ହାମିଲଟନ: ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଭାରତ ଯେଉଁଭଳି ଆରମ୍ଭ କରିଥିଲା ସେମିତି ଶେଷ କରି ପାରିନି। ପ୍ରଥମ ତିନୋଟି ଟି-୨୦ ଜିତି ଦମଦାର ଫର୍ମରେ ଥିବା ଭାରତ ଶେଷ ଦୁଇଟି ଟି-୨୦ରେ ପରାଜୟ ଭୋଗିବା ସିରିଜ ବିଜୟ ଉତ୍ସବକୁ ଫିକା କରି ଦେଇଛି। ଆଜି ହାମିଲଟନର ସେଡନ ପାର୍କରେ ଖେଳା ଯାଇଛି ପଞ୍ଚମ ଟି-୨୦। ଘରୋଇ ନ୍ୟୁଜିଲାଣ୍ଡ ସହଜରେ ଭାରତକୁ ୭ ଓ୍ଵିକେଟରେ ପରାଜୟ କରି ନିଜର ସମ୍ମାନ ରଖି ପାରିଛି। ଭାରତ ଅବଶ୍ୟ ସିରିଜ୍ ୩-୨ରେ ଜିତିଛି। ଭାରତ ପ୍ରଥମେ ବ୍ୟାଟିଂ କରି ଇଶାନ କିଶନଙ୍କ ୬୧ ରନ ଓ ଶ୍ରେୟସ ଆୟରଙ୍କ ୫୦ ରନ ବଳରେ ୮ ଓ୍ଵିକେଟ୍ ହରାଇ ୧୯୧ ରନ କରିଥିଲା। ଜବାବରେ କିଓ୍ଵି ଦଳ ଟିମ୍ ସେଇଫର୍ଟଙ୍କ ଦମଦାର ୯୩ ରନ ଓ ଗ୍ଲେନ ଫିଲିପ୍ସଙ୍କ ୬୪ ରନ ବଳରେ ୧୨ଟି ବଲ୍ ବାକି ଥାଇ ମ୍ୟାଚ୍ ଜିତି ନେଇଛି। ଟି-୨୦ ସିରିଜ୍ ପରେ ନଭେମ୍ବର ୪ରୁ ଆରମ୍ଭ ହେବ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍।

୧୯୨ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା କିଓ୍ଵି ଦଳକୁ ୯ ରନ ସ୍କୋରେ ପ୍ରଥମ ଝଟକା ଲାଗିଥିଲା। ଫିନ ଆଲେନ ୨ ରନ କରି ଆଉଟ୍ ହୋଇଥିଲେ। ହେଲେ ଏହା ପରେ ଟିମ୍ ସେଇଫର୍ଟ ଓ ଡାରିଲ ମିଚେଲ୍ ଭାରତୀୟ ବୋଲରଙ୍କ ଉପରେ ପ୍ରତିଆକ୍ରମଣ କରିଥିଲେ। ଦୁହେଁ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୭୩ ରନ ଯୋଡ଼ି ବିଜୟ ପାଇଁ ମୂଳଦୁଆ ପକାଇଥିଲେ। ମିଚେଲ୍ ୨୯ ରନ କରି ପାଭିଲିୟନ ଫେରିଥିଲେ। ଅନ୍ୟପଟେ ସେଇଫର୍ଟ ଅର୍ଦ୍ଧଶତକ ହାସଲ କରିବା ସହ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ।

Also Read: ସମସ୍ତଙ୍କୁ ଖୁସି କରିବା ମୋ କାମ ନୁହେଁ: ବୈଭବ ନ ଖେଳିବା ନେଇ ସମାଲୋଚନା ପରେ ଏମିତି କହିଲେ ଗୌତମ ଗମ୍ଭୀର

ଫର୍ମରେ ଥିବା ଗ୍ଲେନ ଫିଲିପ୍ସ କ୍ରିଜକୁ ଆସିବା ମାତ୍ରେ ଭାରତୀୟ ବୋଲରଙ୍କୁ ଚାପରେ ରଖିଥିଲେ। ଦୁହେଁ ୮୬ ରନ ଯୋଡ଼ି ଦଳର ବିଜୟ ସୁନିଶ୍ଚିତ କରିଥିଲେ। ସେଇଫର୍ଟ ୫୦ ବଲରୁ ୧୧ ଚୌକା ଓ ୫ ଛକା ସହ ୯୩ ରନର ଇନିଂସ ଖେଳି ଆଉଟ୍ ହୋଇଥିଲେ। ୧୮ ଓଭରରେ ନ୍ୟୁଜିଲାଣ୍ଡ ୩ ଓ୍ଵିକେଟ୍ ହରାଇ ସହୟରେ ୧୯୨ ରନର ଲକ୍ଷ୍ୟ ହାସଲ କରି ନେଇଛି। ପୂରା ସିରିଜରେ ଦମଦାର ପ୍ରଦର୍ଶନ କରିଥିବା ଫିଲିପ୍ସ ପୁଣି ଏକ ଅର୍ଦ୍ଧଶତକୀୟ ଇନିଂସ ଖେଳି ୩୮ ବଲରୁ ୮ ଚୌକା ଓ ୩ ଛକା ସହ ଅପରାଜିତ ୬୫ ରନ କରିଥିଲେ। ଭାରତୀୟ ଦଳ ପକ୍ଷରୁ ସବୁ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ।