ନୂଆଦିଲ୍ଲୀ: ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ଆଫଗାନିସ୍ତାନକୁ ୭ ୱିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ଆଜମତୁଲ୍ଲା ଉମରଜାଇଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ୨୦ ଓଭରରେ ୮ ୱିକେଟ୍ ହରାଇ ୧୫୬ ରନ୍ କରିଥିଲା । ଜବାବରେ ଅଭିଷେକ ଶର୍ମାଙ୍କ ଧୂଆଁଧାର ଅର୍ଦ୍ଧଶତକୀୟ ଇନିଂସ ଯୋଗୁଁ ଭାରତ ୧୩.୪ ଓଭରରେ ୭ ୱିକେଟ୍ରେ ମ୍ୟାଚ୍ ଜିତିନେଇଛି । ଅଭିଷେକ ୩୨ ବଲରେ ୮୨ ରନ୍ କରିଥିଲେ । ଏହି ବିଜୟ ସହିତ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି ।

ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ରବିବାର ଟସ୍ ଜିତି ଭାରତ ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା । ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ବ୍ୟାଟିଂ ବିପର୍ଯ୍ୟୟ ସାମନା କରିଥିଲା । ଟିମ୍ ମାତ୍ର ୪୩ ରନରେ ନିଜର ୫ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ହରାଇଥିଲା । ଏହା ପରେ ଆଜମତୁଲ୍ଲା ଉମରଜାଇ ଏବଂ ମହମ୍ମଦ ନବୀଙ୍କ ଯୋଡି ଟିମକୁ ସମ୍ଭାଳିଥିଲା । ଦୁହିଁଙ୍କ ମଧ୍ୟରେ ୮୩ ରନର ଗୁରୁତ୍ୱପୂର୍ଣ୍ଣ ପାର୍ଟନରଶିପ୍ ହୋଇଥିଲା । ଆଫଗାନ ଟିମ୍ ୨୦ ଓଭରରେ ୮ ୱିକେଟ୍ ହରାଇ ୧୫୬ ରନ୍ କରିଥିଲା । ଦଳ ପାଇଁ ଆଜମତୁଲ୍ଲା ଉମରଜାଇ ସର୍ବାଧିକ ୬୪ ରନ୍ କରିଥିଲେ । ଶିବମ୍ ଦୁବେ ତାଙ୍କ ଶେଷ ଓଭରରେ ୨୧ ରନ୍ ଦେଇଥିଲେ, ଯାହା ଦ୍ୱାରା ଆଫଗାନିସ୍ତାନ ୧୫୦ ରନ୍ ଅତିକ୍ରମ କରିଥିଲା । ଭାରତ ପକ୍ଷରୁ ଅର୍ଶଦୀପ ସିଂହ ୩ ୱିକେଟ୍ ନେଇଥିଲେ । ଯଶପ୍ରୀତ ବୁମରା, ଅକ୍ଷର ପଟେଲ୍ ଏବଂ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ଜବାବରେ, ଭାରତ ତୃତୀୟ ଓଭରରେ ପ୍ରଥମ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ସଞ୍ଜୁ ସାମସନ୍ ୮ ବଲରେ ୧୦ ରନ୍ କରି ଆଉଟ୍ ହୋଇଥିଲେ । ଅଭିଷେକ ଶର୍ମା ୩୨ ବଲ୍ ରେ ୮୨ ରନ୍ କରିଥିଲେ, ଯେଉଁଥିରେ ସାତଟି ଚୌକା ଏବଂ ସାତଟି ଛକା ଥିଲା । ଇନଫର୍ମ ବ୍ୟାଟର ଇଶାନ୍ କିଷନ ୩୩ ବଲରେ ୪୨ ରନ୍ କରିଥିଲେ । ଅଧିନାୟକ ଶ୍ରେୟସ ଆୟର ୮ ରନ୍ ଏବଂ ତିଳକ ବର୍ମା ୩ ରନ୍ କରି ଅପରାଜିତ ରହିଥିଲେ ।