ଭୁବନେଶ୍ୱର ୧୪।୦୪ : ନିରାଶ କରିବ ମୌସୁମୀ । ନିଅଣ୍ଟିଆ ବର୍ଷା ସ୍ଥିତି ଦେଖିବାକୁ ମିଳିପାରେ ଓଡ଼ିଶାରେ । ନବରଙ୍ଗପୁର, ଗଜପତି, କଳାହାଣ୍ଡି, ନୂଆପଡ଼ା, ବରଗଡ଼କୁ ଛାଡ଼ି ବାକି ପ୍ରାୟତଃ ବର୍ଷା ଅଭାବ ରହିବ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ସୋମବାର ଏଭଳି ଉଦବେଗଜନକ ପୂର୍ବାନୁମାନ ଦେଇଛି ।

କେବଳ ଓଡ଼ିଶା ନୁହେଁ, ଦକ୍ଷିଣ ଓ ଉତ୍ତର ପୂର୍ବ ଭାଗକୁ ଛାଡ଼ିଦେଲେ ଦେଶର ଅଧିକାଂଶ ଅଞ୍ଚଳରେ ଜୁନ୍ରୁ ସେପ୍ଟେମ୍ବର ମାସ ଭିତରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ । ଆଇଏମ୍ଡି ଆକଳନ ଅନୁସାରେ, ମୌସୁମୀ ସମୟରେ ଦେଶରେ ସ୍ୱାଭାବିକ ଭାବେ ଯେତିକି ପରିମାଣର ବର୍ଷା ହେବା କଥା, ତାର ୯୨% ବର୍ଷା ହେବ ।

Also Read:-Surya Gochar ୨୦୨୬: ସୂର୍ଯ୍ୟଙ୍କ ମେଷ ରାଶିରେ ମହାଗୋଚର, ୪ ରାଶିଙ୍କ ପାଇଁ ଆରମ୍ଭ ହେବ ଭଲ ଦିନ

ଏବେ ଦେଶରେ ଲା-ନିନା ଦୁର୍ବଳ ସ୍ଥିତିରେ ରହିଛି । ଏହା ଧୀରେ ଧୀରେ ନିଉଟ୍ରାଲ ସ୍ଥିତିକୁ ଯାଉଛି । ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଦୁର୍ବଳ ଲା- ନିନା ସ୍ଥିତି ରହିଛି । ତେବେ ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବା ପରେ ଏଲ-ନିନୋ ସ୍ଥିତି ରହିବ ବୋଲି ମନସୁନ ମିଶନ କ୍ଲାଇମେଟ ଫୋରକାଷ୍ଟ ସିଷ୍ଟମ(ଏମଏମସିଏଫଏସ୍) ପୂର୍ବାନୁମାନ କରିଛି । ବର୍ତ୍ତମାନ ଇଣ୍ଡିଆନ ଓସେନ ଡାଏପୋଲ(ଆଇଓଡି) ନିଉଟ୍ରାଲ ସ୍ଥିତିରେ ଅଛି ।

ବିଭିନ୍ନ ପାଣିପାଗ ମଡେଲ ଅନୁସାରେ, ମୌସୁମୀ ଋତୁର ଶେଷ ଆଡ଼କୁ ଆଇଓଡି ପଜିଟିଭ୍ ହେବା ସମ୍ଭାବନା ଅଛି । ଆଇଓଡି ପଜିଟିଭ୍ ହେଲେ ବର୍ଷା ସ୍ଥିତିରେ ସୁଧାର ଆସିବ ଓ ଭଲ ବର୍ଷା ହୋଇପାରେ । ତେବେ ଚଳିତ ମୌସୁମୀରେ ବର୍ଷା କମ୍ ହେବାର ଅନ୍ୟତମ କାରଣ ହେଉଛି, ଗତ ଜାନୁୟାରୀରୁ ମାର୍ଚ୍ଚ ମାସ ଭିତରେ ଦେଶର ଉତ୍ତର ଗୋଲାର୍ଦ୍ଧ କମ୍ ବରଫାବୃତ ହୋଇଥିଲା ।

ମୌସୁମୀ ବର୍ଷା କମିଲେ ଚାଷ ଉପରେ ପ୍ରଭାବ ପଡ଼ିବ । ବିଶେଷ କରି ଧାନ ଚାଷ ଗୁରୁତର କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ଯଦି ଆଇଓଡି ପଜିଟିଭ୍ ରହିବ ତେବେ ବର୍ଷା ଭଲ ହୋଇପାରେ । ପୁଣି ଘୂର୍ଣ୍ଣିଝଡ଼ ପ୍ରଭାବରେ ମଧ୍ୟ ବର୍ଷା ସ୍ଥିତିରେ ସୁଧାର ଆସିପାରେ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ଭିନ୍ନ ଆକଳନ କରିଛି । ଏଥିରେ କୁହାଯାଇଛି, ଏଥର ଓଡ଼ିଶା ଉପରେ ମୌସୁମୀ କୃପା କରିପାରେ । ଯଦିଓ ଦେଶରେ ସ୍ୱାଭାବିକ ଠାରୁ କମ୍ ବର୍ଷା ସମ୍ଭାବନା ରହିଥିବା ସ୍କାଏମେଟ ମଧ୍ୟ ଆକଳନ କରିଛି ।

କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବରୁ କହିଛନ୍ତି, ଜୁଲାଇ ମଧ୍ୟଭାଗ ବେଳକୁ ଏଲ୍-ନିନୋ ଉଭା ହୋଇପାରେ । କିନ୍ତୁ ଓଡ଼ିଶା ଉପରେ ସମ୍ଭବତଃ ଏତେଟା କୁପ୍ରଭାବ ପଡ଼ିବ ନାହିଁ । ଜୁନ ୧୫ ତାରିଖ ସୁଦ୍ଧା ମୌସୁମୀ ଓଡ଼ିଶା ଉପକୂଳ ଛୁଇଁପାରେ । ଏଥର ବର୍ଷା ବି ସ୍ୱାଭବିକ ହେବ । କିନ୍ତୁ ବର୍ଷାର ବଣ୍ଟନ ଅନିୟମିତ ହୋଇପାରେ । ଅର୍ଥାତ୍ ଅଳ୍ପ ସମୟ ମଧ୍ୟରେ ଅଧିକ ବର୍ଷା ହୋଇପାରେ । ମଝିରେ ମଝିରେ କିଛି ଦିନ ଶୁଖିଲା ପଡ଼ିଯାଇପାରେ । ଜୁନ୍ ମାସରେ ସାମାନ୍ୟ କମ୍ ବର୍ଷା ହୋଇପାରେ, କିନ୍ତୁ ଜୁଲାଇ ଓ ଅଗଷ୍ଟ ମାସରେ ସ୍ୱାଭାବିକ ରହିବ ବର୍ଷା ବୋଲି ଡକ୍ଟର ପଶୁପାଳକ ଆକଳନ କରିଛନ୍ତି ।