ବର୍ମିଂହାମ: ବର୍ମିଂହାମର ଏଜବାଷ୍ଟନରେ ଖେଳା ଯାଉଛି ପ୍ରଥମ ଦିନିକିଆ। ମ୍ୟାଚରେ ଘରୋଇ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୨୫୮ ରନ କରିଛି। ଏକଦା ୬ ଓ୍ଵିକେଟ୍ ହରାଇ ୧୦୭ ରନ କରିଥିବା ଇଂଲଣ୍ଡ ଜୋ ରୁଟଙ୍କ ୭୬ ରନ ଓ ଲିୟାମ ଡାସନଙ୍କ ୬୮ ରନ ବଳରେ ଏହି ସମ୍ମାନ ଜନକ ସ୍କୋରରେ ପହଞ୍ଚି ପାରିଛି। ଭାରତ ଆଗରେ ୨୫୯ ରନର ବିଜୟ ଲକ୍ଷ୍ୟ ରହିଛି। ବୋଲିଂରେ ଭାରତ ପକ୍ଷରୁ ଅକ୍ଷର ପଟେଲ୍ ସର୍ବାଧିକ ୪ ଓ୍ଵିକେଟ୍ ନେଇଛନ୍ତି।

ପ୍ରଥମ ଦିନିକିଆରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ଘରୋଇ ଇଂଲଣ୍ଡ ଦଳ। ଦଳର ଦୁଇ ଓପନର ବେନ୍ ଡକେଟ୍ ଏବଂ ଜ୍ୟାକବ୍ ବେଥେଲ୍ ଆରମ୍ଭରୁ ଭଲ ଖେଳି ୧୨.୨ ଓଭରରେ ୬୧ ରନର ପାର୍ଟନରସିପ୍ କରିଥିଲେ। ତେବେ ବେଥେଲ୍ ୩୧ ବଲରୁ ୧୪ ରନ୍ କରି ଆଉଟ୍ ହେବା ପରେ ଇଂଲଣ୍ଡର ବ୍ୟାଟିଂ ଲାଇନଅପ୍ରେ ମହା ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା।

ତାସଘର ଭଳି ଭୁଶୁଡ଼ି ପଡ଼ିଲା ମିଡିଲ୍ ଅର୍ଡର

ପ୍ରଥମ ୱିକେଟ୍ ପଡ଼ିବା ପରେ ସେହି ଓଭରର ଚତୁର୍ଥ ବଲରେ ଗୁରନୁର ବ୍ରାର୍ ଇଂଲଣ୍ଡକୁ ଦ୍ୱିତୀୟ ଝଟକା ଦେଇଥିଲେ। ବେନ୍ ଡକେଟ୍ ୪୫ ବଲରେ ୨ଟି ଛକା ଓ ୬ଟି ଚୌକା ସହ ୪୩ ରନ୍ କରି ପଭିଲିୟନ ଫେରିଥିଲେ। ଏହା ପରେ ଦଳର ସ୍କୋର ୬୪ ରନ୍ ଥିବାବେଳେ ଅଧିନାୟକ ହ୍ୟାରୀ ବ୍ରୁକ୍ (୧ ରନ୍) ମଧ୍ୟ ଆଉଟ୍ ହୋଇଯାଇଥିଲେ।

ମ୍ୟାଚ୍ର ୧୭ତମ ଓଭରରେ ଇଂଲଣ୍ଡକୁ ପୁଣି ଦୁଇଟି ବଡ଼ ଧକ୍କା ଲାଗିଥିଲା। ଜୋସ୍ ବଟଲର୍ ମାତ୍ର ୫ ରନ୍ କରି ଆଉଟ୍ ହେଲେ। ସ୍ୟାମ୍ କରନ୍ ଖାତା ଖୋଲିବା ପୂର୍ବରୁ (୦) ପଭିଲିୟନ ଫେରିଲେ। ୱିଲ୍ ଜ୍ୟାକ୍ସ ଦଳୀୟ ସ୍କୋର ୧୦୭ ଥିବା ବେଳେ ଜ୍ୟାକ୍ସ (୨୦ ରନ୍) ମଧ୍ୟ ନିଜ ୱିକେଟ୍ ହରାଇଥିଲେ। ଏହିପରି ଭାବେ ଇଂଲଣ୍ଡର ସ୍କୋର ବିନା ୱିକେଟ୍ରେ ୬୧ ରନରୁ ସିଧା ୧୦୭ ରନ୍ରେ ୬ ୱିକେଟ୍ ହୋଇଯାଇଥିଲା।

ରୁଟ୍ ଓ ଡସନଙ୍କ ସଂକଟମୋଚକ ପାଳି

୬ଟି ୱିକେଟ୍ ହରାଇ ଦଳ ସଂକଟରେ ଥିବା ବେଳେ ଅଭିଜ୍ଞ ବ୍ୟାଟର ଜୋ ରୁଟ୍ ଏବଂ ଲିଆମ୍ ଡସନ ଦଳର ମୋର୍ଚ୍ଚା ସମ୍ଭାଳିଥିଲେ। ଦୁହେଁ ସପ୍ତମ ୱିକେଟ୍ ପାଇଁ ୧୩୪ଟି ବଲରେ ୧୨୧ ରନର ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ କରି ଦଳକୁ ଏକ ସମ୍ମାନଜନକ ସ୍କୋର ଆଡ଼କୁ ନେଇଥିଲେ। ଲିଆମ୍ ଡସନ ୮୩ ବଲରୁ ୭ଟି ଚୌକା ସହ ୬୮ ରନର ଏକ ଚେତାବନୀପୂର୍ଣ୍ଣ ପାଳି ଖେଳିଥିଲେ। ଜୋ ରୁଟ୍ ୭ଟି ଚୌକା ସହାୟତାରେ ୭୬ ରନର ଧୈର୍ଯ୍ୟପୂର୍ଣ୍ଣ ଇନିଂସ ଖେଳି ଦଳକୁ ବିପଦରୁ ଉଦ୍ଧାର କରିଥିଲେ। ତେବେ ଅକ୍ଷର ପଟେଲ ଲଗାତାର ଦୁଇଟି ଓ୍ଵିକେଟ୍ ନେଇ ଇଂଲଣ୍ଡ ଇନିଂସକୁ ୨୫୮ ରନରେ ଅନ୍ତ ଘଟାଇଥିଲେ।