ନୂଆଦିଲ୍ଲୀ: ଆରାବଳୀର ସଂଜ୍ଞା ବଦଳିବା ବିବାଦ ଭିତରେ କେନ୍ଦ୍ର ସରକାର ଆଉ ଏକ ପରିବର୍ତ୍ତନ କରିବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଚା’ର ପରିଭାଷା ବଦଳାଇଛନ୍ତି । ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରଧିକରଣ (FSSAI) ସ୍ପଷ୍ଟ କରିଛି ଯେ ଚା’ କେବଳ ସେହି ଉତ୍ପାଦକୁ କୁହାଯାଇ ପାରିବ ଯାହା Camellia sinensis ଗଛକୁ ତିଆରି ହୋଇଥିବ । ଏହା ସହ FSSAI ଫୁଡ୍ ବିଜନେସ୍ ଅପରେଟର୍ସ (FBOs)କୁ କଡ଼ା ଚେତାବନୀ ଦେଇଛି ଯେ Camellia sinensis ଗଛକୁ ତିଆରି ହୋଇନଥିବା ଦ୍ରବ୍ୟକୁ ଚା’ ବୋଲି କହିବା ବେଆଇନ ହେବ । ଏହା ପରେ ବି ଯଦି ହର୍ବାଲ କିମ୍ୱା ଗ୍ରୀନ ଟି’କୁ ଚା’ କହି ବ୍ରାଣ୍ଡିଂ କରାଯାଏ ତେବେ ତାହା ବିଭ୍ରାନ୍ତିକର ବିଜ୍ଞାପନ ଓ ଭୁଲ ଲେବଲିଂ ଶ୍ରେଣୀରେ ଆସିବ ।

FSSAI ଡିସେମ୍ୱର ୨୪ରେ ଜାରି କରିଥିବା ନିର୍ଦ୍ଦେଶରେ କହିଛି ଯେ ଅନେକ କମ୍ପାନି ‘ହର୍ବାଲ୍ ଟି’, ‘ରୁଇବୋସ ଟି’ ‘ଫ୍ଲାୱର ଟି’ ପରି ଉତ୍ପାଦକୁ ଚା’ କହି ବିକ୍ରି କରୁଛନ୍ତି, କିନ୍ତୁ ତାହା ବାସ୍ତାବରେ ଚା’ ନୁହେଁ । ଏହି ସବୁ Camellia sinensisରୁ ତିଆରି ହୁଏ ନାହିଁ । FSSAI ସ୍ପଷ୍ଟ ଶବ୍ଦରେ କହିଛି ଯେ ନିୟମ ଅନୁସାରେ ଚା’ ଶବ୍ଦର ବ୍ୟବହାର କେବଳ ସେହି ପାନୀୟ ପଦାର୍ଥ ପାଇଁ ବ୍ୟବହାର କରାଯାଇପାରିବ ଯାହା Camellia sinensisରୁ ତିଆରି ହୋଇଥିବ ।

FSSAI ସ୍ପଷ୍ଟ କରିଛି ଯେ ହର୍ବାଲ କିମ୍ୱା ଅନ୍ୟ ଗଛରୁ ତିଆରି ହେଉଥିବା ପାନୀୟକୁ ଚା’ କହିବା ଭୁଲ ଓ ବିଭ୍ରାନ୍ତିକର ଅଟେ । ଏହା ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ୍ସ ଆକ୍ଟ ୨୦୦୬ର ଉଲ୍ଲଂଘନ ଅଟେ । ପ୍ରଧିକରଣ ପକ୍ଷରୁ ଉତ୍ପାଦକ, ପ୍ୟାକେଜିଂ, ମାର୍କେଟିଂ, ଆମଦାନୀ, ବିକ୍ରି ଓ ଇ-କମର୍ସ ସହ ଜଡ଼ିତ ସମସ୍ତ ବ୍ୟବସାୟୀଙ୍କୁ ନିର୍ଦ୍ଦେଶ ଦେଇ ଏପରି ପଦାର୍ଥ ପାଇଁ ଚା’ ଶବ୍ଦ ବ୍ୟବହାର ନକରିବାକୁ କହିଛି । ଅନ୍‌ଲାଇନ୍ ବିକ୍ରେତାଙ୍କ ସହ ସମସ୍ତ FBOsକୁ ଏହି ନିୟମ ପାଳନ କରିବାକୁ କହିଛି । ଏହି ନିର୍ଦ୍ଦେଶ ପରେ ଏଣିକି ହର୍ବାଲ ଟି’ ଡିଟକ୍ସ ଟି’, ଫ୍ଲାୱର ଟି’ ପରି ପାନୀୟର ନାଁ ପରିବର୍ତ୍ତନ କରିବାକୁ ପଡ଼ିବ ।