ନୂଆଦିଲ୍ଲୀ: ଚୀନର ନିଜର କୃତ୍ରିମ ସୂର୍ଯ୍ୟ ନିର୍ମାଣକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚାରେ ରହିଛି । ବିଶ୍ୱର ସମସ୍ତ ବୈଜ୍ଞାନିକ ଏହାର ପରିଣାମ ଏବଂ ବିଭିନ୍ନ ଦିଗ ଉପରେ ନଜର ରଖିଛନ୍ତି । ଏହାରି ଭିତରେ ଗ୍ଲୋବାଲ୍ ସାଉଥରେ ଅନ୍ୟ ଏକ ଶକ୍ତିଶାଳୀ ରାଷ୍ଟ୍ର ତଥା ଚୀନର ପ୍ରତିଦ୍ୱନ୍ଦ୍ୱୀ ଭାବେ ଦେଖାଯାଉଥିବା ଭାରତ ମଧ୍ୟ ଏହି ଦିଗରେ ଆଗକୁ ବଢ଼ିଛି । ଭାରତ ମଧ୍ୟର ନିଜ ସୂର୍ଯ୍ୟ ନିର୍ମାଣ କରିବା ଦିଗରେ ଆଗକୁ ବଢ଼ୁଛି । ଗୁଜରାଟର ଏକ ଲ୍ୟାବରେ ବୈଜ୍ଞାନିକମାନେ ପ୍ରକୃତିର ସବୁଠାରୁ ଶକ୍ତିଶାଳୀ ପ୍ରକ୍ରିୟା ଫ୍ୟୁଜନକୁ ପୁଣି ବାସ୍ତବ କରିବାରେ ଲାଗିଛନ୍ତି । ଏହା ହେଉଛି ସେହି ପ୍ରତିକ୍ରିୟା, ଯାହା ଦ୍ୱାରା ସୂର୍ଯ୍ୟ ଉଜ୍ଜ୍ୱଳ ହୋଇଥାଏ । ନିକଟରେ ଚୀନ୍ ବିଷୟରେ ଖବର ଆସିଥିଲା ଯେ ସେ କୃତ୍ରିମ ସୂର୍ଯ୍ୟ ପାଇଁ ବିଶ୍ୱର ସବୁଠାରୁ ବଡ଼ ସୁପରକଣ୍ଡକ୍ଟିଂ ମ୍ୟାଗ୍ନେଟ୍ ତିଆରି କରିନେଇଛି । ଏବେ କୃତ୍ରିମ ସୂର୍ଯ୍ୟ ତିଆରି କରିବା ଦିଗରେ ଭାରତୀୟ ବୈଜ୍ଞାନିକମାନଙ୍କ ଚେଷ୍ଟା ମଧ୍ୟ ସଫଳ ହୋଇଛି ।

ସୂଚନାଯୋଗ୍ୟ ଯେ, ସୂର୍ଯ୍ୟ ଫ୍ୟୁଜନରୁ ଶକ୍ତି ଉତ୍ପନ୍ନ କରିଥାଏ । ନ୍ୟୁକ୍ଲିୟର ଫ୍ୟୁଜନର ଏହି ପ୍ରକ୍ରିୟା କେବେ ହେଲେ ଅଟକି ନଥାଏ, ନିରନ୍ତର ଚାଲିଥାଏ । ଯଦି ମଣିଷ ଏହି ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ କୃତ୍ରିମ ସୂର୍ଯ୍ୟ ତିଆରି କରେ, ତେବେ ସବୁଠାରୁ ବଡ଼ ଆହ୍ୱାନ ହେଉଛି ଶକ୍ତିକୁ ନିରନ୍ତର ବଜାୟ ରଖିବା ସହିତ ତାହା ଉପରେ ନିୟନ୍ତ୍ରଣ ହାସଲ କରିବା । କାରଣ ଅତ୍ୟଧିକ ଉଚ୍ଚ ତାପମାତ୍ରାରେ ପଦାର୍ଥ ନିଜର ଅସ୍ତିତ୍ୱ ହରାଇଦିଏ । ଏଭଳି ପରିସ୍ଥିତିରେ ଏହି ଅବସ୍ଥାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବଜାୟ ରଖିବା ଏକ ବଡ଼ ଆହ୍ୱାନପୂର୍ଣ୍ଣ କାମ ।

'ଇଣ୍ଡିଆ ଟୁଡେ'ର ରିପୋର୍ଟ ଅନୁସାରେ, ଗୁଜରାଟର 'ଇନ୍‌ଷ୍ଟିଚ୍ୟୁଟ୍ ଫର୍ ପ୍ଲାଜମା ରିସର୍ଚ୍ଚ'ର ବୈଜ୍ଞାନିକମାନେ ଏହି ଆହ୍ୱାନର ସମାଧାନ କରିନେଇଛନ୍ତି । ବୈଜ୍ଞାନିକମାନେ SST-1 ଟୋକାମାକ୍ ମେସିନରେ ଏକ ଶକ୍ତିଶାଳୀ ୮୨.୬ ଗିଗାହର୍ଟଜ୍ (GHz) ଗାଇରୋଟ୍ରୋନ୍ ନାମକ ଉପକରଣକୁ କାର୍ଯ୍ୟକ୍ଷମ କରିଛନ୍ତି, ଯାହା ହାଇ ଫ୍ରିକ୍ୱେନ୍ସି ମାଇକ୍ରୋୱେଭ୍ ଶକ୍ତି ସାହାଯ୍ୟରେ ପ୍ଲାଜମାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅତ୍ୟନ୍ତ ଉଚ୍ଚ ତାପମାତ୍ରାରେ ଗରମ କରି ରଖିଥାଏ । ଅର୍ଥାତ୍ ଭାରତୀୟ ବୈଜ୍ଞାନିକମାନେ ସୂର୍ଯ୍ୟ ଭଳି ଫ୍ୟୁଜନ୍ ଦ୍ୱାରା ଅସୀମ ଶକ୍ତି ତିଆରି କରିବା ଦିଗରେ ଆଗେଇ ଚାଲିଛନ୍ତି ।

