ନ୍ୟୁୟର୍କ,୧୫|୦୬:କିଛି ଲୋକଙ୍କ ମନରେ ଧାରଣା ଥାଏ କି ଆମେରିକାରେ ଯେହେତୁ ରୋଜଗାର ଡଲାରରେ ହୋଇଥାଏ, ସେଠାରେ ରହୁଥିବା ଲୋକଙ୍କ ଜୀବନ ମଧ୍ୟ ଅତ୍ୟନ୍ତ ଆରାମଦାୟକ ହୋଇଥାଏ । କିନ୍ତୁ ଆମେରିକାର କାର୍ଲିଫର୍ଣ୍ଣିଆରେ ରହୁଥିବା ଜଣେ ଭାରତୀୟ ମହିଳା ମନୀଷା ଚୌଧୁରୀ ଏହି ଧାରଣା ଉପରେ ଏକ ଭିନ୍ନ ଦୃଷ୍ଟିକୋଣ ପ୍ରଦାନ କରିଛନ୍ତି। ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ବୁଝାଇଛନ୍ତି ଯେ ଆମେରିକାର ଅନେକ ସ୍ଥାନ ଯେତେ ଆକର୍ଷଣୀୟ ଲାଗେ ଏଠାରେ ଚଳିବା ସେତେ ମୁସ୍କିଲ ଅଟେ ।

ଆଶ୍ଚର୍ଯ୍ୟଜନକ ହୋଇଥିଲେ ମଧ୍ୟ, ସେଠାରେ ରହିବା ମହଙ୍ଗା। ଭିଡିଓରେ, ମନୀଷା କହିଛନ୍ତି ଯେ କାଲିଫର୍ଣ୍ଣିଆର ବେ ଏରିଆରେ ଏକ ଘରର ମାସିକ ଭଡା ସାଧାରଣତଃ $୩,୫୦୦ ରୁ $୪,୫୦୦ (ଭାରତୀୟ ମୁଦ୍ରାରେ ୩ ଲକ୍ଷ ରୁ ୩.୯ ଲକ୍ଷ ଟଙ୍କା ) ମଧ୍ୟରେ ଥାଏ । ଏହାର ଅର୍ଥ ହେଉଛି କେବଳ ଘରଭଡା ଅନେକ ଲୋକଙ୍କ ଆୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ । ଖାଲି ସେତିକି ନୁହେଁ ରାସନ ସାମଗ୍ରୀ କିଣାକିଣିରେ ମଧ୍ୟ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥାଏ | ସେ କହିଛନ୍ତି ଗୋଟିଏ ପରିବାରର ମାସିକ ଖର୍ଚ୍ଚ $୮୦୦ ରୁ $୧,୨୦୦ ଅର୍ଥାତ ଭାରତୀୟ ମୁଦ୍ରାରେ ୬୮,୦୦୦ ରୁ ୧.୦୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ।

ଯଦି ପରିବାରରେ ଏକ ଛୋଟ ପିଲା ଅଛି, ତେବେ ଡାଏପର, କ୍ଷୀର, ଖାଦ୍ୟ, ଖେଳଣା ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ପାଇଁ ଏକ ସ୍ୱତନ୍ତ୍ର ବଜେଟ୍ କରିବାକୁ ପଡେ । ଏଠାରେ କାର ଇନ୍ସୁରାନ୍ସ , EMI , ପେଟ୍ରୋଲ ଓ ମେଣ୍ଟେନାନ୍ସ ପାଇଁ ମଧ୍ୟ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ । ସେ କହିଛନ୍ତି କାର କିଣିବା ପରେ ଏହାର ମେଣ୍ଟେନାନ୍ସ ଚାର୍ଜ ଏବଂ ଇନ୍ସୁରାନ୍ସ ବିଲ ଅଧିକ ହୋଇଥାଏ ଯାହା ପାଇଁ ବଜେଟ ଜଗିକି ଖର୍ଚ୍ଚ କରିବାକୁ ପଡେ । ଏଥିପାଇଁ ଆମେରିକାରେ ଅଧିକ ଆୟ କରୁଥିବା ବ୍ୟକ୍ତି ବି ବଜେଟ ବନାଇ ଚଳନ୍ତି । କିନ୍ତୁ ମନୀଷାଙ୍କ ମତରେ କାର୍ଲିଫର୍ଣ୍ଣିଆରେ ଚଳିବା ମହଙ୍ଗା ହୋଇଥିଲେ ମଧ୍ୟ ଏହା ଆମେରିକାର ସବୁଠୁ ସୁନ୍ଦର ଓ ଭଲ ଜାଗା ଅଟେ ।

ତାଙ୍କର ଏହି ଇନଷ୍ଟାଗ୍ରାମ ପୋଷ୍ଟଟି ଭାଇରଲ ହେବାପରେ ଅନେକ ଲୋକ ନିଜର ମତାମତ ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି " ବେ ଏରିଆରେ ଦରମା ସେବେ ଅଧିକ ମନେହୁଏ ଯେପର୍ଯ୍ୟନ୍ତ ଭରଭଡ଼ା ଓ ପିଲାଙ୍କ ପାଳନପୋଷଣ ଖର୍ଚ୍ଚ ସାମିଲ ନ ହୋଇଛି । ସେପରି ଆଉ ଜଣେ ଲେଖିଛନ୍ତି ," ଭାରତରେ ଲୋକେ ଭାବନ୍ତି ଯେ ଯେଉଁମାନେ ଡଲାରରେ ରୋଜଗାର କରନ୍ତି ସେମାନେ ଅଧିକ ଧନୀ, କିନ୍ତୁ ସେଠାରେ ଖର୍ଚ୍ଚ ମଧ୍ୟ ଡଲାରରେ ହୋଇଥାଏ । ସବୁଠି ବଜେଟ କରି ଚଳିବା ଜରୁରୀ |