ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ମୁଖ୍ୟ ମାର୍ଶଲ ଅମରପ୍ରୀତ ସିଂହ ଶନିବାର କହିଛନ୍ତି ଯେ ପଞ୍ଚମ ପିଢୀ ଯୁଦ୍ଧ ବିମାନ ନିର୍ମାଣ ପାଇଁ ପାକିସ୍ତାନ ଓ ଚୀନ ମଧ୍ୟରେ ସହଯୋଗ ଭାରତ ଲାଗି ଚିନ୍ତାର ବିଷୟ। ଏୟାର ମାର୍ଶଲ ସିଂହ କହିଛନ୍ତି ଯେ ଏବେ ଆଇଏଏଫକୁ ଏହି ବିପଦର ସମ୍ମୁଖୀନ ହେବାକୁ ପଡିପାରେ। ତେବେ ଭାରତକୁ ଖୁବ୍ ଶୀଘ୍ର ପଞ୍ଚମ ପିଢୀର ବିମାନ ସାମିଲ କରିବାକୁ ପଡିବ। ସେ କହିଛନ୍ତି ଯେ ଏହା ଚିନ୍ତାର ବିଷୟ ନିଃସନ୍ଦେହ କୁହାଯାଇପାରେ, ହେଲେ ଏହା ମାନେ ନୁହେଁ ଯେ ଆମେ ମୁକାବିଲା କରି ପାରିବୁନି।

ଆମପାଖରେ କ୍ଷମତା ଅଛି, ଏପରି ନୁହେଁ କି ଏକ ପ୍ଲାଟଫର୍ମ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ତେବେ ଅସଲ କଥା ହେଉଛି ପ୍ଲାଟଫର୍ମକୁ ଆମ ପ୍ରଣାଳୀରେ ସାମିଲ କରିବା। ଗତ ଅପରେସନ ସିନ୍ଦୂର କାଳରେ ପାକିସ୍ତାନ ନିକଟରେ ଅନ୍ୟ ପ୍ଲାଟଫର୍ମ ଥିଲା ହେଲେ ଆମର ଅପରେଶନ କାଳରେ ସେମାନେ ଅଧିକାଂଶ ପ୍ଲାଟଫର୍ମକୁ ଚଳାଇ ପାରିନଥିଲେ। ଏଣୁ ଆମେ ଯେତେବେଳେ ବି ଅଲଗା ଅଲଗା ପ୍ଲାଟଫର୍ମ କ୍ରୟ କରୁ ସେତେବେଳେ ଆମେ ନିଶ୍ଚିତ କରୁ ତାହା ଯେପରି ଆମ ପ୍ଲାଟଫର୍ମରେ ଠିକ୍ ଭାବେ ସାମିଲ ହୁଏ।

ଏଣୁ ଆମେ ଏବେ ସେହି ବିପଦର ସାମ୍ନା କରି ପାରନ୍ତି ଯେଉଁ ପର୍ଯ୍ୟନ୍ତ ସେମାନେ ଏହାକୁ ନିଜ ସିଷ୍ଟମରେ ଭଲ ଭାବେ ସାମିଲ ନ କରିଛନ୍ତି। ସେ କହିଛନ୍ତି ଯେ ଭବିଷ୍ୟତ ଲାଗି ଆମକୁ ଆଗକୁ ବିଚାର କରିବାକୁ ପଡିବ। ଆମକୁ ଖୁବ୍ ଶୀଘ୍ର ପଞ୍ଚମ ପିଢୀର ଯୁଦ୍ଧ ବିମାନ ସାମିଲ କରିବାକୁ ପଡିବ। ଆମକୁ ଏଏମସିଏ ପ୍ରୋଗ୍ରାମକୁ ଆଗକୁ ବଢାଇବାକୁ ପଡିବ। ଏଥିରେ ଯଦି ବିଳମ୍ବ ହୁଏ ତେବେ ଆମକୁ ଅନ୍ୟ ପନ୍ଥା ଦେଖିବାକୁ ପଡିବ। ସେ କହିଛନ୍ତି ଯେ ଭାରତୀୟ ବାୟୁ ସେନା ନିକଟରେ ୪୨ ମଞ୍ଜୁର ସଂଖ୍ୟା ତୁଳନାରେ ୨୯ଟି ଫାଇଟର ସ୍କ୍ୱାଡ୍ରନ ରହିଛି।