିବାକୁ ମଧ୍ୟ ପ୍ରସ୍ତାବ ରହିଛି ।