ନୂଆଦିଲ୍ଲୀ: ଲେବାନନର ରାଜଧାନୀ ବେରୁଟରେ ବଡ଼ ଆକ୍ରମଣ କରିଛି ଇସ୍ରାଏଲ । ଏହି ଆକ୍ରମଣରେ ହିଜବୁଲ୍ଲା ନେତା ନଇମ କାସିମର ବ୍ୟକ୍ତିଗତ ପରାମର୍ଶଦାତା ଏବଂ ତା ପୁତୁରାର ମୃତ୍ୟୁ ହୋଇଛି ବୋଲି ଇସ୍ରାଏଲ ଦାବି କରିଛି। ଇସ୍ରାଏଲ ସେନା (IDF) ଅନୁସାରେ, ବେରୁତର ତଲ୍ଲେତ ଖାୟାତ ଅଞ୍ଚଳରେ ହିଜବୁଲ୍ଲାର ଆଡ୍ଡା ଉପରେ ଆକ୍ରମଣ ହୋଇଥିଲା । ଏଥିରେ ଅଲୀ ୟୁସୁଫ ହର୍ଷିକୁ ଟାର୍ଗେଟ କରିଥିଲା ଇସ୍ରାଏଲ । ଏହି ଭୟଙ୍କର ଆକ୍ରମଣରେ ତଲ୍ଲେତ ଖାୟାତ ଅଞ୍ଚଳରେ ଏକ ବହୁତଳ କୋଠା ଧ୍ବଂସ ହୋଇଛି । ମୃତ ହର୍ଷି ହିଜବୁଲ୍ଲା ନେତା ନଇମ କାସିମଙ୍କ ପୁତୁରା ଏବଂ ବ୍ୟକ୍ତିଗତ ପରାମର୍ଶଦାତା ଥିଲା ।

ମୁଖ୍ୟ ରାସ୍ତା ଉପରେ ଆକ୍ରମଣ

ଇସ୍ରାଏଲ ସେନା ଏକ ବିବୃତ୍ତିରେ କହିଛି, ‘ହର୍ଷି ହିଜବୁଲ୍ଲାର ମହାସଚିବ ନଇମ କାସିମର ଜଣେ ଘନିଷ୍ଠ ସହଯୋଗୀ ଏବଂ ବ୍ୟକ୍ତିଗତ ପରାମର୍ଶଦାତା ଥିଲା । କାସିମର କାର୍ଯ୍ୟାଳୟ ଏବଂ ତାର ସୁରକ୍ଷା ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।’

ସେପଟେ IDF ଆହୁରି କହିଛି ଯେ, ଇସ୍ରାଏଲ ପକ୍ଷରୁ ରାତିରେ ଲିଟାନି ନଦୀ ନିକଟ ଦୁଇଟି ମୁଖ୍ୟ ରାସ୍ତା ଉପରେ ଆକ୍ରମଣ ହୋଇଥିଲା । ଏହି ରାସ୍ତା ଦେଇ ହିଜବୁଲ୍ଲା ଦକ୍ଷିଣ ଲେବାନନକୁ ହଜାର ହଜାର ଅସ୍ତ୍ରଶସ୍ତ୍ର, ରକେଟ୍ ଲଞ୍ଚର ପରିବହନ କରେ।

Also Read: ଏଥର ଆଉ ନୁହେଁ, ଗୋଟିଏ ଷ୍ଟ୍ରାଇକ୍ରେ ଶେଷ ହେବ ଯୁଦ୍ଧ: ପରମାଣୁ ଆକ୍ରମଣ କରିପାରେ ଋଷିଆ

ଟାର୍ଗେଟରେ ଦକ୍ଷିଣ ଲେବାନନ

ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି ଯେ, ଦକ୍ଷିଣ ଲେବାନନରେ ପ୍ରାୟ ୧୦ଟି ଅସ୍ତ୍ରଶସ୍ତ୍ର ଡିପୋ, ରକେଟ୍ ଲଞ୍ଚର୍ ଏବଂ ହିଜବୁଲ୍ଲା ମୁଖ୍ୟାଳୟ ଉପରେ ଆକ୍ରମଣ କରାଯାଇଛି। ଲେବାନନରୁ ପରିଚାଳିତ ହିଜବୁଲ୍ଲା ଆତଙ୍କବାଦୀ ଗୋଷ୍ଠୀ ଇସ୍ରାଏଲ ପ୍ରତି ବପଦ ବଢ଼ାଉଛନ୍ତି । ଏହାର ଜବାବରେ ଇସ୍ରାଏଲ ଏହି ଗୋଷ୍ଠୀ ଉପରେ ଆକ୍ରମଣ କରିଆସିଛି ।