ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିକୁ ପୁଣିଥରେ ପ୍ରଶଂସା କରିଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF)। ବିଶ୍ୱ ଅର୍ଥନୀତି ଉପରେ ଶକ୍ତି ସଙ୍କଟ ଓ ଅନ୍ୟାନ୍ୟ ଚ୍ୟାଲେଞ୍ଜର ପ୍ରଭାବ ରହିଥିଲେ ମଧ୍ୟ ଭାରତ ନିଜର ଦ୍ରୁତ ଆର୍ଥିକ ବିକାଶ ହାର ବଜାୟ ରଖିଛି। ଏଥିପାଇଁ ଆଇଏମଏଫ ଭାରତକୁ ବିଶ୍ୱ ଅର୍ଥନୀତିର ଏକ ପ୍ରମୁଖ ‘ଗ୍ରୋଥ୍ ଇଞ୍ଜିନ୍’ ବୋଲି କହିଛି।

ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ, ଅର୍ଥାତ୍ ଏପ୍ରିଲରୁ ଜୁନ୍ ମଧ୍ୟରେ ଭାରତର ରିଅଲ୍ ଜିଡିପି ବୃଦ୍ଧି ହାର ୭.୮% ରେକର୍ଡ ହୋଇଛି। ଯାହାକୁ ନେଇ ଆଇଏମଏଫ୍ କହିଛି ଯେ ଏହି ବୃଦ୍ଧି ଏହାର ଆକଳନ ଏବଂ ବଜାର ବିଶେଷଜ୍ଞଙ୍କ ଆଶାଠାରୁ ମଧ୍ୟ ଅଧିକ ରହିଛି।

ଏନେଇ ଆଇଏମଏଫ୍ ମୁଖପାତ୍ର ଜୁଲି କୋଜାକ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏପ୍ରିଲ-ଜୁନ୍ ତ୍ରୈମାସିକରେ ଭାରତର ୭.୮% ଜିଡିପି ବୃଦ୍ଧି ହାର ଆଶାଠାରୁ ବେଶ୍ ଭଲ ରହିଛି। ଭାରତର ଶକ୍ତିଶାଳୀ ସେବା କ୍ଷେତ୍ର ଏବଂ ରପ୍ତାନିରେ ଉନ୍ନତ ପ୍ରଦର୍ଶନ ଅର୍ଥନୀତିକୁ ଗତି ଦେଇଛି। ଜୁଲି କୋଜାକଙ୍କ ଅନୁସାରେ, ଏନର୍ଜି ମୂଲ୍ୟରେ ବଡ଼ ପରିବର୍ତ୍ତନ ଓ ଗ୍ଲୋବାଲ୍ ଚ୍ୟାଲେଞ୍ଜ ସତ୍ତ୍ୱେ ଭାରତୀୟ ଅର୍ଥନୀତିର ଭିତ୍ତି ମଜବୁତ ରହିଛି। ଭାରତ ଏବେ ମଧ୍ୟ ବିଶ୍ୱ ଅର୍ଥନୀତି ପାଇଁ ଏକ ପ୍ରମୁଖ ବିକାଶ ଇଞ୍ଜିନ୍ ଭାବେ ଉଭା ହୋଇଛି।

ଆରବିଆଇ ଆକଳନଠାରୁ ମଧ୍ୟ ଅଧିକ ଜିଡିପି ବୃଦ୍ଧି

ଭାରତର ପ୍ରଥମ ତ୍ରୈମାସିକର ୭.୮% ଜିଡିପି ବୃଦ୍ଧି ହାର ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବ ଆକଳନଠାରୁ ମଧ୍ୟ ଅଧିକ। ଆରବିଆଇ ପୂର୍ବରୁ ଏହି ସମୟ ପାଇଁ ୭% ବୃଦ୍ଧିର ଆକଳନ କରିଥିଲା। ସାଂଖିକୀ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ (MoSPI)ର ତଥ୍ୟ ଅନୁସାରେ, ଏହି ତ୍ରୈମାସିକରେ ଭାରତର ରିଅଲ୍ ଜିଡିପି ୮୧.୩୬ ଲକ୍ଷ କୋଟି ଟଙ୍କା ରହିଛି। ଗତ ଆର୍ଥିକ ବର୍ଷରେ ସମାନ ଅବଧିରେ ଏହା ୭୫.୪୬ ଲକ୍ଷ କୋଟି ଟଙ୍କା ଥିଲା।

