ନୂଆଦିଲ୍ଲୀ: ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟି ଆସନ୍ତା ମାସରେ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଥିବା ତ୍ରିରାଷ୍ଟ୍ରୀୟ ସିରିଜ୍ ପାଇଁ ଭାରତ 'A' (India A) ଦଳ ଘୋଷଣା କରିଛି। ଆଇପିଏଲରେ ନିଜର ଜଲୱା ଦେଖାଉଥିବା ଅନେକ ଯୁବ ପ୍ରତିଭାଙ୍କୁ ଏହି ଦଳରେ ସୁଯୋଗ ମିଳିଛି।

ତିଳକ ବର୍ମା ଅଧିନାୟ

କଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ବାମହାତୀ ବ୍ୟାଟର ତିଳକ ବର୍ମାଙ୍କୁ ଏହି ଦଳର ଅଧିନାୟକ ଦାୟିତ୍ବ ମିଳିଛି । ତିଳକ ବର୍ମା ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ନିଜର ପ୍ରତିଭା ପ୍ରମାଣିତ କରିସାରିଛନ୍ତି । ତେଣୁ ତାଙ୍କ ନେତୃତ୍ୱରେ ଯୁବ ଦଳ ଶ୍ରୀଲଙ୍କାରେ ଭଲ ପ୍ରଦର୍ଶନ କରିବ ବୋଲି ଚୟନକର୍ତ୍ତା ଆଶା ରଖିଛନ୍ତି।

ଆହତ ରିୟାନ୍ ପରାଗଙ୍କୁ ବଡ଼ ଦାୟିତ୍ୱ

ରାଜସ୍ଥାନ ରୟାଲ୍ସର ଷ୍ଟାର ଅଲରାଉଣ୍ଡର ରିୟାନ୍ ପରାଗଙ୍କୁ ଦଳର ଉପ-ଅଧିନାୟକ ଭାବେ ଚୟନ କରାଯାଇଛି। ଆଇପିଏଲରେ ରିୟାନ୍ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଚୟନ କମିଟି ତାଙ୍କ ଅଭିଜ୍ଞତା ଓ ଆକ୍ରମଣାତ୍ମକ ଶୈଳୀକୁ ଗୁରୁତ୍ୱ ଦେଇ ଏହି ବଡ଼ ଦାୟିତ୍ୱ ଦେଇଛି ।

ବୈଭବ ସୂର୍ଯ୍ୟବଂଶୀଙ୍କୁ ବଡ଼ ଉପହାର

ଏହି ଦଳର ସବୁଠାରୁ ବଡ଼ ଆକର୍ଷଣ ହେଉଛନ୍ତି ବୈଭବ ସୂର୍ଯ୍ୟବଂଶୀ। ମାତ୍ର ୧୫ ବର୍ଷ ବୟସରେ ବୈଭବ ଯେଉଁଭଳି କ୍ରିକେଟ ଖେଳୁଛନ୍ତି, ତାହା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କୁ 'ସୁପର୍ କିଡ୍' ବୋଲି କୁହାଯାଉଛି। ଭାରତ 'A' ଦଳରେ ସ୍ଥାନ ପାଇବା ତାଙ୍କ ପାଇଁ ବଡ଼ ଉପହାର।

ଆଇପିଏଲ୍ ତାରକାଙ୍କୁ ପ୍ରାଧାନ୍ୟ

ସିଲେକ୍ସନ କମିଟି ମୁଖ୍ୟତଃ ଚଳିତ ଆଇପିଏଲ୍ରେ ଦମଦାର ପ୍ରଦର୍ଶନ କରୁଥିବା ଯୁବ ଖେଳାଳିମାନଙ୍କୁ ସାମିଲ କରିଛି। ଭବିଷ୍ୟତରେ ମୁଖ୍ୟ ଜାତୀୟ ଦଳ ପାଇଁ ଖେଳାଳି ପ୍ରସ୍ତୁତ କରିବା ଲକ୍ଷ୍ୟରେ ଏହି ଯୋଜନା କରାଯାଇଛି। ଏହି ଦଳରେ ଅନେକ ଏମିତି ଖେଳାଳି ଅଛନ୍ତି ଯେଉଁମାନେ ଆଗାମୀ ଦିନରେ ଭାରତର ସିନିୟର ଟିମ ସ୍ଥାନ ପାଇପାରନ୍ତି।

ଶ୍ରୀଲଙ୍କା ତ୍ରିରାଷ୍ଟ୍ରୀୟ ସିରିଜ୍‌

ଆସନ୍ତା ମାସରେ ଶ୍ରୀଲଙ୍କା ମାଟିରେ ଏହି ତ୍ରିରାଷ୍ଟ୍ରୀୟ ସିରିଜ୍ ଖେଳାଯିବ। ଭାରତ ‘A’ ଦଳ ସହ ଅନ୍ୟ ଦୁଇଟି ଦଳ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ପ୍ରତିଦ୍ୱନ୍ଦ୍ୱୀତା କରିବେ। ଶ୍ରୀଲଙ୍କାର ସ୍ପିନ୍ ଅନୁକୂଳ ପିଚ୍ରେ ଭାରତର ଯୁବ ବ୍ୟାଟର ଏବଂ ବୋଲରମାନଙ୍କ ପାଇଁ ଏହା ଏକ କଠିନ ପରୀକ୍ଷା ହେବ।

India A ସ୍କ୍ବାଡ

ତିଳକ ବର୍ମା (ଅଧିନାୟକ), ପ୍ରିୟାଂଶ ଆର୍ଯ୍ୟ, ବୈଭବ ସୂର୍ଯ୍ୟବଂଶୀ, ରିୟାନ ପରାଗ (ଉପ-ଅଧିନାୟକ), ଆୟୁଷ ବଦୋନୀ, ନିଶାନ୍ତ ସିନ୍ଧୁ, ହର୍ଷ ଦୁବେ, ସୂର୍ଯ୍ୟାଂଶ ସେଡଗେ, ପ୍ରଭସିମରନ ସିଂହ (ଓ୍ବିକେଟ କିପର), କୁମାର କୁସାଗ୍ର (ଓ୍ବିକେଟ କିପର), ବିପ୍ରଜ ନିଗମ, ୟଶ ଠାକୁର, ଯୁଦ୍ଧବୀର ସିଂହ, ଅଂଶୁଲ କମ୍ବୁଜ, ଅର୍ଷଦ ଖାନ ।