ମୁମ୍ବାଇ, ୩୦/୦୯ :ଅଗରକରଙ୍କ ପରେ କିଏ । କିଏ ସମ୍ଭାଳିବ ଟିମ୍ ଇଣ୍ଡିଆର ଚିଫ୍ ସିଲେକ୍ଟର ପଦ । ଏପରି ଅନେକ ପ୍ରଶ୍ନ ଫ୍ୟାନ୍ସଙ୍କ ମନରେ । ତେବେ ବୋର୍ଡରେ ଖୁବ୍ ଶୀଘ୍ର ବଡ ପରିବର୍ତ୍ତନ ଘଟିପାରେ । ଭାରତୀୟ ଦଳର ପୂର୍ବତନ କ୍ରିକେଟର ପ୍ରଜ୍ଞାନ୍ ଓଝା ଅଜିତ ଅଗରକରଙ୍କ ପରେ ଦଳର ମୁଖ୍ୟ ସିଲେକ୍ଟର ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏବେ ପ୍ରଜ୍ଞାନ୍ ଚାରି ସଦସ୍ୟ ବିଶିଷ୍ ଚୟନ କମିଟିର ଅନ୍ତରୀଣ ପ୍ରମୁଖ ରହିଛନ୍ତି ।

ସେପ୍ଟେମ୍ବର୨୯ତାରିଖରେ ଗୌହାଟୀରେ ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏବଂ ଚୟନ କମିଟିର ଅଧିକାରୀଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ପ୍ରଜ୍ଞାନଙ୍କ ସହ ଶିବ ସୁନ୍ଦର ଦାଶ, ଅଜୟ ରାତ୍ରା ଏବଂ ଆରପି ସିଂ ଉପସ୍ଥିତ ଥିଲେ । କିନ୍ତୁ ଅଜିତ ଅଗରକର ବୈଠକରେ ସାମିଲ ହୋଇନଥିଲେ ।

ବୈଠକରେ ଭାରତୀୟ ଦଳର ଆଗାମୀ ନ୍ୟୁଜିଲାଣ୍ଡ ଗସ୍ତ ବାବଦରେ ଆଲୋଚନା ହୋଇଥିଲା । ଏହି ଗସ୍ତରେ ଦଳ ଟି୨୦ଏବଂ ଟେଷ୍ଟ୍ ମୁକାବିଲା ଖେଳିବ । ସେହିପରି୫ଟି ଦିନିକିଆ ମ୍ୟାଚ୍ ମଧ୍ୟ ଖେଳିବ । ଏହା ବ୍ୟତୀତ ଇଣ୍ଡିଆ-ଏ ଟିମ୍ ମଧ୍ୟ ନ୍ୟୁଜିଲାଣ୍ଡରେ ତିନୋଟି ଟେଷ୍ଟ୍ ମ୍ୟାଚ୍ ଖେଳିବ ।

ସୂଚନାଯୋଗ୍ୟ, ପ୍ରଜ୍ଞାନ ଓଝା ଭାରତ ପାଇଁ୨୪ଟି ଟେଷ୍ଟ୍,୧୮ଟି ଦିନିକିଆ ଏବଂ୬ଟି ଟି୨୦ମ୍ୟାଚ୍ ଖେଳିଛନ୍ତି । ସେ ବାମହାତୀ ସ୍ପିନର ଥିଲେ । ତାଙ୍କୁ ଚୟନ କମିଟିର ଅନ୍ତରୀଣ ମୁଖ୍ୟ ଭାର ପ୍ରଦାନ କରାଯାଇଛି ।

ଅନ୍ୟ ଦିଗରେ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଅକ୍ଟୋବର ୪ରେ ଶେଷ ହେବାକୁ ଯାଉଛି । ସେ ଏହି ପଦରେ ଆଉ ରହିବେ ନାହିଁ ବୋଲି ବିସିସିଆଇକୁ ଜଣାଇ ଦେଇଛନ୍ତି । ବୋର୍ଡ ୨୦୨୭ ବିଶ୍ୱକପକୁ ନଜରରେ ରଖି ମୁଖ୍ୟ ଚୟନକର୍ତ୍ତା ନିଯୁକ୍ତି କରିବ । ଯାହା ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି କ୍ରିକେଟ୍ ସମୀକ୍ଷକ ମତ ଦେଉଛନ୍ତି ।