ଲର୍ଡ୍ସ: ଦିନିକିଆ ସିରିଜର ନିର୍ଣ୍ଣାୟକ ମ୍ୟାଚରେ ଭାରତୀୟ ବୋଲରଙ୍କୁ ନିର୍ମମ ପ୍ରହାର। ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଖେଳା ଯାଉଥିବା ତୃତୀୟ ତଥା ଅନ୍ତିମ ମ୍ୟାଚରେ ଘରୋଇ ଇଂଲଣ୍ଡ ୩ ଓ୍ଵିକେଟ୍ ହରାଇ ୩୮୭ ରନର ବିଶାଳ ସ୍କୋର କରିଛି। ସିରିଜ୍ ଜିତିବା ପାଇଁ ଭାରତ ସାମ୍ନାରେ ରହିଛି ୩୮୮ ରନର ପାହାଡ଼ ସଦୃଶ୍ୟ ବିଜୟ ଲକ୍ଷ୍ୟ। ଇଂଲଣ୍ଡ ପକ୍ଷରୁ ବେନ ଡକେଟ୍ ୧୪୧ ରନର ମାରାଥନ ଇନିଂସ ଖେଳିଥିବା ବେଳେ ଜାବକ ବେଥେଲ ୯୧ ରନ ଓ ଜୋ ରୁଟ୍ ଦ୍ରୁତ ୭୪ ରନ କରିଛନ୍ତି। ଜୋସ ବଟଲର ମାତ୍ର ୧୩ ବଲରୁ ୪୧ ରନ କରି ଇଂଲଣ୍ଡର ସ୍କୋରକୁ ୩୫୦ ପାର୍ କରିବାରେ ସାହାଯ୍ୟ କରିଛନ୍ତି। ଭାରତ ପକ୍ଷରୁ ପ୍ରସିଦ୍ଧ କୃଷ୍ଣ ୬୯ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ସବୁଠୁ ବଡ଼ କଥା ଲର୍ଡ୍ସରେ ଦିନିକିଆ ଇତିହାସରେ ସର୍ବବୃହତ ସ୍କୋର କରିଛି ଇଂଲଣ୍ଡ। ସେ ପୁଣି ଭାରତ ବିରୋଧରେ ଆସିଛି।

ମ୍ୟାଚରେ ଇଂଲଣ୍ଡ ପାଇଁ ବେନ୍ ଡକେଟ୍ ଏବଂ ଯୁବ ବ୍ୟାଟର ଜାକବ୍ ବେଥେଲ୍ ପ୍ରାରମ୍ଭରୁ ହିଁ ଭାରତୀୟ ବୋଲରଙ୍କ ଉପରେ ବର୍ଷିଥିଲେ। ଉଭୟ ପ୍ରଥମ ୱିକେଟ୍ ପାଇଁ ମାତ୍ର ୩୦.୧ ଓଭରରେ ୧୯୨ ରନର ଏକ ବିଶାଳ ଓପନିଂ ପାର୍ଟନରସିପ୍ କରିଥିଲେ। ଦିନିକିଆ କ୍ରିକେଟ ଇତିହାସରେ ଲର୍ଡସ ମୈଦାନରେ ଏହା ସବୁଠାରୁ ବଡ଼ ଓପନିଂ ଭାଗିଦାରୀ। ବେଥେଲ୍ ୯୩ଟି ବଲରୁ ୧୧ଟି ଚୌକା ଓ ୨ଟି ଛକା ସହ ୯୧ ରନ୍ କରି ଆଉଟ୍ ହୋଇଥିବା ବେଳେ ପ୍ରସିଦ୍ଧ କୃଷ୍ଣ ତାଙ୍କ ୱିକେଟ୍ ନେଇଥିଲେ।

