ଇସ୍ଲାମାବାଦ: ଆତଙ୍କବାଦକୁ ଖାଦ୍ୟପେୟ ଯୋଗାଇ ଦେଉଥିବା ପାକିସ୍ତାନ ଆଜିକାଲି ଚାଷ ପାଇଁ ପାଣି ମୁନ୍ଦେ ଯୋଗାଇ ପାରୁନି। ଭାରତ ସିନ୍ଧୁ ଜଳସନ୍ଧି ବାତିଲ କରିବା ପରେ ସିନ୍ଧ ଓ ବଲୁଚିସ୍ତାନରେ ଜଳ ସଂକଟ ଗୁରୁତର ରୂପ ଧାରଣ କରିଛି। ଚାଷକୁ ପାଣି ମିଳୁନଥିବାରୁ ଚାଷବାସ ଅଞ୍ଚଳରେ ଆର୍ଥିକ କ୍ଷତିର ଭୟ ସୃଷ୍ଟି ହୋଇଛି। ପାକିସ୍ତାନ ପ୍ରାୟୋଜିତ ପହଲଗାଁବ ଆତଙ୍କବାଦୀ କାଣ୍ଡ ପରେ ନୂଆଦିଲ୍ଲୀ ଦଶକ ପୂରୁଣା ଜଳସନ୍ଧି ବାତିଲ କରିଦେଇଥିଲା। ଫଳରେ ଗ୍ରୀଷ୍ମ ଋତୁରେ ପାକିସ୍ତାନ ପାଣି ପାଇଁ ଏବେ ଡହଳବିକଳ ହେଉଛି।

ଜଳାଭାବର ସବୁଠୁ ବଡ଼ ପ୍ରଭାବ ପାକିସ୍ତାନର ସିନ୍ଧ ପ୍ରଦେଶ ଉପରେ ପଡିଛି। ଏହି ପ୍ରଦେଶରେ ପାକିସ୍ତାନର ଆର୍ଥିକ ରାଜଧାନୀ କରାଚି ରହିଛି। ଏଠାରେ ରାଜନେତା, ଚାଷୀ ଓ ଜଳ ବିଶେଷଜ୍ଞ ଜଳ ଯୋଗାଣ ହ୍ରାସ ଯୋଗୁ ଲଗାତାର ଚିନ୍ତା ପ୍ରକଟ କରିଆସୁଛନ୍ତି। ସିନ୍ଧ ଓ ବଲୁଚିସ୍ତାନରେ ଉତ୍କଟ ଜଳାଭାବ ଯୋଗୁ ଏହି ସଂକଟ ଏବେ ପାକିସ୍ତାନର ପାଖାପାଖି ଏକ ତୃତୀୟାଂଶ ଜନତାଙ୍କୁ ପ୍ରଭାବିତ କରିଛି। ପହଲଗାମ ଆତଙ୍କୀ କାଣ୍ଡ ପରେ ଭାରତ କଡ଼ା ଆଭିମୁଖ୍ୟ ପୋଷଣ କରୁଛି।

ଆକ୍ରମଣକୁ ନେଇ ଭାରତର ପ୍ରତିକ୍ରିୟା ଅପରେସନ ସିନ୍ଦୂରର ସାମରିକ କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ବଳେଇ ଯାଇଛି। ନୂଆଦିଲ୍ଲୀର ସବୁଠୁ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ମଧ୍ୟରୁ ସିନ୍ଧୁ ଜଳ ସନ୍ଧିକୁ କିଛି ସମୟ ପାଇଁ ରୋକିଦେବା ଅନ୍ୟ ଏକ ପଦକ୍ଷେପ ଥିଲା। ପାକିସ୍ତାନୀ ସମ୍ବାଦପତ୍ର ‘ଡନ’ ଅନୁସାରେ ସିନ୍ଧୁ ନଦୀ ଉପରେ ନିର୍ମିତ ସବୁଠୁ ବଡ଼ ଓ ଜଳ ସେଚନ ସଂରଚନା ସୁକ୍କୁର ବ୍ୟାରେଜ ଆଖପାଖରେ ଏହି ସଂକଟ ସ୍ପଷ୍ଟ ଦେଖା ଯାଉଛି। ଏହି ବ୍ୟାରେଜ ସିନ୍ଧ ଓ ବଲୁଚିସ୍ତାନର ଲକ୍ଷଲକ୍ଷ ଏକର ଚାଷ ଜମି ପାଇଁ ପାଣିର ଉତ୍ସ। ଏଣୁ ଏହା ପାକିସ୍ତାନର କୃଷି ଅର୍ଥ ବ୍ୟବସ୍ଥା ପାଇଁ ଅତ୍ୟନ୍ତ ଜରୁରି। ସିନ୍ଧର କେନାଲ ନେଟୱାର୍କରେ ପାଣିର ଅଭାବ ଏବେ ଚିନ୍ତାଜନକ ସ୍ତରକୁ ପହଞ୍ଚି ଯାଇଛି।

ଡନ ସୂତ୍ର ଅନୁସାରେ ନର୍ଥ ୱେଷ୍ଟ କେନାଲରେ ୬୪.୧%, ରାଇସ କେନାଲରେ ୩୮% ଓ ଦାଦୁ ନହରରେ ୮୨% ପାଣିର ଭୀଷଣ ଅଭାବ ଦେଖା ଯାଉଛି। ଉପର ଅଞ୍ଚଳରେ ପାଣିର ଅବୈଧ ନିଷ୍କାସନ ଓ ତଳ ମୁଣ୍ଡକୁ ଅସମାନ ବିତରଣ ଅଭିଯୋଗ ଯୋଗୁ ପରିସ୍ଥିତି ଆହୁରି ବିଗିଡିବାରେ ଲାଗିଛି। ଏହି ଜଳ ସଂକଟକୁ ନେଇ ଏବେ ପାକିସ୍ତାନରେ ବିତର୍କ ଆରମ୍ଭ ହୋଇଯାଇଛି। ଜମାତ-ଏ-ଇସ୍ଲାମୀ ମୁଖିଆ ନଈମ-ଉର-ରହମାନ ପାକିସ୍ତାନ ପ୍ୟୁପିଲସ୍ ପାର୍ଟି (ପିପିପି) ନେତୃତ୍ୱାଧୀନ ସିନ୍ଧ ସରକାରଙ୍କ ଉପରେ ଜଳାଭାବ ଦୂର କରିପାରୁନଥିବାର ଅଭିଯୋଗ କରିଛନ୍ତି। ଏହି ପାର୍ଟି ଦୀର୍ଘ ସମୟରୁ ସିନ୍ଧରେ ଶାସନ କରୁଥିଲେ ବି ପୁରୁଣା ଜଳ ସଂକଟର ସମାଧାନରେ ବିଫଳ ହୋଇଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ପିପିପି ସିନ୍ଧ ଅଧ୍ୟକ୍ଷ ନିସାର ଅହମଦ ଖୁହରୋ ସିନ୍ଧକୁ ଏହାର ଉଚିତ ଦାବି ମିଳି ପୁରୁନଥିବାର ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନର ସିନ୍ଧ ଏକ ପ୍ରମୁଖ କୃଷି ଉତ୍ପାଦନ ଅଞ୍ଚଳ ହୋଇଥିଲେ ମଧ୍ୟ ଆବଶ୍ୟକ ଜଳ ମିଳି ପାରୁ ନାହିଁ। ସେ କହିଛନ୍ତି ସିନ୍ଧ ପ୍ରତିବର୍ଷ ୫୫ଲକ୍ଷ ଟନ ଚାଉଳ ଉତ୍ପାଦନ କରିଥାଏ। ଏହି ଚାଉଳ ରପ୍ତାନୀରୁ ବାର୍ଷିକ ୧.୪ ବିଲିୟନ ଡଲାର ବୈଦେଶିକ ମୁଦ୍ରା ଆମଦାନୀ କରିଥାଏ। ଏଥିରେ ଯଦି ଖରିଫ ଋତୁରେ ଜଳ ଆବଣ୍ଟନ ହ୍ରାସ ହୁଏ ଏହା ପ୍ରାନ୍ତର ଆର୍ଥିକ ନରସଂହାର ସହ ସମାନ ହେବ ବୋଲି ଚେତାବନୀ ଦେଇଛନ୍ତି।

ସିନ୍ଧୁ ନଦୀ ପ୍ରଣାଳୀ ଉପରେ ପାକିସ୍ତାନର ନିର୍ଭରତା ଦୀର୍ଘ ସମୟରୁ ପାଣିର ସୁରକ୍ଷାକୁ ଏକ ରଣନୈତିକ ପ୍ରସଙ୍ଗରେ ରୂପାନ୍ତରିତ କରିଛି। ପାଣିର ଅଭାବ ଯେପରି ବଢିବଢି ଚାଲିଛି ସେହିପରି ପାଣି ବଣ୍ଟନକୁ ନେଇ ରାଜନୈତିକ ବିବାଦ ମଧ୍ୟ ବଢିବା ଆରମ୍ଭ ହୋଇଯାଇଛି। ଏହି ସଂକଟ ଦେଶର ଜଳ ସେଚନ ପ୍ରବନ୍ଧନ ଓ କୃଷି ଭିତ୍ତିଭୂମିକ ଦୁର୍ବଳତାକୁ ଏବେ ଉଜାଗର କରୁଛି। ସିନ୍ଧୁ ଜଳ ସନ୍ଧିକୁ ନେଇ ଭାରତର କଡ଼ା ଆଭିମୁଖ୍ୟ କାୟମ ରହିବା ଓ ଜଳ ବଣ୍ଟନକୁ ନେଇ ଆଭ୍ୟନ୍ତରୀଣ ବିବାଦ ବଢିବା ସହିତ ଆଗାମୀ ମାସ ମାନଙ୍କରେ ପାକିସ୍ତାନ ଆଗରେ ପାଣି ସମସ୍ୟା ଆହୁରି ଉତ୍କଟ ହେଉଥିବାର ଦେଖା ଯାଉଛି।