ରାଇରଙ୍ଗପୁର ୨।୧: ନୂଆବର୍ଷରେ ରାଇରଙ୍ଗପୁରକୁ ରାଷ୍ଟ୍ରପତିଙ୍କ ଭେଟି । ଖୋଲିଲା ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ଵବିଦ୍ୟାଳୟ । ନୂଆବର୍ଷରେ IGNOU ଆଞ୍ଚଳିକ କେନ୍ଦ୍ର ଓ କୌଶଳ କେନ୍ଦ୍ରକୁ ରାଷ୍ଟ୍ରପତି ଭର୍ଚ୍ଚୁଆଲରେ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ, ଇଗ୍ନୋ କୁଳପତି ପ୍ରଫେସର ଉମା କଞ୍ଜିଲାଲ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଥିଲେ ରାଇରଙ୍ଗପୁରରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ରର ଉଦଘାଟନ ଭାରତର ଶିକ୍ଷା ଓ ଦକ୍ଷତା ବିକାଶ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ପ୍ରଧାନ ଅଞ୍ଚଳ ରାଇରଙ୍ଗପୁରରେ ଏହି କେନ୍ଦ୍ର ସ୍ଥାପନ ଦ୍ୱାରା ସ୍ଥାନୀୟ ଯୁବକ-ଯୁବତୀ, କାର୍ଯ୍ୟରତ ବ୍ୟକ୍ତି, ଗୃହିଣୀ ଓ ଶିକ୍ଷାରୁ ବଞ୍ଚିତ ଲୋକଙ୍କ ପାଇଁ ନୂଆ ସମ୍ଭାବନାର ଦ୍ୱାର ଖୋଲିଛି । ସେ ଡିଜିଟାଲ୍‌ ଶିକ୍ଷା, ଅନଲାଇନ୍‌ କୋର୍ସ ଓ କୌଶଳ ତାଲିମର ଆବଶ୍ୟକତା ଉପରେ ଜୋର ଦେଇ କହିଥିଲେ ଯେ ଏହି ପ୍ରକାର ଶିକ୍ଷା ପ୍ରଣାଳୀ ଯୁବପିଢ଼ିକୁ ଆତ୍ମନିର୍ଭର କରିବାରେ ସହାୟକ ହେବ ।