କିଭ୍, ୧୯ /୦୩: ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଛି ଭୟଙ୍କର ସଙ୍ଘର୍ଷ । ୟୁକ୍ରେନ ଶକ୍ତିଶାଳୀ ଋଷର ମୁକାବିଲା କରୁଛି । ପୁଟିନଙ୍କ ସେନାର ଜବାବ ଦେଉଛି । କିନ୍ତୁ ଦୁଇ ଦେଶ ମଧ୍ୟରେ ଲାଗିଥିବା ଯୁଦ୍ଧରେ ସାଧାରଣ ଲୋକଙ୍କ ଜୀବନ ଦୁର୍ବିଶୟ ହୋଇ ପଡିଛି । କେଉଁଠି ଖାଇବାକୁ ମିଳୁନି ତ ଆଉ କେଉଁଠି ଲୋକେ ବାସହରା ହେଲେଣି । ଏଭଳି ସ୍ଥିତିରେ ୟୁକ୍ରେନରେ ଶିକ୍ଷାବ୍ୟବସ୍ଥା ଭୁଶୁଡି ପଡିଛି । ପିଲା ସ୍କୁଲ ଯାଉନଥିବା ଜଣାପଡିଛି । ଆଉ କିଛି ଜାଗାରେ ମାଟି ତଳେ ଚାଲିଛି ପାଠପଢା ।

ପ୍ରଧାନ ଶିକ୍ଷକଙ୍କ କୋହଭରା କଥା

ୟୁକ୍ରେନର ଖାରକିଭ୍ ହେଉଛି ଦେଶର ଦ୍ୱିତୀୟ ବୃହତ ସହର । ଏଠାକାର ଏକ ସ୍କୁଲର ପ୍ରଧାନ ଶିକ୍ଷକ ମାକସିମ୍ ଟ୍ରାଇଷ୍ଟାପସନ୍ କହିଛନ୍ତି ଯେ, ସେ ଋଷିଆ ସୀମାରୁ ମାତ୍ର ୪୦ କିଲୋମିଟର ଦୂରରେ ରହୁଛନ୍ତି । ତାଙ୍କୁ ଛାତ୍ରଛାତ୍ରୀଙ୍କୁ ଦେଖିବା ପାଇଁ ଘର ଛାଡି ଯିବାକୁ ପଡୁନାହିଁ । ତାଙ୍କ ସ୍କୁଲ ଓଲେକାସଣ୍ଡଡର୍ ଷ୍ଟେସନ ଭିତରେ ରହିଛି । ତେବେ ଏହି ଷ୍ଟେସନ ବନ୍ଦ ହୋଇ ପଡିଛି । ଏଠାରେ କୌଣସି ଟ୍ରେନ୍ ଯିବା ଆସିବା କରୁ ନାହିଁ । ସେଠାରେ ପ୍ରାୟ ୨ ହଜାର ଛାତ୍ରଛାଚ୍ରୀ ପାଠ ପଢୁଛନ୍ତି ।

ପ୍ରଧାନ ଶିକ୍ଷକ କହିଛନ୍ତି ଯେ, ଯୁଦ୍ଧ ବିଷୟରେ ଭାବିବାର ଆବଶ୍ୟକତା ନାହିଁ । ସ୍କୁଲଟି ସୁରକ୍ଷିତ ସ୍ଥାନରେ ଅଛି । ସେ କେବଳ ଛାତ୍ରଛାତ୍ରୀଙ୍କ ପାଠପଢା କଥା ଭାବୁଛନ୍ତି । ଏପରିକି ଛାତ୍ରଛାତ୍ରୀମାନେ ମଧ୍ୟ ଏଠାରେ ପଢିବାକୁ ପସନ୍ଦ କରୁଛନ୍ତି । ନିଜ ସହପାଠୀଙ୍କ ସହ କଥାବାର୍ତ୍ତା ଏବଂ ମଜା କରି ପାରୁଥିବା ଛାତ୍ରଛାତ୍ରୀ ପ୍ରକାଶ କରିଛନ୍ତି ।

