ନୂଆଦିଲ୍ଲୀ: ତୁଳୀରୁ ତୀରନ୍ଦାଜ। ତୀରନ୍ଦାଜରୁ ବିଶ୍ୱ ଚାମ୍ପିଅନ। କଷ୍ଟକର ଯାତ୍ରାରୁ ମହାବିଜୟ। ହାତଗୋଡ଼ ନାହିଁ, ତଥାପି ବିଶ୍ୱଚାମ୍ପିଅନ। ବିପର୍ଯ୍ୟୟରୁ ବିଜୟିନୀ ପାଲଟିଥିବା ପାରା ଆଥଲେଟ୍ ପାୟଲ ନାଗ। ଇତିହାସ ରଚିଛନ୍ତି ଓଡ଼ିଆ ଝିଅ ପାୟଲ ନାଗ। ଡିଫେଣ୍ଡିଂ ଚାମ୍ପିଅନଙ୍କୁ ହରାଇ ଜିତିଛନ୍ତି ସ୍ବର୍ଣ୍ଣ ପଦକ। ବିଶ୍ୱ ପାରା ଆର୍ଚେରୀ ମହିଳା ବର୍ଗରେ ଆଣିଛନ୍ତି ଡବଲ ଗୋଲ୍ଡ ମେଡାଲ।

ବଲାଙ୍ଗିରର ପାରା ଆଥଲେଟ୍ ପାୟଲ ନାଗ। ଭାରତ ଓ ଓଡ଼ିଶା ପାଇଁ ଆଣିଛନ୍ତି ଗର୍ବ। ଦୁଇ ଦୁଇଟି ସ୍ବର୍ଣ୍ଣ ପଦକ। ବ୍ୟାଙ୍କକ ଠାରେ ଆୟୋଜିତ ହେଉଥିବା ବିଶ୍ୱ ପାରା ତୀରନ୍ଦାଜ ପ୍ରତିଯୋଗିତାରେ ସେ ୪୧ ଜଣ ଭାରତୀୟ ଖେଳାଳି ଦଳରେ ସାମିଲ ହୋଇ ଭାଗ ନେଇଥିଲେ । ସେ ଓ ତାଙ୍କ ସହଯୋଗୀ ଖେଳାଳି ଶୀତଳ ଦେବୀ ମିଳିତ ଭାବେ କାଜାକିସ୍ତାନ ପ୍ରତିଯୋଗିଙ୍କୁ ହରାଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏତିକିରେ ଅଟକି ନଥିଲା ତାଙ୍କର ପ୍ରଦର୍ଶନ। ବ୍ୟକ୍ତିଗତ ଇଭେଣ୍ଟରେ ସେ ପୁଣି ନିଜ ଜଲୱା ଦେଖାଇଛନ୍ତି। ଯେଉଁଥିରେ ସେ ପୂର୍ବଥରର ବିଶ୍ୱ ଚାମ୍ପିଅନ୍ ଶୀତଳ ଦେବୀଙ୍କୁ ହରାଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ମୋଟ୍ ପାଞ୍ଚଟି ରାଉଣ୍ଡରେ ଶୀତଳ ଦେବୀ ୧୩୬ ସ୍କୋର କରିଥିବା ବେଳେ ପାୟଲ ନାଗ ୧୩୯ ପଏଣ୍ଟ ସ୍କୋର କରି ବିଶ୍ୱ ବିଜୟୀ ହୋଇଛନ୍ତି ।

