ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ଦେଖି ବୁଧବାର ବସିଥିବା ସର୍ବଦଳୀୟ ବୈଠକ ସଂପନ୍ନ ହୋଇଛି। ଦେଢ ଘଣ୍ଟା ଧରି ଚାଲିଥିବା ବୈଠକରେ ସରକାର ଭରସା ଦେଇଛନ୍ତି ଯେ ଦେଶରେ ପର୍ଯ୍ୟାପ୍ତ ଉର୍ଜା ଭଣ୍ଡାର ମହଜୁଦ ରହିଛି। ଏହା ସହିତ ଅନେକ ଜାହାଜ ଏବେ ବି ଭାରତ ଅଭିମୁଖେ ଆସୁଛନ୍ତି। ବୈଠକରେ ସରକାର ବିରୋଧୀଙ୍କ ଅନେକ ପ୍ରଶ୍ନର ଉତ୍ତର ମଧ୍ୟ ରଖିଛନ୍ତି। ସରକାର ସମସ୍ତ ବିରୋଧୀ ଦଳର ନେତାଙ୍କୁ ଭରସା ଦେଇଛନ୍ତି ଯେ, ଦେଶରେ ଉର୍ଜା ସୁରକ୍ଷାର ସ୍ଥିତି ସ୍ଥିର ଏବଂ ନିୟନ୍ତ୍ରଣରେ ରହିଛି।

ସରକାର କହିଛନ୍ତି, ସେ ଅନେକ ଦେଶ ସହିତ ଆଲୋଚନା ଚଳାଇଛନ୍ତି। ପ୍ରଥମରୁ ହିଁ ଆଡଭାନ୍ସ ବୁକିଂ ସରିଛି। ଯୋଗାଣ ସ୍ଵାଭାବିକ ହେବା ସୁନିଶ୍ଚିତ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଏହି ବୈଠକ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏଥିରେ ସରକାରଙ୍କ ପକ୍ଷରୁ ଗୃହ ମନ୍ତ୍ରୀ ଅମିତ ଶାହ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସଂସଦୀୟ କାର୍ଯ୍ୟମନ୍ତ୍ରୀ କିରେନ ରିଜିଜୁ, ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ଓ ବୈଦେଶିକ ସଚିବ ବିକ୍ରମ ମିସ୍ରୀ ଉପସ୍ଥିତ ଥିଲେ। ଏହା ବ୍ୟତୀତ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।

Also Read: ୯୦ ଦିନ ଭିତରେ କରିବାକୁ ପଡିବ ପିଏନ୍ଜି କନେକ୍ସନ, ନ ହେଲେ ମିଳିବନି ଏଲ୍ପିଜି; କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ

ସାମିଲ୍ ହେଲାନି ଟିଏମସି

ବୈଠକରେ କଂଗ୍ରେସର ବରିଷ୍ଠ ନେତା ତାରିକ ଅନଓ୍ଵର, ମୁକୁଲ ଓ୍ଵାସନିକଙ୍କ ସହିତ ଅନେକ ନେତା ଯୋଗ ଦେଇଥିଲେ। ବିଜେଡିରୁ ସସ୍ମିତ ପାତ୍ର, ଜେଡିୟୁରୁ ଲଲନ ସିଂ, ସମାଜବାଦୀ ପାର୍ଟିରୁ ଧର୍ମେନ୍ଦ୍ର ଯାଦବ ଓ ସିପିଆଇଏମରୁ ଜନ ବ୍ରିଟାସ ଉପସ୍ଥିତ ଥିଲେ। ଓ୍ଵାଇଏସଆର କଂଗ୍ରେସ ପାର୍ଟି ଓ ଜନସେନା ପାର୍ଟିର ନେତା ମଧ୍ୟ ସର୍ବଦଳୀୟ ବୈଠକରେ ଯୋଗ ଦେଇଥିଲେ। ଟିଏମସି ସାଂସଦ ସୌଗାତ ରାୟ କହିଛନ୍ତି, ଆମ ପାର୍ଟିରୁ କୌଣସି ନେତା ବୈଠକରେ ଯୋଗ ଦେଇ ପାରି ନାହାନ୍ତି, କାରଣ ଜଣେ ବି ନେତା ଦିଲ୍ଲୀରେ ନ ଥିଲେ।