୨୦୨୨ରୁ ଅନେକ ମୃତ

୨୦୨୨ ମସିହାରୁ ୟୁକ୍ରେନରେ ୩୦୦୦ରୁ ଅଧିକ ପ୍ରାପ୍ତ ବୟସ୍କ ଏବଂ ୧୦୦ରୁ ଅଧିକ ଶିଶୁ ଋଷ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ଦିନକୁ ଅନେକ ଥର ଖାରକିଭରେ ଯୁଦ୍ଧ ସାଇରନ୍ ବାଜିଥାଏ । ତେଣୁ ଖାରକିଭର ବଙ୍କରରେ ୧୮ରୁ ଅଧିକ ସ୍କୁଲ ପରିଚାଳିତ ହେଉଛି। ଯେଉଁଥିରେ ୨୦ ହଜାରରୁ ଅଧିକ ପିଲା ପାଠ ପଢୁଛନ୍ତି । ଅର୍ଥାତ ମାଟି ତଳେ ସୁରକ୍ଷିତ ଭାବେ ସେମାନଙ୍କ ପାଠପଢା ଚାଲିଛି । ଘରେ ବସିବା ଅପେକ୍ଷା ଏଠାରେ ପିଲାମାନେ ଲାଇଟ୍ ତଳେ ପାଠ ପଢିବା ସହ ସାଙ୍ଗମାନଙ୍କ ସହ ହସଖୁସି କରୁଛନ୍ତି । ସେମାନଙ୍କୁ ମଧ୍ୟାହ୍ନ ଭୋଜନରେ ପ୍ଲାଷ୍ଟିକ ଟିଫିନରେ ପୃଷ୍ଟିକର ଖାଦ୍ୟ ପ୍ରଦାନ କରାଯାଉଛି ।

ଅଭିଭାବକଙ୍କୁ ବୁଝାଇବା କଷ୍ଟ

ସହରର ଶିକ୍ଷା ଅଧିକାରୀ ଡାରିଆ କାରଓ୍ୱିକଙ୍କ କହିବାନୁସାରେ, ପ୍ରଥମେ ପିଲାଙ୍କ ପିତା ମାତାଙ୍କୁ ବୁଝାଇବା ସହଜ ନଥିଲା । ସେମାନେ ଯୁଦ୍ଧ ପାଇଁ ପିଲାଙ୍କୁ ସ୍କୁଲ ଛାଡିବାକୁ ଚାହୁଁନଥିଲେ । ସମସ୍ତଙ୍କ ବାପା ମାଆ ସେତେ ସାହସୀ ନୁହେଁ । କିନ୍ତୁ ଶିକ୍ଷା ବିଭାଗ ସ୍କୁଲ ବସ୍ ବ୍ୟବସ୍ଥା କରିଛି । ସମସ୍ତ ଛାତ୍ରଛାତ୍ରୀ ବସରେ ସ୍କୁଲକୁ ଆସୁଛନ୍ତି । ବସରେ ହିଁ ଫେରୁଛନ୍ତି ।

ଅନେକ ସ୍କୁଲ ଧ୍ୱଂସ

ୟୁକ୍ରେନ ସରକାରଙ୍କ ତଥ୍ୟ ଅନୁସାରେ, ଯୁଦ୍ଧ ଆରମ୍ଭ ହେଲା ପରଠୁ ଦେଶରେ ୪୦୦୦ ସ୍କୁଲ, କଲେଜ ଏବଂ ଅଙ୍ଗବାଡି କେନ୍ଦ୍ର ଧ୍ୱଂସ କିମ୍ବା କ୍ଷତିଗ୍ରସ୍ତ ହୋଇଛି । ଏହି ସଂଖ୍ୟା ଖାରକିଭରେ ସର୍ବାଧିକ । ଏଠାରେ ଥିବା ୧୮୪ ରୁ୧୩୪ ସ୍କୁଲ କ୍ଷତିଗ୍ରସ୍ତ ହୋଇଛି । କିଛି ସ୍କୁଲର ପୁନଃଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଆଉ କିଛି ସବୁଦିନ ପାଇଁ ବନ୍ଦ ହୋଇଯାଇଛି ।