ଜିଡିପି ହିସାବ ପଦ୍ଧତିର ଆଧୁନିକୀକରଣକୁ ଆଇଏମଏଫର ସମର୍ଥନ

ଭାରତ ଜିଡିପି ଆକଳନ ପଦ୍ଧତିରେ କରିଥିବା ପରିବର୍ତ୍ତନ ଓ ଏହାର ଆଧୁନିକୀକରଣକୁ ମଧ୍ୟ ଆଇଏମଏଫ୍ ସ୍ୱାଗତ କରିଛି। ଜୁଲି କୋଜାକ୍ କହିଛନ୍ତି ଯେ ନୂଆ ତଥ୍ୟ ବ୍ୟବସ୍ଥାରେ ନୂଆ ଶିଳ୍ପ ଉତ୍ପାଦନ ସୂଚକାଙ୍କ (IIP) ଏବଂ ପ୍ରଡ୍ୟୁସର ପ୍ରାଇସ ଇଣ୍ଡେକ୍ସ (PPI) ସିରିଜ୍କୁ ସାମିଲ କରାଯାଇଛି। ଆଇଏମଏଫ ଅନୁସାରେ, ଏହି ପରିବର୍ତ୍ତନ ଜିଡିପି ତଥ୍ୟର ସଠିକତା ବଢ଼ାଇବା ସହ ଡାଟାର ଗୁଣବତ୍ତାକୁ ମଧ୍ୟ ଆହୁରି ଉନ୍ନତ କରିବ।

IIP ଓ PPI କ’ଣ?

ଶିଳ୍ପ ଉତ୍ପାଦନ ସୂଚକାଙ୍କ (IIP): ଦେଶର ମାନୁଫାକ୍ଚରିଂ, ଖଣି ଏବଂ ବିଦ୍ୟୁତ ଭଳି ପ୍ରମୁଖ ଶିଳ୍ପ କ୍ଷେତ୍ରରେ ଉତ୍ପାଦନର ଗତି କେତେ ରହିଛି, ତାହା IIP ଦ୍ୱାରା ମପାଯାଇଥାଏ। ସେହିପରି ଉତ୍ପାଦକ ମୂଲ୍ୟ ସୂଚକାଙ୍କ (ପିପିଆଇ) ଦେଶୀୟ ଉତ୍ପାଦକମାନେ ବିକ୍ରି କରୁଥିବା ସାମଗ୍ରୀ ଓ ସେବାର ମୂଲ୍ୟରେ ହେଉଥିବା ହାରାହାରି ପରିବର୍ତ୍ତନକୁ ଦର୍ଶାଏ। ଏହା ଉତ୍ପାଦକ ସ୍ତରରେ ମୂଲ୍ୟ ପରିବର୍ତ୍ତନ ଓ ମୁଦ୍ରାସ୍ଫୀତିର ଚିତ୍ର ବୁଝିବାରେ ସହାୟକ ହୋଇଥାଏ।

ସାମଗ୍ରିକ ଭାବେ, ଶକ୍ତି ସଙ୍କଟ, ଭୂ-ରାଜନୈତିକ ଅସ୍ଥିରତା ଓ ବିଶ୍ୱ ଅର୍ଥନୀତିର ଚାପ ମଧ୍ୟରେ ଭାରତର ୭.୮% GDP ବୃଦ୍ଧି ଦେଶର ଅର୍ଥନୀତିର ଦୃଢ଼ତାକୁ ପ୍ରତିଫଳିତ କରୁଥିବା ବେଳେ, ଭାରତକୁ ବିଶ୍ୱର ଏକ ପ୍ରମୁଖ ଗ୍ରୋଥ୍ ଇଞ୍ଜିନ୍ ଭାବେ ଆଇଏମଏଫ୍ର ପ୍ରଶଂସା ଆହୁରି ଗୁରୁତ୍ୱ ବହନ କରୁଛି।