ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ବୀମା କମ୍ପାନୀ ଆଇସିଆଇସିଆଇ ଲାଇଫ୍ ଇନ୍ସୁରାନ୍ସ (ଆଇସିଆଇସିଆଇ ପ୍ରୁଡେନସିଆଲ୍ ଲାଇଫ୍)ର ଶୀର୍ଷ ଅଧିକାରୀ ସ୍ତରରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ବ୍ୟାଙ୍କିଙ୍ଗ୍ କ୍ଷେତ୍ରର ଅଭିଜ୍ଞ ଅଧିକାରୀ ସିଦ୍ଧାର୍ଥ ମିଶ୍ରଙ୍କୁ କମ୍ପାନୀର ନୂତନ ପରିଚାଳନା ନିର୍ଦ୍ଦେଶକ (MD) ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଭାବେ ନିଯୁକ୍ତ କରାଯାଇଛି। ସେ ବର୍ତ୍ତମାନର ଏମଡି ଓ ସିଇଓ ଅନୁପ ବାଗଚୀଙ୍କ ସ୍ଥାନ ନେବେ । ଅନୁପ ବାଗଚୀ ଏଚଡିଏଫସି ବ୍ୟାଙ୍କରେ ସାମିଲ ହେବା ପାଇଁ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ଦିନ ଅନୁଷ୍ଠିତ କମ୍ପାନୀର ବୋର୍ଡ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ଏକ୍ସଚେଞ୍ଜ ଫାଇଲିଂ ଅନୁଯାୟୀ, ସିଦ୍ଧାର୍ଥ ମିଶ୍ର ୨୦୨୬ ଅକ୍ଟୋବର ୧୪ରୁ ଆଗାମୀ ୫ ବର୍ଷ ପାଇଁ ଏହି ଦାୟିତ୍ୱ ଗ୍ରହଣ କରିବେ। ତେବେ ଏହି ନିଯୁକ୍ତି ବୀମା ନିୟାମକ ପ୍ରାଧିକରଣ (IRDAI)ର ଅନୁମୋଦନ ସାପେକ୍ଷ ଅଟେ। ଏହା ପୂର୍ବରୁ ଅକ୍ଟୋବର ୬ ତାରିଖରୁ ସେ କମ୍ପାନୀର ମୁଖ୍ୟ ପରିଚାଳନା ଅଧିକାରୀ (COO) ଭାବେ କାର୍ଯ୍ୟଭାର ସମ୍ଭାଳିବେ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ପାଠପଢ଼ା, ବ୍ୟାଙ୍କିଂରେ ୨୬ ବର୍ଷର ଅଭିଜ୍ଞତା

ନୂଆ ଏମଡି ଓ ସିଇଓ ଭାବେ ଦାୟିତ୍ୱ ନେବାକୁ ଯାଉଥିବା ସିଦ୍ଧାର୍ଥ ମିଶ୍ରଙ୍କର ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ୨୬ ବର୍ଷରୁ ଅଧିକ ସମୟର ଦୀର୍ଘ ଅଭିଜ୍ଞତା ରହିଛି । ବଡ଼ କଥା ହେଲା, ସେ ଭୁବନେଶ୍ୱରର ପ୍ରତିଷ୍ଠିତ ଉତ୍କଳ ବିଶ୍ୱବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଏବଂ ମ୍ୟାନେଜମେଣ୍ଟ (ଫାଇନାନ୍ସ ସ୍ପେଶାଲାଇଜେସନ)ରେ ପୋଷ୍ଟ ଗ୍ରାଜୁଏଟ୍ ଡିପ୍ଲୋମା ହାସଲ କରିଛନ୍ତି। ବର୍ତ୍ତମାନ ସେ ଆଇସିଆଇସିଆଇ ବ୍ୟାଙ୍କର ଡିଜିଟାଲ୍ ଚ୍ୟାନେଲ୍ ଏବଂ ପାର୍ଟନରସିପ୍, କଷ୍ଟମର ସର୍ଭିସ୍ ଏବଂ ଏନଆରଆଇ (NRI) ବିଜନେସ୍ ଭଳି ପ୍ରମୁଖ ବିଭାଗର ମୁଖ୍ୟ ଭାବେ ସଫଳତାର ସହ କାର୍ଯ୍ୟ କରୁଛନ୍ତି।

Also Read: ଆନ୍ଧ୍ରପ୍ରଦେଶରେ ୧ ଲକ୍ଷ କୋଟି ନିବେଶ କରିବ ରିଲାଏନ୍ସ,, ସୃଷ୍ଟି ହେବ ୩ ଲକ୍ଷରୁ ଅଧିକ ଚାକିରି

ଏଚଡିଏଫସି ବ୍ୟାଙ୍କର ମଙ୍ଗ ଧରିବେ ଅନୁପ ବାଗଚୀ

ଅନ୍ୟପଟେ, ବିଗତ ପ୍ରାୟ ତିନି ଦଶନ୍ଧି ଧରି ଆଇସିଆଇସିଆଇ ଗ୍ରୁପ୍ ସହ ଜଡ଼ିତ ଥିବା ଅନୁପ ବାଗଚୀ ଆସନ୍ତା ଅକ୍ଟୋବର ୧୩ରେ ନିଜ ପଦବୀରୁ ଅବସର ନେବେ। ସେ ଦେଶର ସବୁଠାରୁ ବଡ଼ ବେସରକାରୀ ବ୍ୟାଙ୍କ ଏଚଡିଏଫସି ବ୍ୟାଙ୍କର ପରବର୍ତ୍ତୀ ଏମଡି ଏବଂ ସିଇଓ ଭାବେ ୨୦୨୬ ଅକ୍ଟୋବର ୨୭ରୁ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ଏଚଡିଏଫସି ବ୍ୟାଙ୍କ ଇତିହାସରେ ପ୍ରଥମ ଥର ପାଇଁ ଅନ୍ୟ ସଂସ୍ଥାରେ କାମ କରୁଥିବା ଜଣେ ଅଭିଜ୍ଞ ବ୍ୟାଙ୍କରଙ୍କୁ ଏହି ସର୍ବୋଚ୍ଚ ପଦବୀ ପାଇଁ ଚୟନ କରାଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ମଧ୍ୟ ବାଗଚୀଙ୍କର ୩ ବର୍ଷିଆ କାର୍ଯ୍ୟକାଳ ପାଇଁ ମଞ୍ଜୁରୀ ପ୍ରଦାନ କରିସାରିଛି।

ଆଇସିଆଇସିଆଇ ଲାଇଫ୍ ଇନ୍ସୁରାନ୍ସର ବୋର୍ଡ, ଅନୁପ ବାଗଚୀଙ୍କ ଉଲ୍ଲେଖନୀୟ ଅବଦାନ ଏବଂ କମ୍ପାନୀର ଅଭିବୃଦ୍ଧିରେ ତାଙ୍କ ଭୂମିକାକୁ ଉଚ୍ଚ ପ୍ରଶଂସା କରିବା ସହ ତାଙ୍କର ଆଗାମୀ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛି।