ଇସ୍ଲାମାବାଦ ୧୨।୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ସଂସ୍ଥାପକ ଇମ୍ରାନ ଖାନ ଦୀର୍ଘ ସମୟ ହେଲା ଅଦିୟାଲା ଜେଲରେ ବନ୍ଦୀ ଅଛନ୍ତି। ତାଙ୍କ ପରିବାର ଲୋକେ ଓ ପାର୍ଟି କାର୍ଯ୍ୟକର୍ତ୍ତା ତାଙ୍କୁ ଜେଲରେ ଅତ୍ୟନ୍ତ ଅମାନବୀୟ ଭାବେ ରଖା ଯାଇଥିବା ଅଭିଯୋଗ କରିଆସୁଛନ୍ତି। ହେଲେ ସରକାର ଅଭିଯୋଗକୁ ଅସ୍ୱୀକାର କରୁଛନ୍ତି। ଏଥିରେ ଏବେ ଇମ୍ରାନଙ୍କ ଯେଉଁ ହେଲଥ ଅପଡେଟ ଆସୁଛି ତାହା ବାସ୍ତବିକ ଡରାଇବା ଭଳି। ନିକଟରେ ଜାରି ହୋଇଥିବା ଏକ ରିପୋର୍ଟରୁ ଜଣାପଡିଛି ଯେ ଇମ୍ରାନ ଖାନ ଡାହାଣ ଆଖିର ଜ୍ୟୋତି ହରାଇଛନ୍ତି। ଇମ୍ରାନଙ୍କ ଡାହାଣ ଆଖିକୁ ମାତ୍ର ୧୫% ଦେଖା ଯାଉଛି।

ଗତ ୨୪ ଜାନୁୟାରୀ ରାତିରେ ଇସ୍ଲାମାବାଦସ୍ଥିତ ପାକିସ୍ତାନ ଇନିଷ୍ଟିଟ୍ୟୁଟ ଅଫ ମେଡିକାଲ ସାଇନ୍ସେସ (ପିଆଇଏମଏସ)ରେ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ତେବେ ପରିବାରକୁ ସୂଚନା ନଥିବାରୁ ଏହି ଘଟଣାର ପୁଷ୍ଟି ବିଳମ୍ବରେ ହୋଇଛି। ହେଲ ଡନ ସମ୍ବାଦପତ୍ର ରିପୋର୍ଟ ଅନୁସାରେ ଇାମ୍ରାନ ଖାନଙ୍କ ପକ୍ଷରୁ ତାଙ୍କ ଓକିଲ ସଲମାନ ସଫଦର ଲେଖିଛନ୍ତି ଯେ ତାଙ୍କୁ ଦିଆଯାଇଥିବା ଚିକିତ୍ସା ଓ ଇଞ୍ଜେକ୍ସନ ସତ୍ତ୍ୱେ ତାଙ୍କର ଗୋଟିଏ ଆଖିକୁ ୧୫%ରୁ କମ ଦେଖାଯାଉଛି। ତେବେ ଇମ୍ରାନ ଖାନ କହିଛନ୍ତି ଯେ ୩-୪ ମାସ ପୂର୍ବେ ଅର୍ଥାତ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ତାଙ୍କର ଦୁଇ ଆଖି ୬x୬ ବା ସମ୍ପୁର୍ଣ୍ଣ ଭଲ ଥିଲା।

ଇମ୍ରାନ ଖାନଙ୍କ ଅନୁସାରେ ଏହା ପରେ ତାଙ୍କୁ ଲାଗାତର ଅସ୍ପଷ୍ଟ ଓ ଧୂଆଁଳିଆ ଦେଖାଯିବା ସମସ୍ୟା ଲାଗି ରହିଥିଲା। ଏ ନେଇ ସେ ତତ୍କାଳୀନ ଜେଲ ଅଧିକ୍ଷକଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ। ହେଲେ ଅଧିକାରୀ ଏ ବାବଦେ କୌଣସି ପଦକ୍ଷେପ ନେଇ ନଥିଲେ। ରିପୋର୍ଟ ଅନୁସାରେ ଇମ୍ରାନ କହିଛନ୍ତି ଯେ ଏହା ପରେ ଅଚାନକ ତାଙ୍କ ଡାହାଣ ପଟ ଆଖିକୁ ଆଦୌ ଦେଖା ଯାଇନଥିଲା। ଏହା ପରେ ପିଆଇଏମଏସର ନେତ୍ର ରୋଗ ବିଶେଷଜ୍ଞ ଡ.ମୁହମଦ ଆରିଫଙ୍କୁ ଅଦିୟାଲା ଜେଲକୁ ଡକାଯାଇଥିଲା ଓ ସେ ଇମ୍ରାନଙ୍କ ଆଖି ଯାଞ୍ଚ କରିଥିଲେ।

