ସମ୍ବଲପୁର ୬।୯: ସମ୍ବଲପୁର ସେନପାର୍କ ନିକଟରେ ଘଟିଛି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ତାଙ୍କୁ ହତ୍ୟା କରିଥିବା ସ୍ପଷ୍ଟ କରିଛି ପୋଲିସ । ସମ୍ବଲପୁର ଅତିରିକ୍ତ ଏସ୍ପି ଅଜୟ ମିଶ୍ରଙ୍କ ସୂଚନା ଅନୁସାରେ, ସନ୍ଧ୍ୟା ସମୟରେ ଭ୍ରମଣ କରୁଥିବା ବେଳେ ସୟଦ ସମସାଦ ଅଲ୍ଲୀ ତାଙ୍କ ସ୍ତ୍ରୀ ହୀନା ବେଗମଙ୍କୁ ହତ୍ୟା କରିଥିଲେ । ଘଟଣା ପରେ ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି । ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ପୋଲିସର ସୂଚନା ଅନୁସାରେ, ଉଭୟ ସୟଦ ସମସାଦ ଅଲ୍ଲୀ ଓ ହୀନା ବେଗମଙ୍କର ଏହା ଦ୍ୱିତୀୟ ବିବାହ ଥିଲା । ସ୍ତ୍ରୀଙ୍କ ଚରିତ୍ରକୁ ନେଇ ସନ୍ଦେହ ହତ୍ୟାକାଣ୍ଡର ମୁଖ୍ୟ କାରଣ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଘଟଣାକୁ ନେଇ ସମ୍ବଲପୁରରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ପୋଲିସ ଘଟଣାର ଅନ୍ୟାନ୍ୟ ପାର୍ଶ୍ୱକୁ ନେଇ ମଧ୍ୟ ତଦନ୍ତ ଜାରି ରଖିଛି ।