ସୂଚନାଯୋଗ୍ୟ, ମଧ୍ୟପ୍ରାଚ୍ୟର ସ୍ଥିତି ଉପରେ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ ପରେ ଏହି ପ୍ରସଙ୍ଗରେ ସର୍ବଦଳୀୟ ଦାବି କରିଥିଲେ ବିରୋଧୀ।କଂଗ୍ରେସ ଓ ଅନେକ ବିରୋଧୀ ପଶ୍ଚିମ ଏସିଆରେ ଯୁଦ୍ଧ ଏବଂ ଏହାର ଭାରତ ଉପରେ କଣ ପ୍ରଭାବ ରହିଛି ତାକୁ ନେଇ ସରକାରଙ୍କୁ ଲଗାତାର ପ୍ରଶ୍ନ କରୁଥିଲେ।

Also Read: ୪୫, ୩୫ ନା ୨୫ ଦିନ… କେବେ ମିଳିବ ସିଲିଣ୍ଡର ? ସୋସିଆଲ ମିଡିଆରେ ଦାବି ପରେ ସରକାର ଦେଲେ ସ୍ପଷ୍ଟୀକରଣ

ରାଜ୍ୟସଭାରେ କଣ କହିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ?

ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଏବଂ ଏହା ଦେଶ ପାଇଁ ସୃଷ୍ଟି କରିଥିବା ଆହ୍ଵାନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟସଭାରେ କହିଥିଲେ ଯେ ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି। ଏହି ସଂଘର୍ଷ ସାରା ବିଶ୍ଵରେ ଏକ ଗମ୍ଭୀର ଶକ୍ତି ସଙ୍କଟ ସୃଷ୍ଟି କରିଛି। ସୋମବାର ପୂର୍ବରୁ ସେ ଲୋକସଭାରେ କହିଥିଲେ ଯେ ପଶ୍ଚିମ ଏସିଆରେ ସଂଘର୍ଷ ଯୋଗୁଁ ସୃଷ୍ଟି ହୋଇଥିବା ଅଭୂତପୂର୍ବ ସଙ୍କଟର ପ୍ରଭାବ ଦୀର୍ଘସ୍ଥାୟୀ ହେବ। ସରକାର ଏହାକୁ ମୁକାବିଲା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ।

ଘରୋଇ ଗ୍ୟାସ ମୂଲ୍ୟରେ କୌଣସି ବୃଦ୍ଧି ନାହିଁ

ଏହା ମଧ୍ୟରେ ସରକାର ବୁଧବାର ଘୋଷଣା କରିଛନ୍ତି ଯେ ଆସନ୍ତାକାଲି ଏବଂ ପରଦିନ ଦୁଇଟି ଏଲପିଜି ଜାହାଜ ପଶ୍ଚିମ ଉପକୂଳରେ ପହଞ୍ଚିବ। ଏହି ଜାହାଜରେ ୯୨ ହଜାର ଟନ୍ ଏଲପିଜି ଆସୁଛି। ଜାହାଜ ଚଳାଚଳ ମନ୍ତ୍ରଣାଳୟ କହିଛି ଯେ ଇରାନରୁ କୌଣସି ଲୋଡ୍ କାର୍ଗୋ ଆସିବା ବିଷୟରେ କୌଣସି ସୂଚନା ନାହିଁ। ଆମର ପ୍ରାଥମିକତା ଘରୋଇ ଏଲପିଜି ଯୋଗାଣ ସୁନିଶ୍ଚିତ କରିବା ଉପରେ ରହିଛି। ଗତକାଲି ପ୍ରାୟ ୬ ଲକ୍ଷ ଲୋକଙ୍କ ଗ୍ୟାସ୍ ବୁକିଂ କରାଯାଇଥିଲା। ଏମିତି ପରିସ୍ଥିତିରେ ଘରୋଇ ଗ୍ୟାସ ମୂଲ୍ୟରେ କୌଣସି ବୃଦ୍ଧି ହୋଇନାହିଁ। ମନ୍ତ୍ରଣାଳୟ ତୈଳ ଏବଂ ଗ୍ୟାସ କମ୍ପାନୀଗୁଡ଼ିକର ଅଧିକାରୀଙ୍କ ସହିତ ପ୍ରତିଦିନ ବୈଠକ କରୁଛି।