ପ୍ଲାଜମା ଏକ ଅବସ୍ଥା ହୋଇଥାଏ । କଠିନ, ତରଳ ଏବଂ ଗ୍ୟାସ୍ ପରେ ପ୍ଲାଜମା ହେଉଛି କୌଣସି ପଦାର୍ଥର ଚତୁର୍ଥ ଅବସ୍ଥା । ଏହା ଅତ୍ୟଧିକ ଉଚ୍ଚ ତାପମାତ୍ରର ସ୍ଥିତି ହୋଇଥାଏ । ଏହା କୌଣସି ବି ପଦାର୍ଥର ଉଚ୍ଚ ତାପମାତ୍ରା ଏବଂ ଇଲେକ୍ଟ୍ରିକଲି ଚାର୍ଜଡ୍ ଅବସ୍ଥା ହୋଇଥାଏ । ଏହି ସ୍ଥିତିରେ ପରିମାଣୁ ନିଜ ଇଲେକ୍ଟ୍ରୋନ ହରାଇଥାଏ ।

SST-1 ଅର୍ଥାତ୍ ଷ୍ଟେଡି ଷ୍ଟେଟ୍ ସୁପରକଣ୍ଡକ୍ଟିଂ ଟୋକାମାକ୍ ହେଉଛି ଭାରତର ସେହି ଫ୍ୟୁଜନ୍ ମେସିନ୍, ଯାହାକୁ ସୂର୍ଯ୍ୟ ଭଳି ଶକ୍ତି ଦେବା ପ୍ରକ୍ରିୟାକୁ ବାସ୍ତବ କରିବା ପାଇଁ ଡିଜାଇନ୍ କରାଯାଇଛି । ସୂଚନାଯୋଗ୍ୟ ଯେ ଫ୍ୟୁଜନ୍ ରିଆକ୍ଟର ତିଆରି କରିବା ଅତ୍ୟନ୍ତ କଷ୍ଟକର । ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟରେ ରେଡିଓଆକ୍ଟିଭ୍ ଇନ୍ଧନ ଜାଳିବା ପରିବର୍ତ୍ତେ ଫ୍ୟୁଜନ୍ ରିଆକ୍ଟରରେ ଅତ୍ୟନ୍ତ ଉଚ୍ଚ ତାପମାତ୍ରା ଓ ଚାପ ମଧ୍ୟରେ ହାଲୁକା ପରମାଣୁଗୁଡ଼ିକର ନ୍ୟୁକ୍ଲିୟସ୍କୁ ଯୋଡ଼ି ଶକ୍ତି ଉତ୍ପନ୍ନ କରାଯାଇଥାଏ ।

ଏହି ପ୍ରକ୍ରିୟାରେ ଅତ୍ୟଧିକ ଉଚ୍ଚ ତାପମାତ୍ରା ଯୋଗୁଁ ପଦାର୍ଥ ନିଜର ଅସ୍ତିତ୍ୱ ହରାଇଦିଏ । ଏହି ବିପଜ୍ଜନକ ପ୍ରୟୋଗର କେନ୍ଦ୍ରବିନ୍ଦୁ ହେଉଛି ପ୍ଲାଜମା, ଯାହାକୁ ପଦାର୍ଥର ଅତ୍ୟନ୍ତ ଉତ୍ତପ୍ତ ଏବଂ ଇଲେକ୍ଟ୍ରିକାଲି ଚାର୍ଜଡ୍ ଅବସ୍ଥା କୁହାଯାଏ । ଯଦି ଏହା ରିଆକ୍ଟରର ପୃଷ୍ଠ ସଂସ୍ପର୍ଶରେ ଆସେ, ତେବେ ବଡ଼ କ୍ଷତି ହୋଇପାରେ । ଏହି କାରଣରୁ ପୃଥିବୀରେ ଏକ ଆହ୍ୱାନ ହେଉଛି ପ୍ଲାଜମାକୁ ରିଆକ୍ଟର ପାଚେରୀ ସଂସ୍ପର୍ଶରୁ ଦୂରରେ ରଖିବା । ଏଥିପାଇଁ ବୈଜ୍ଞାନିକଙ୍କୁ ଜଟିଲ ମ୍ୟାଗ୍ନେଟିକ ସିଷ୍ଟମ ଉପରେ ନିର୍ଭର କରିବାକୁ ପଡ଼ିଥାଏ ।

ଏପରି ସ୍ଥିତିରେ ରିଆକ୍ଟର ଭିତରେ ପ୍ଲାଜମାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବଜାୟ ରଖିବା ହିଁ ସବୁଠାରୁ ବଡ଼ ଆହ୍ୱାନପୂର୍ଣ୍ଣ କାର୍ଯ୍ୟ । ଭାରତୀୟ ବୈଜ୍ଞାନିକମାନେ ଡୋନଟ୍ (Doughnut) ଆକାରର ଟୋକାମାକ୍ ମେସିନ୍ ଭିତରେ ଶକ୍ତିଶାଳୀ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି କରିବାରେ ସଫଳତା ପାଇଛନ୍ତି । ଏହି ଚୁମ୍ବକୀୟ କ୍ଷେତ୍ରର ବ୍ୟବହାର କରି ପ୍ଲାଜମାକୁ ସ୍ଥିର ରଖିବାରେ ସଫଳ ହୋଇପାରିବେ ।