କଲମ୍ବୋ,୧୨|୦୬:ଭାରତ ଏ ଏବଂ ଆଫଗାନିସ୍ତାନ ଏ ମଧ୍ୟରେ ଖେଳାଯାଉଥିବା ଟ୍ରାଇ ସିରିଜର ଏକ ମୁକାବିଲାରେ ଟିମ୍ ଇଣ୍ଡିଆ ପରାସ୍ତ ହୋଇଛି । ଡିଏଲଏସ ନିୟମରେ ଆଫଗାନିସ୍ତାନ ବାଜି ମାରିନେଇଛି । ଯାହା ଟୁର୍ଣ୍ଣାମେଣ୍ଟର ସମୀକରଣକୁ ସମ୍ପୂର୍ଣ୍ଣ ଓଲଟାଇ ଦେଇଛି । ଫଳରେ ଜୁନ ୨୧ ତାରିଖରେ ଖେଳାଯିବାକୁ ଥିବା ଫାଇନାଲ ରେସ ରୋଚକ ସ୍ଥିତିରେ ପହଁଚିଛି । ତେବେ ଭାରତ ଫାଇନାଲରେ ପହଁଚି ପାରିବ ନା ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ ।

ଆଫଗାନିସ୍ତାନ ବିପକ୍ଷ ମୁକାବିଲାରେ ଭାରତ ପ୍ରଥମେ ବ୍ୟାଟିଂ କରି ୪୯ ଓଭରରେ ୩୪୯ ରନ୍ କରିଥିଲା । ବୈଭବ ସୂର୍ଯ୍ୟବଂଶୀ ଏବଂ ପ୍ରଭାସିମରନ୍ ସିଂ ଦଳକୁ ଦ୍ରୁତ ଆରମ୍ଭ ଦେଇଥିଲେ । ଉଭୟ ପ୍ରଥମ ଓ୍ୱିକେଟ୍ ଯୋଡିରେ ୭ ଓଭରରେ ୭୪ ରନ୍ ସଂଗ୍ରହ କରିଥିଲେ । ୧୬ ବର୍ଷୀୟ ବୈଭବ ୨୨ ବଲରୁ ୪୪ ରନ୍ କରିଥିଲେ । ଏଥିରେ ୯ଟି ଚଉକା ସାମିଲ ଥିଲା । ସେ ବିନା କୌଣସି ଛକା ମାରି ୨୦୦ ଷ୍ଟ୍ରାଇକ୍ ରେଟରେ ବ୍ୟାଟିଂ କରିଥିଲେ । ସେହିପରି ପ୍ରଭାସିମରନ୍ ମଧ୍ୟ ୬୯ ବଲରୁ ୮୪ ରନ୍ କରିଥିଲେ । ଅଧିନାୟକ ତିଲକ ବର୍ମା ଏବଂ ଉପ ଅଧିନାୟକ ଋତୁରାଜ ଗାଏକଓ୍ୱାଡ୍ ଅର୍ଧଶତକ ହାସଲ କରିଥିଲେ ।

ବର୍ଷା କାରଣରୁ ମ୍ୟାଚରେ ଡିଏଲଏସ ନିୟମ ପ୍ରୟୋଗ ହୋଇଥିଲା । ଫଳରେ ଆଫଗାନିସ୍ତାନକୁ ୩୮ ଓଭରରେ ବିଜୟ ପାଇଁ ୨୯୪ ରନ୍ ଟାର୍ଗେଟ୍ ଦିଆଯାଇଥିଲା । ୨୫.୫ ଓଭରରେ ଆଫଗାନ୍ ଖେଳାଳି ୧୭୭ ରନ୍ କରିଥିଲେ । ପୁଣି ବର୍ଷା ଆରମ୍ଭ ହୋଇଥିଲା । ଫଳରେ ଦଳ ନିର୍ଧାରିତ ସ୍କୋର ଅନୁସାରେ ୪ ରନ୍ ଆଗରେ ଥିଲା । ଫଳରେ ଦଳକୁ ବିଜେତା ଘୋଷଣା କରାଯାଇଥିଲା ।

Also Read :-'ଦିଦି ସବୁ ଠିକ୍ କରିଦେବେ...TMC ଛାଡିବେନି କଲ୍ୟାଣ' : କୀର୍ତ୍ତି ଆଜାଦଙ୍କ ବୟାନକୁ ନେଇ ଜୋରଦାର ଚର୍ଚ୍ଚା

ଫାଇନାଲର ସମୀକରଣ କ'ଣ ?

ଟୁର୍ଣ୍ଣାମେଣ୍ଟରେ ଉଭୟ ଭାରତ ଏ ଏବଂ ଆଫଗାନିସ୍ତାନ ଏ ଦୁଇ ପଏଣ୍ଟ ହାସଲ କରିଛନ୍ତି । କିନ୍ତୁ ଆଫଗାନିସ୍ତାନର ରନ୍ ରେଟ୍ ଅଧିକ ରହିଛି । ଭାରତ ଦ୍ୱିତୀୟ ସ୍ଥାନରେ ଅଛି । ଶ୍ରୀଲଙ୍କା ବିନା କୌଣସି ପଏଣ୍ଟରେ ତିନି ନମ୍ବରରେ ରହିଛି ।

ଭାରତ ଜୁନ ୧୫ରେ ଶ୍ରୀଲଙ୍କା ଏ ଏବଂ ୧୭ ତାରିଖରେ ଆଫଗାନିସ୍ତାନ ଏ ବିପକ୍ଷରେ ମ୍ୟାଚ୍ ଖେଳିବ । ଏହି ମ୍ୟାଚ୍ ର ଫଳାଫଳ ହିଁ ଫାଇନାଲରେ କାହାକୁ ଏଣ୍ଟ୍ରି ମିଳିବ ତାହା ସ୍ଥିର କରିବ । ଯଦି ଶ୍ରୀଲଙ୍କା ଆଗାମୀ ମ୍ୟାଚରେ ଆଫଗାନିସ୍ତାନକୁ ପରାସ୍ତ କରେ ତେବେ ପଏଣ୍ଟ ତାଲିକା ଅଧିକ ରୋଚକ ହୋଇଯିବ ।