ଗୌହାଟୀ: ଗୌହାଟୀର ବରସାପରା ଷ୍ଟାଡିୟମରେ ରନ ବର୍ଷା। ଓ୍ଵେଷ୍ଟଇଣ୍ଡିଜ ବ୍ୟାଟରଙ୍କ ଚୌକା ଓ ଛକା ମାଡ଼। ଆଉ ନିଜର ଦିନିକିଆ ଇତିହାସରେ ସବୁଠୁ ବଡ଼ ସ୍କୋର କଲା ଓ୍ଵେଷ୍ଟଇଣ୍ଡିଜ। ଏଠାରେ ଖେଳା ଯାଉଥିବା ଦ୍ଵିତୀୟ ଦିନିକିଆରେ ତିନି ଜଣ ବ୍ୟାଟରଙ୍କ ଶତକ ବଳରେ ଭ୍ରମଣକାରୀ ଦଳ ୭ ଓ୍ଵିକେଟ୍ ହରାଇ ୪୦୫ ରନର ବିଶାଳ ସ୍କୋର କରିଛି। ଆଉ ଭାରତ ସାମ୍ନାରେ ୪୦୬ ରନର ରହିଛି ବିଜୟ ଲକ୍ଷ୍ୟ। ଅମୀର ଜାଙ୍ଗୁ ୧୧୪ ରନ, ଜନ କ୍ୟାମ୍ପବେଲ୍ ୧୦୧ ରନ ଏବଂ ଅଧିନାୟକ ସାଇ ହୋପ ୧୦୪ ରନର ଚମତ୍କାର ଶତକୀୟ ଇନିଂସ ଖେଳିଛନ୍ତି। ଇଣ୍ଡିଜ ବୋଲରଙ୍କ ଆଗରେ ବିବଶ ନଜର ଆସିଥିଲେ ଭାରତୀୟ ବୋଲର। ଉଲ୍ଲେଖନୀୟ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍।

ଫ୍ଲପ୍ ହେଲେ ଭାରତୀୟ ବୋଲର

ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ଭାରତୀୟ ଅଧିନାୟକ ଶୁଭମନ ଗିଲଙ୍କ ରଣନୀତି ପ୍ରଥମ ଇନିଂସରେ ସମ୍ପୂର୍ଣ୍ଣ ଭୁଲ୍ ପ୍ରମାଣିତ ହୋଇଛି। ଭାରତୀୟ ବୋଲିଂ ଆକ୍ରମଣ ସମ୍ପୂର୍ଣ୍ଣ ବିଫଳ ରହିଛି। ଦ୍ରୁତ ବୋଲରମାନେ ୯ରୁ ଅଧିକ ଇକୋନମିରେ ରନ୍ ବ୍ୟୟ କରିଥିବାବେଳେ ସ୍ପିନରମାନଙ୍କ ଇକୋନମି ମଧ୍ୟ ୬ରୁ ଅଧିକ ରହିଥିଲା। ଭାରତ ପକ୍ଷରୁ ଗୁରୁନୂର ବ୍ରାର, କୁଲଦୀପ ଯାଦବ ଏବଂ ରବୀନ୍ଦ୍ର ଜାଡେଜା ସର୍ବାଧିକ ୨ଟିଜେଖାଁଏ ୱିକେଟ୍ ଅଧିକାର କରିଛନ୍ତି। କିନ୍ତୁ ଗୁରୁନୂର ବ୍ରାର ସବୁଠାରୁ ମହଙ୍ଗା ସାବତ ହୋଇ ୧୦ ଓଭରରେ ୯୬ ରନ୍ ଖର୍ଚ୍ଚ କରିଥିଲେ।

Also Read: ଗିଲଙ୍କ ନମ୍ବର ଓ୍ଵାନ ଆସନ ପ୍ରତି ବିପଦ ସୃଷ୍ଟି କଲେ ବିରାଟ କୋହଲି, ଟପ୍-୫ରେ କୁଲଦୀପଙ୍କ ଏଣ୍ଟ୍ରି