Also read- ଜିତିବା ମ୍ୟାଚ୍‌ ହାରିଲା ଗୁଜରାଟ ଟାଇଟନ୍ସ, ରାଜସ୍ଥାନର ରୋମାଞ୍ଚକର ବିଜୟ

ତାଙ୍କର ଏହି ଉପଲବ୍ଧି ପାଇଁ ପାୟଲଙ୍କୁ ସାରା ଦେଶରୁ ପ୍ରଶଂସାର ସୂଅ ଛୁଟିଛି । କ୍ରୀଡା ମନ୍ତ୍ରାଳୟ ତାଙ୍କୁ ଶୁଭେଚ୍ଛା ଜଣାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି। କହିଛନ୍ତି- ପାୟଲଙ୍କ ଏହି ସଫଳତା ରାଜ୍ୟର ଅଗଣିତ କ୍ରୀଡ଼ାବିତଙ୍କ ପାଇଁ ଏକ ବଡ଼ ପ୍ରେରଣା। ତାଙ୍କର ଏହି ବିଜୟ ଯାତ୍ରା ଅବ୍ୟାହତ ରହୁ ଏବଂ ସେ ଆଗାମୀ ଦିନରେ ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଓଡ଼ିଶାର ସୁନାମକୁ ଆହୁରି ଉଜ୍ଜ୍ୱଳ କରନ୍ତୁ। ସେହିପରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଟ୍ୱିଟ କରି କହିଛନ୍ତି- ପାୟଲଙ୍କ ସଫଳତା କେବଳ ରାଜ୍ୟ ପାଇଁ ନୁହେଁ, ସାରା ଦେଶକୁ ଗୌରବାନ୍ୱିତ କରିଛି।

ବଲାଙ୍ଗିର ଜିଲ୍ଲା ମୁରିବାହଳ ବ୍ଲକ ଯମୁନା ବହଳ ଗ୍ରାମର ବାସିନ୍ଦା ପାୟଲ ନାଗ। ଗରିବ ପରିବାରରେ ତାଙ୍କର ଜନ୍ମ। ପରିବାର ଚଳାଇବା ପାଇଁ ବାପା ମା' ଛତିଶଗଡ଼ର ରାୟପୁରକୁ ଦାଦନ ଖଟିବାକୁ ଯାଇଥିଲେ । ସାଙ୍ଗରେ ପାୟଲ ନାଗ ଓ ତାଙ୍କ ଭାଇ ଭଉଣୀ ମଧ୍ୟ ଯାଇଥିଲେ । ୬ ଏପ୍ରିଲ ୨୦୧୫। ପାୟଲ ଖେଳୁଥିବା ସମୟରେ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ନିଜର ଉଭୟ ଗୋଡ଼ ହାତ ହରାଇଥିଲେ। ଏହାପରେ ବାପା ମା’ ପାୟଲ ନାଗ ଓ ତାଙ୍କ ଭାଇ ଭଉଣୀଙ୍କୁ ବୁଢ଼ୀ ଆଈ ମା'ଙ୍କ ପାଖରେ ଏକା ଛାଡି ପୁଣି ଦାଦନ ଖଟିବାକୁ ଚାଲି ଯାଇଥିଲେ।

ଆଈଙ୍କ ଦେହାନ୍ତ ପରେ ପାୟଲ ନାଗ ଏକ ପ୍ରକାର ଅସହାୟ ହୋଇ ପଡ଼ିଥିଲେ। ଏହାପରେ ଜିଲ୍ଲା ପ୍ରଶାସନ ପାୟଲ ନାଗଙ୍କୁ ଉଦ୍ଧାର କରି ବଲାଙ୍ଗିର ପାର୍ବତୀ ଗିରି ଆଶ୍ରମରେ ରହିବା ସହିତ ଶିକ୍ଷାର ବ୍ୟବସ୍ଥା କରିଥିଲେ। ତୁଳୀ ଧରି ସେ ଚିତ୍ର ଆଙ୍କୁଥିଲେ। ତୁଳସୀ ଦୁଇ ପତ୍ରରୁ ବାସିବା ପରି ତୀରନ୍ଦାଜ ପ୍ରତି ଆଗ୍ରହୀ ହେଲେ। ପରେ ରାଜ୍ୟ ସରକାର ତାଙ୍କୁ ଜମ୍ମୁ କୁ ତୀରନ୍ଦାଜୀ ପ୍ରଶିକ୍ଷଣ ପାଇଁ ପଠାଇଥିଲେ । ସେଠାରେ ସେ ଟପ୍ ଖେଳାଳିଙ୍କୁ ହରାଇ ନିଜର ପ୍ରତିଭା ଦେଖାଇଥିଲେ। ଏବେ ପୁଣି ସେ ବିଶ୍ୱ ବିଜୟୀ ହୋଇ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଆଗକୁ ଅଲମ୍ପିକ୍ସରେ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତିବାର ଦେଖୁଛନ୍ତି ସ୍ୱପ୍ନ।