ଲର୍ଡସ ମଇଦାନରେ ଡକେଟଙ୍କ ସର୍ବବୃହତ ସ୍କୋର ଓ ବିରଳ ରେକର୍ଡ

ଓପନର ବେନ୍ ଡକେଟ୍ ଭାରତୀୟ ବୋଲିଂ ଆକ୍ରମଣକୁ ଧୂଳିସାତ୍ କରି ୧୩୫ଟି ବଲରେ ୧୪୧ ରନର ଏକ ସ୍ମରଣୀୟ ତଥା ଐତିହାସିକ ଇନିଂସ ଖେଳିଥିଲେ। ତାଙ୍କର ଏହି ଚମତ୍କାର ଇନିଂସରେ ୧୮ଟି ଚୌକା ଏବଂ ଗୋଟିଏ ଛକା ସାମିଲ ଥିଲା। ଦିନିକିଆ କ୍ରିକେଟ ଇତିହାସରେ ଲର୍ଡସ ଗ୍ରାଉଣ୍ଡରେ ଏହା କୌଣସି ବି ବ୍ୟାଟର ଦ୍ୱାରା କରାଯାଇଥିବା ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର। ଏହି ଶତକ ସହ ଡକେଟ୍ ବିଶ୍ୱର ମାତ୍ର ଷଷ୍ଠ ଖେଳାଳି ଭାବେ ଲର୍ଡସ ମଇଦାନରେ ଟେଷ୍ଟ ଏବଂ ଦିନିକିଆ ଉଭୟ ଫର୍ମାଟରେ ଶତକ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି।

ଅପରାଜିତ ରହିଲେ ଜୋ ରୁଟ୍

ମଧ୍ୟକ୍ରମରେ ଇଂଲଣ୍ଡ ଦଳ କିଛି ସମୟ ପାଇଁ ଧିମେଇ ଯାଇଥିଲା ଏବଂ ଦଳ ୩୫୦ ରନ୍ ମଧ୍ୟରେ ସୀମିତ ରହିଯିବ ବୋଲି ମନେହେଉଥିଲା। କିନ୍ତୁ ଜୋସ୍ ବଟଲର କ୍ରିଜ୍କୁ ଆସିବା ମାତ୍ରେ ମ୍ୟାଚ୍ର ମୋଡ଼ ବଦଳାଇ ଦେଇଥିଲେ। ସେ ମାତ୍ର ୧୩ଟି ବଲରୁ ୩୧୫ରୁ ଅଧିକ ଷ୍ଟ୍ରାଇକ୍ ରେଟରେ ୪ଟି ଚୌକା ଓ ୩ଟି ଛକା ସହାୟତାରେ ୪୧ ରନର ବିଧ୍ୱଂସୀ ଇନିଂସ ଖେଳି ଦଳୀୟ ସ୍କୋରକୁ ୪୦୦ ରନ୍ ପାଖାପାଖି ପହଞ୍ଚାଇଥିଲେ। ଅନ୍ୟପଟେ ଷ୍ଟାର ବ୍ୟାଟର ଜୋ ରୁଟ୍ ପୂରା ସିରିଜରେ ଅପରାଜିତ ରହିବାର ଏକ ନୂଆ ରେକର୍ଡ କରିଛନ୍ତି। ପ୍ରଥମ ଦୁଇଟି ମ୍ୟାଚ୍ ପରି ତୃତୀୟ ଦିନିକିଆରେ ମଧ୍ୟ ସେ ୪୮ଟି ବଲରୁ ୭୪ ରନ୍ କରି ଅପରାଜିତ ଫେରିଛନ୍ତି।

ଭାରତୀୟ ବୋଲର ଗୁରନୂର ବ୍ରାରଙ୍କ ନାମରେ ଅଲୋଡ଼ା ରେକର୍ଡ

ଚଳିତ ମ୍ୟାଚ୍ ଭାରତୀୟ ବୋଲରଙ୍କ ପାଇଁ ବେଶ୍ ନିରାଶାଜନକ ରହିଥିଲା। ବିଶେଷ କରି ଯୁବ ବୋଲର ଗୁରନୂର ବ୍ରାର ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ସେ ନିଜର ୧୦ ଓଭର ସ୍ପେଲ୍ରେ ମୋଟ ୯୭ ରନ୍ ବ୍ୟୟ କରିଛନ୍ତି। ଏହାସହ ଦିନିକିଆ କ୍ରିକେଟ ଇତିହାସରେ ଗୋଟିଏ ମ୍ୟାଚରେ ସବୁଠାରୁ ଅଧିକ ରନ୍ ଦେଇଥିବା ଭାରତୀୟ ବୋଲରଙ୍କ ତାଲିକାରେ ସେ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ଅନ୍ୟପଟେ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣ କିଛି ମାତ୍ରାରେ ନିୟନ୍ତ୍ରିତ ବୋଲିଂ କରି ୧୦ ଓଭରରେ ୨ଟି ମେଡେନ୍ ସହ ୬୯ ରନ୍ ଦେଇ ୨ଟି ସଫଳତା ହାସଲ କରିଛନ୍ତି।