ଡାକ୍ତରଙ୍କ ଯାଞ୍ଚରୁ ଜଣାପଡିଲା ଯେ ଇମ୍ରାନଙ୍କ ଡାହାଣ ଆଖିରେ ରକ୍ତ ଜମାଟ (ବ୍ଲଡ କ୍ଲଟ) ବାନ୍ଧି ଯାଇଛି। ଏଣୁ ଆଖି ଗୁରୁତର କ୍ଷତିଗ୍ରସ୍ତ ହୋଇଛି। ଏହା ପରେ ତାଙ୍କର ଚିକିତ୍ସା ହୋଇଥିଲା। ତେବେ ଚିକିତ୍ସା ସତ୍ତ୍ୱେ ତାଙ୍କ ଡାହାଣ ଆଖିକୁ ମାତ୍ର ୧୫% ଦେଖା ଯାଉଛି। ସଲମାନ ସଫଦର ତାଙ୍କ ରିପୋର୍ଟରେ ଲେଖିଛନ୍ତି ଯେ ‘ସେ ନିଜେ ଦେଖିଛନ୍ତି ଇମ୍ରାନ ଖାନ ଆଖିର ଜ୍ୟୋତି ହରାଇବା ଓ ସମୟରେ ଚିକିତ୍ସା ସେବା ନ ପାଇବା ଯୋଗୁ ବହୁତ ବିଚଳିତ ଓ ମାନସିକ ରୂପେ ବ୍ୟଥିତ ଥିଲେ’। ଏଥିରେ ସେ କହିଛନ୍ତି ଯେ ପୁରା ସାକ୍ଷାତ ସମୟରେ ତାଙ୍କ ଆଖିରୁ ଲୁହ ଝରୁଥିଲା ଓ ସେ ଟିସୁରେ ପୋଛୁଥିଲେ। ଯାହା ତାଙ୍କ ଶାରୀରିକ ସମସ୍ୟାକୁ ସ୍ପଷ୍ଟ ସୂଚିତ କରୁଥିଲା।

ଏଣୁ ସୁପ୍ରିମକୋର୍ଟ ଇମ୍ରାନ ଖାନଙ୍କ ଆଖିର ଯାଞ୍ଚ ଏବଂ ପିଲାଙ୍କ ସହ ଫୋନରେ କଥାବାର୍ତ୍ତା ଉଭୟ ପ୍ରକ୍ରିୟା ୧୬ ଫେବୃଆରୀ ସୋମବାର ପୂର୍ବରୁ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଦେଶ ପାକିସ୍ତାନ ପ୍ରଧାନ ବିଚାରପତି (ସିଜେପି) ୟାହ୍ୟା ଆଫ୍ରିଦୀଙ୍କ ଅଧ୍ୟକ୍ଷତାରେ ଗଠିତ ଦୁଇ ସଦସୀୟ ପୀଠ ଦେଇଛନ୍ତି, ଯେଉଁଥିଲେ ଜଷ୍ଟିସ୍ ସାହିଦ ବିଲାଲ ହସନ ମଧ୍ୟ ସାମିଲ ଅଛନ୍ତି। ଏହି ପୀଠ ଅଦିୟାଲା ଜେଲରେ ଇମ୍ରାନ ଖାନଙ୍କ ଜୀବନଶୈଳୀ ଓ ସ୍ୱାସ୍ଥ୍ୟ ସମ୍ପର୍କିତ ଆବେଦନର ଶୁଣାଣି କରିଛନ୍ତି।

