ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ଟେଷ୍ଟ କ୍ରିକେଟରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛି। ମୁଲ୍ଲାନପୁରରେ ଖେଳାଯାଇଥିବା ଏକମାତ୍ର ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରି ଆଫଗାନିସ୍ତାନକୁ ଇନିଂସ ଏବଂ ୩୦୦ ରନର ବିଶାଳ ବ୍ୟବଧାନରେ ହରାଇଛି। ଏହା ସହିତ ଭାରତ ନିଜର ୯୨ ବର୍ଷର ଟେଷ୍ଟ ଇତିହାସରେ ଇନିଂସ ଏବଂ ରନ ବ୍ୟବଧାନ ଦୃଷ୍ଟିରୁ ସର୍ବବୃହତ ବିଜୟ ହାସଲ କରିଛି। ପୂର୍ବରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଥିବା ୨୭୨ ରନର ବିଜୟ ରେକର୍ଡକୁ ଏବେ ପଛରେ ପକାଇ ଦେଇଛି ଟିମ୍ ଇଣ୍ଡିଆ।

ବ୍ୟାଟରଙ୍କ ଦବଦବା

ମ୍ୟାଚ୍ ଆରମ୍ଭରୁ ହିଁ ଭାରତୀୟ ବ୍ୟାଟରମାନେ ଆଫଗାନିସ୍ତାନ ବୋଲରଙ୍କ ଉପରେ ପ୍ରାଧ୍ୟାନ୍ୟ ବିସ୍ତାର କରିଥିଲେ। ଭାରତ ନିଜର ପ୍ରଥମ ଇନିଂସରେ ୮ ୱିକେଟ ହରାଇ ୫୬୪ ରନର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା। ଦଳ ପକ୍ଷରୁ ଶୁଭମନ ଗିଲ୍ ଏବଂ କେ.ଏଲ୍. ରାହୁଲ ଚମତ୍କାର ବ୍ୟାଟିଂ କରି ଶତକ ହାସଲ କରିଥିବା ବେଳେ ଋଷଭ ପନ୍ତ ଏବଂ ଯୁବ ତାରକା ସାଇ ସୁଦର୍ଶନ ୮୧ ରନ ଲେଖାଏଁ ଯୋଗଦାନ ଦେଇଥିଲେ। ଶେଷ ଆଡ଼କୁ ୱାଶିଂଟନ ସୁନ୍ଦରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଭାରତର ସ୍ଥିତିକୁ ଆହୁରି ମଜବୁତ କରିଦେଇଥିଲା।

Also Read: ଖୁବ୍ ଶୀଘ୍ର ମୁମ୍ବାଇ ଇଣ୍ଡିଆନ୍ସ ଛାଡିବେ ସୂର୍ଯ୍ୟ କୁମାର ! ଇନଷ୍ଟାଗ୍ରାମ୍ ଦେଖି ଫ୍ୟାନ୍ସ କରୁଛନ୍ତି ପ୍ରଶ୍ନ

ଡେବ୍ୟୁ ମ୍ୟାଚରେ ମାନବଙ୍କ ଜଲୱା

ଭାରତୀୟ ବୋଲରଙ୍କ ଶାଣିତ ଆକ୍ରମଣ ଆଗରେ ଆଫଗାନିସ୍ତାନର କୌଣସି ବ୍ୟାଟର ବେଶି ସମୟ ତିଷ୍ଠି ପାରିନଥିଲେ। ପ୍ରଥମ ପାରିରେ ଆଫଗାନିସ୍ତାନ ମାତ୍ର ୧୫୨ ରନରେ ସୀମିତ ରହିଥିଲା। ନିଜର ପ୍ରଥମ ଆନ୍ତର୍ଜାତୀୟ ଟେଷ୍ଟ ଖେଳୁଥିବା ମାନବ ସୁଥାର ଏକାକୀ ୬ଟି ୱିକେଟ ନେଇ ବିରୋଧୀ ଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଫଲୋ-ଅନ୍ର ସମ୍ମୁଖୀନ ହୋଇ ଦ୍ୱିତୀୟ ପାରି ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଆଫଗାନିସ୍ତାନ ଦଳ ମାତ୍ର ୧୧୨ ରନରେ ଅଲଆଉଟ୍ ହୋଇଯାଇଥିଲା। ଏହି ପାରିରେ ୱାଶିଂଟନ ସୁନ୍ଦର ୪ଟି ୱିକେଟ ନେଇ ବିଜୟକୁ ସହଜ କରିଦେଇଥିଲେ।

ଭାରତର ଶ୍ରେଷ୍ଠ ୫ ବଡ଼ ବିଜୟ

ଏହି ସଫଳତା ସହ ଭାରତର ଶ୍ରେଷ୍ଠ ବିଜୟ ତାଲିକାରେ ବଡ଼ ପରିବର୍ତ୍ତନ ଆସିଛି। ଏବେ ଭାରତର ସବୁଠାରୁ ବଡ଼ ପାଞ୍ଚଟି ବିଜୟ ହେଉଛି।

ବନାମ ଆଫଗାନିସ୍ତାନ (୨୦୨୬): ଇନିଂସ ଏବଂ ୩୦୦ ରନ।

ବନାମ ୱେଷ୍ଟଇଣ୍ଡିଜ୍ (୨୦୧୮): ଇନିଂସ ଏବଂ ୨୭୨ ରନ।

ବନାମ ଆଫଗାନିସ୍ତାନ (୨୦୧୮): ଇନିଂସ ଏବଂ ୨୬୨ ରନ।

ବନାମ ବାଂଲାଦେଶ (୨୦୦୭): ଇନିଂସ ଏବଂ ୨୩୯ ରନ।

ବନାମ ଶ୍ରୀଲଙ୍କା (୨୦୧୭): ଇନିଂସ ଏବଂ ୨୩୯ ରନ।