ଭାରତ ସାମ୍ନାରେ ସବୁଠୁ ବଡ଼ ଚେଜ୍ ଚ୍ୟାଲେଞ୍ଜ

ଏହି ବିଶାଳ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଭାରତକୁ ଏହାର ଦିନିକିଆ ଇତିହାସର ସବୁଠୁ ବଡ଼ ସଫଳ ରନ୍ ଚେଜ୍ କରିବାକୁ ପଡ଼ିବ। ଏହାପୂର୍ବରୁ ୨୦୧୩ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ସଫଳ ଭାବେ ୩୬୦ ରନ୍ ଚେଜ୍ କରିଥିଲା, ଯେଉଁଥିରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଦମଦାର ଶତକ ଦେଖିବାକୁ ମିଳିଥିଲା। ଆଜିର ମ୍ୟାଚ୍ରେ ମଧ୍ୟ ଭାରତୀୟ ଟିମକୁ ସେହିଭଳି ଏକ ଅସାଧାରଣ ପ୍ରଦର୍ଶନର ଆବଶ୍ୟକତା ରହିଛି।

ୱେଷ୍ଟଇଣ୍ଡିଜର ଆରମ୍ଭ ବିଶେଷ ଭଲ ନଥିଲା ଏବଂ ଦଳ ମାତ୍ର ୩୭ ରନରେ ନିଜର ପ୍ରଥମ ୱିକେଟ୍ ଭାବେ କିସି କାର୍ଟି (୦୯ ରନ୍)ଙ୍କୁ ହରାଇଥିଲା। କିନ୍ତୁ ଏହାପରେ ଓପନର୍ ଜନ କ୍ୟାମ୍ପବେଲ୍ ଏବଂ ଅଧିନାୟକ ସାଇ ହୋପ୍ ଦ୍ୱିତୀୟ ୱିକେଟ୍ ପାଇଁ ମାତ୍ର ୭୯ ବଲ୍ରୁ ୧୧୦ ରନର ଏକ ଦମଦାର୍ ଭାଗିଦାରୀ କରିଥିଲେ।

Also Read: ପ୍ରଜ୍ଞାନ ଓଝା ନୂଆ ସିଲେକ୍ଟର ! ଅଗରକରଙ୍କ ପରେ ସମ୍ଭାଳି ପାରନ୍ତି ଦାୟିତ୍ୱ

ଏହାପରେ ତୃତୀୟ ୱିକେଟ୍ ପାଇଁ ଅମୀର ଜାଙ୍ଗୁ ଏବଂ ସାଇ ହୋପ୍ ମିଶି ୧୩୧ ବଲରୁ ୧୮୨ ରନର ଏକ ବିଶାଳ ଶତକୀୟ ଭାଗିଦାରୀ ଯୋଡ଼ିଥିଲେ। ଏହି ଦୁଇଟି ମଜଭୁତ ଭାଗିଦାରୀ ବଳରେ ହିଁ ୱେଷ୍ଟଇଣ୍ଡିଜ୍ ୪୦୦ ରନର ଅତିକ୍ରମ କରିପାରିଥିଲା। ଗୋଟିଏ ସମୟରେ ଏଭଳି ମନେ ହେଉଥିଲା ଯେ ୱେଷ୍ଟଇଣ୍ଡିଜ୍ ସହଜରେ ୪୫୦ ରନର ସ୍କୋର ମଧ୍ୟ ପାର୍ କରିଯିବ, କିନ୍ତୁ ଶେଷ ଓଭରଗୁଡ଼ିକରେ ଭାରତୀୟ ବୋଲରମାନେ କିଛି ମାତ୍ରାରେ ରନ୍ ଗତିକୁ ନିୟନ୍ତ୍ରଣକୁ ଆଣିଥିଲେ।