ସିଜେପି ଜଷ୍ଟିସ୍ ୟାହ୍ୟା ଆଫ୍ରିଦୀ ଟିପ୍ପଣୀ କରି କହିଛନ୍ତି ଯେ ଇମ୍ରାନଙ୍କ ସ୍ୱାସ୍ଥ୍ୟ ପ୍ରସଙ୍ଗ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ସେ କହିଛନ୍ତି ଯେ ଏହି ମାମଲାରେ ହସ୍ତକ୍ଷେପ ଜରୁରି ଥିଲା। ତେବେ ସିଜେପି ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ମାମଲାରେ ସରକାରଙ୍କ ଆଭିମୁଖ୍ୟ କଣ ଓ ଇମ୍ରାନଙ୍କ ସ୍ୱାସ୍ଥ୍ୟ କୁ ନେଇ କେଉଁପଦକ୍ଷେପ ନେଇଛନ୍ତି। ଏହାର ଜବାବରେ ପାକିସ୍ତାନ ଆଟର୍ଣ୍ଣି ଜେନେରାଲ (ଏଜିପି) ମଂସୁର ଉଷ୍ମାନ ଅୱାନ କହିଛନ୍ତି ଯେ କୈଦୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ରାଜ୍ୟ ସରକାରଙ୍କ ଦାୟିତ୍ୱ। ଏଥିରେ ଯଦି ବନ୍ଦୀ ସ୍ୱାସ୍ଥ୍ୟ ସେବାରେ ସନ୍ତୁଷ୍ଟ ନୁହନ୍ତି ତେବେ ରାଜ୍ୟ ସରକାର ଜରୁରି ପଦକ୍ଷେପ ଗ୍ରହଣ କରିବେ।

ଇମ୍ରାନ ଖାନଙ୍କ ଅନୁସାରେ ଆଖି ସମସ୍ୟା ଦେଖାଯିବା ପରେ ପାଖାପାଖି ୩ ମାସ ପର୍ଯ୍ୟନ୍ତ ତାଙ୍କୁ କେବଳ ଆଖି ଡ୍ରପ ପକାଇବାକୁ ଦିଆଯାଇଥିଲା। ଏଥିରୁ କୌଣସି ଲାଭ ମିଳିନଥିଲା ଓ ଏହା ଦ୍ୱାରା ତାଙ୍କ ଡାହାଣ ଆଖିକୁ ଆଦୌ ଦେଖାଯାଇ ନଥିଲା। ଇମ୍ରାନ ଖାନ ଏହା ବି କହିଛନ୍ତି ଯେ ୭୩ ବର୍ଷ ବୟସରେ ଦାନ୍ତ ଚିକିତ୍ସକଙ୍କ ଆବଶ୍ୟକତା ଥିବା ସ୍ଥଳେ ଗତ ଦୁଇ ବର୍ଷ ହେଲା ତାଙ୍କର ଦନ୍ତ ଚିକିତ୍ସା ପାଇଁ ଜଣେ ହେଲେ ଡେଣ୍ଟିଷ୍ଟଙ୍କୁ ତାଙ୍କ ପାଖକୁ ପଠା ଯାଇ ନାହିଁ। ସଲମାନ ସଫଦରଙ୍କ ଅନୁସାରେ ଇମ୍ରାନ କହିଛନ୍ତି ଯେ ଗତ ୩ ମାସରେ ତାଙ୍କ ଆଖି ଖରାପ ହେଉଥିବା ବେଳେ ସେ ଜେଲ ଅଧିକ୍ଷକ ଅବଦୁଲ ଗଫୁର ଅଞ୍ଜୁମଙ୍କ ଦେଖରେଖରେ ଥିଲେ। ତେବେ ଜେଲ ଷ୍ଟାଫ ଙ୍କ ଅନୁସାରେ ଅବଦୁଲ ଗଫୁର ୧୬ ଜାନୁୟାରୀ ୨୦୨୬ରେ ବଦଳି ହୋଇଯାଇଛନ୍ତି ଓ ତାଙ୍କ ସ୍ଥାନରେ ସାଜିଦ ବେଗ୍ କାର୍ଯ୍ୟଭାର ସମ୍ଭାଳିଛନ୍ତି। ହେଲେ ଇମ୍ରାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ପ୍ରତି କେହି ଧ୍ୟାନ ଦେଇ ନାହାନ୍ତି।

ଏହା ବି ପଢନ୍ତୁ :-ତୁର୍କୀ ପାର୍ଲିଆମେଣ୍ଟରେ ବାଡିଆ ପିଟା, ପରସ୍ପରକୁ ମୁଥ ମରାମରି ହେଲେ ସାଂସଦ...ଦେଖନ୍ତୁ ଭିଡିଓ