ରାଇରଙ୍ଗପୁର ୨।୧: ନୂଆବର୍ଷରେ ରାଇରଙ୍ଗପୁରକୁ ରାଷ୍ଟ୍ରପତିଙ୍କ ଭେଟି । ଖୋଲିଲା ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ଵବିଦ୍ୟାଳୟ । ନୂଆବର୍ଷରେ IGNOU ଆଞ୍ଚଳିକ କେନ୍ଦ୍ର ଓ କୌଶଳ କେନ୍ଦ୍ରକୁ ରାଷ୍ଟ୍ରପତି ଭର୍ଚ୍ଚୁଆଲରେ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ, ଇଗ୍ନୋ କୁଳପତି ପ୍ରଫେସର ଉମା କଞ୍ଜିଲାଲ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଥିଲେ ରାଇରଙ୍ଗପୁରରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ରର ଉଦଘାଟନ ଭାରତର ଶିକ୍ଷା ଓ ଦକ୍ଷତା ବିକାଶ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ପ୍ରଧାନ ଅଞ୍ଚଳ ରାଇରଙ୍ଗପୁରରେ ଏହି କେନ୍ଦ୍ର ସ୍ଥାପନ ଦ୍ୱାରା ସ୍ଥାନୀୟ ଯୁବକ-ଯୁବତୀ, କାର୍ଯ୍ୟରତ ବ୍ୟକ୍ତି, ଗୃହିଣୀ ଓ ଶିକ୍ଷାରୁ ବଞ୍ଚିତ ଲୋକଙ୍କ ପାଇଁ ନୂଆ ସମ୍ଭାବନାର ଦ୍ୱାର ଖୋଲିଛି । ସେ ଡିଜିଟାଲ୍‌ ଶିକ୍ଷା, ଅନଲାଇନ୍‌ କୋର୍ସ ଓ କୌଶଳ ତାଲିମର ଆବଶ୍ୟକତା ଉପରେ ଜୋର ଦେଇ କହିଥିଲେ ଯେ ଏହି ପ୍ରକାର ଶିକ୍ଷା ପ୍ରଣାଳୀ ଯୁବପିଢ଼ିକୁ ଆତ୍ମନିର୍ଭର କରିବାରେ ସହାୟକ ହେବ ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ରାଇରଙ୍ଗପୁରରେ ଇଗ୍ନୋର ଏହି ନୂତନ କେନ୍ଦ୍ର ପ୍ରତିଷ୍ଠା ଦ୍ୱାରା ସମାଜରେ ରୋଜଗାର ଓ ଉଦ୍ୟମିତା ବୃଦ୍ଧି ପାଇବ । ପ୍ରଥମ ଥର ପାଇଁ ଇଗ୍ନୋ ମାଧ୍ୟମରେ ଶିକ୍ଷା ସହିତ ଦକ୍ଷତା ଶିକ୍ଷା ପ୍ରଦାନ କରାଯିବ, ଯାହା ଏକ ବଡ଼ ପରିବର୍ତ୍ତନ ଆଣିବ । ମୟୂରଭଞ୍ଜର ପ୍ରାକୃତିକ ସମ୍ପଦ, ବନସ୍ପତି ଓ ଶ୍ରମଶକ୍ତିର ଠିକ୍‌ ବିନିଯୋଗ ପାଇଁ ସ୍ଥାନୀୟ ଜନଜାତି ଓ ଗ୍ରାମୀଣ ଜନସାଧାରଣଙ୍କୁ ଏଆଇ ଏବଂ ଆଧୁନିକ ଟେକ୍‌ନୋଲୋଜି ସହିତ ଯୋଡ଼ାଯିବ । ଏହା ସେମାନଙ୍କ କ୍ଷମତା ବୃଦ୍ଧି କରିବାରେ ସହାୟକ ହେବ । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ଭାରତ ବର୍ତ୍ତମାନ ‘ଏଆଇ ଇମ୍ପାକ୍ଟ' ସମ୍ମିଳନୀ କରୁଛି । ଯେଉଁ ସମୟରେ ବିଶ୍ୱ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସକୁ ନେଇ ଆଶଙ୍କା କରୁଛି, ଭାରତ ଏହାକୁ ଏକ ସୁଯୋଗ ଭାବେ ଗ୍ରହଣ କରିବା ଉଚିତ୍‌ । ନୂଆପିଢ଼ିକୁ ଏଆଇ ମାଧ୍ୟମରେ ଶିକ୍ଷାଦାନର ବ୍ୟବସ୍ଥା କରାଯିବ । ‘ଏଆଇ ଫର୍‌ ଅଲ୍‌' ଆଗାମୀ ଦିନରେ ଏକ ‘ଗେମ୍‌ ଚେଞ୍ଜର' ସାବ୍ୟସ୍ତ ହେବ । ସେହିପରି ପ୍ରଧାନମନ୍ତ୍ରୀଙ୍କ ‘ଆତ୍ମନିର୍ଭର ଭାରତ'ର ସ୍ୱପ୍ନ ସାକାର କରିବା ପାଇଁ ନାଗରିକଙ୍କ ଆର୍ଥିକ ଆଉଟପୁଟ୍‌ ବଢ଼ାଇବାକୁ ହେବ । ବିକଶିତ ଭାରତ ଗଠନ ପାଇଁ ଆମର ୱର୍କଫୋର୍ସକୁ ୫୦ରୁ ୭୫ ପ୍ରତିଶତକୁ ନେବାକୁ ପଡ଼ିବ ଏବଂ ଏଥିପାଇଁ ଦକ୍ଷତା ବିକାଶ ହିଁ ମୂଳଧାର ।

​​​​​​​

ଏହି ଉତ୍ସବ ପାଇଁ ରାଇରଙ୍ଗପୁର ମହତାବ ଭବନରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବର୍ତ୍ତମାନ ଅସ୍ଥାୟୀ ଭାବରେ ପୌର ପରିଷଦର ୬ ନମ୍ୱର ୱାର୍ଡ କଲ୍ୟାଣୀ ମଣ୍ଡପରେ କାର୍ଯ୍ୟାଳୟ ଚାଲିବ । ସେଥିପାଇଁ କଲ୍ୟାଣ ମଣ୍ଡପର ବ୍ୟାପକ ଉନ୍ନତିକରଣ କରାଯାଇଥିବା ବେଳେ ରାଇରଙ୍ଗପୁର ନିକଟରେ ଦୁଇ ଏକର ଜାଗାରେ ନୂତନ ସ୍ଥାୟୀ କ୍ୟାମ୍ପସ୍ ନିର୍ମାଣ କରାଯିବ । ଓଡ଼ିଶାର ଉତ୍ତରାଞ୍ଚଳର ୫ଟି ଜିଲ୍ଲା ଗୁଡ଼ିକରେ ଉଚ୍ଚ ଶିକ୍ଷାର ପ୍ରସାର ସାଙ୍ଗକୁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

​​​​​​​

ନୂଆବର୍ଷରେ ରାଷ୍ଟ୍ରପତିଙ୍କ ଏହି ଭେଟିକୁ ନେଇ ରାଇରଙ୍ଗପୁର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଏହି ସମାରୋହରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ସାଂସଦ ନବ ଚରଣ ମାଝି, ରାଇରଙ୍ଗପୁର, ସାରସକଣା ବିଧାୟକ, ମୟୂରଭଞ୍ଜ ଜିଲ୍ଲାପାଳ, ଏସପି, IGNOUର ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ମନୋଜ ଦାସଙ୍କ ସମେତ ଅନେକ ସରକାରୀ ଅଧିକାରୀ, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ ।