ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ ଏବେ ଓଟିଟି ଏବଂ ରିଆଲିଟି ଶୋ’ ଦୁନିଆରେ ନିଜର ନୂଆ ପାଳି ଆରମ୍ଭ କରିବାକୁ ଯାଉଛନ୍ତି । ଆମାଜନ୍ ପ୍ରାଇମ୍ ଭିଡିଓ ଏବଂ MX ପ୍ଲେୟାରର ଚର୍ଚ୍ଚିତ ରିଆଲିଟି ଶୋ’ 'ରାଇଜ୍ ଆଣ୍ଡ ଫଲ୍ ସିଜନ୍ ୨'ରେ ସେ ଉପସ୍ଥାପକ ଭାବରେ ନଜର ଆସିବେ।

ଗତ ସିଜନ୍‌ରେ ଭାରତ’ପେର ସହ-ସଂସ୍ଥାପକ ଅଶ୍ନୀର ଗ୍ରୋଭର ଏହି ଶୋ’ର ହୋଷ୍ଟ ଥିବା ବେଳେ, ଏଥର ତାଙ୍କ ସ୍ଥାନରେ ବୀରେନ୍ଦ୍ର ସେହୱାଗଙ୍କୁ ନିଆଯାଇଛି। ଉପସ୍ଥାପକ ଭାବରେ ବୀରେନ୍ଦ୍ର ସେହୱାଗଙ୍କର ଏହା ପ୍ରଥମ ରିଆଲିଟି ଶୋ’। ନିଜର ହାସ୍ୟରସାତ୍ମକ ଅନ୍ଦାଜ ପାଇଁ ଜଣାଶୁଣା ସେୱାଗ ଏହି ଶୋ’କୁ ନୂଆ ରୂପ ଦେବେ।

ଶୋ’ର ହୋଷ୍ଟିଂକୁ ନେଇ ବୀରେନ୍ଦ୍ର ସେହୱାଗ କହିଛନ୍ତି, ‘କ୍ରିକେଟ୍ ମୋତେ ଗୋଟିଏ କଥା ଶିଖାଇଛି, ଶେଷ ବଲ୍ ପର୍ଯ୍ୟନ୍ତ କୌଣସି ବି ମ୍ୟାଚ୍ ଅନିଶ୍ଚିତତାରେ ଥାଏ । ‘ରାଇଜ୍ ଆଣ୍ଡ ଫଲ୍‌’ରେ ମଧ୍ୟ ସେହିଭଳି ଅନିଶ୍ଚିତତା ରହିଛି । ଏଠାରେ ଜିତିବା ଏବଂ ଶୀର୍ଷରେ ରହିବା ସହଜ ନୁହେଁ। କେତେବେଳେ ଆକ୍ରମଣ କରିବାକୁ ହେବ ଏବଂ କେତେବେଳେ ରକ୍ଷାତ୍ମକ ଖେଳିବାକୁ ହେବ, ସେହି ରଣନୀତି ହିଁ ପ୍ରତିଯୋଗୀଙ୍କୁ ଆଗକୁ ନେବ।’

ଏହି ଶୋ’ରେ ୧୫ ଜଣ ସେଲିବ୍ରିଟି ପ୍ରତିଯୋଗୀ ଭାଗ ନେବେ। ସେମାନଙ୍କୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯିବ — ‘ରୁଲର୍ସ’ ଏବଂ ‘ୱାର୍କର୍ସ’। ପେଣ୍ଟହାଉସର ସମସ୍ତ ସୁଖ-ସୁବିଧା ଉପଭୋଗ କରିବେ। ବେସମେଣ୍ଟରୁ କଠିନ ପରିଶ୍ରମ କରି ନିଜର ସ୍ଥାନ ତିଆରି କରିବାକୁ ଚେଷ୍ଟା କରିବେ।

ଏହି ଶୋ’କୁ ‘ବନିଜେ ଏସିଆ’ ନିର୍ମାଣ କରୁଥିବା ବେଳେ ଏହାର ମୂଳ ଫର୍ମାଟ୍ ୟୁକେ (UK) ର 'ଷ୍ଟୁଡିଓ ଲାମ୍ବର୍ଟ' ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ଗତ ପ୍ରଥମ ସିଜନ୍‌ରେ ଟେଲିଭିଜନ୍ ଅଭିନେତା ଅର୍ଜୁନ ବିଜଲାନୀ  ବିଜେତା ହୋଇଥିଲେ। ଦ୍ୱିତୀୟ ସିଜନ୍‌ର ପ୍ରସାରଣ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ, କିନ୍ତୁ ଏହା ଶୀଘ୍ର ପ୍ରାଇମ୍ ଭିଡିଓରେ ଉପଲବ୍ଧ ହେବ।