ମୁମ୍ୱାଇ: ଓଟିଟି ଏବଂ ସୋସିଆଲ୍ ମିଡିଆ ସମୟରେ ଫିଲ୍ମର ପ୍ରଚାର ଉପରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ବଡ଼ ବଡ଼ କଳାକାର ସହର ସହର ବୁଲି ନିଜ ଫିଲ୍ମର ପ୍ରଚାର କରୁଛନ୍ତି, କିନ୍ତୁ ହଲିଉଡର ଏପରି ଏକ ଫିଲ୍ମ ଅଛି, ଯାହାର ନିର୍ମାତା ଦର୍ଶକଙ୍କୁ ଫିଲ୍ମ ଦେଖିବା ପାଇଁ ଅପିଲ୍ ମଧ୍ୟ କରି ନ ଥିଲେ । ଏହା ବଦଳରେ ସେମାନେ ଏପରି ଏକ କାହାଣୀ ରଚନା କରିଥିଲେ, ଯାହାକୁ ଲୋକମାନେ ସତ ବୋଲି ଭାବି ନେଇଥିଲେ । ଫଳରେ, ମାତ୍ର ୪୯ ଲକ୍ଷ ଟଙ୍କାର ବଜେଟ୍ ଏବଂ ୮ ଦିନର ସୁଟିଂରେ ନିର୍ମିତ ଏହି ଫିଲ୍ମ ସାରା ବିଶ୍ୱରେ ପ୍ରାୟ ୨୦୦୦ କୋଟି ଟଙ୍କା ରୋଜଗାର କରିଥିଲା । ୧୯୯୯ରେ ମୁକ୍ତିଲାଭ କରିଥିବା ହଲିଉଡର ପ୍ରସିଦ୍ଧ ହରର୍ ଫିଲ୍ମ 'ଦି ବ୍ଲେୟାର ୱିଚ୍ ପ୍ରୋଜେକ୍ଟ' (The Blair Witch Project), ଆଜି ବି ଫିଲ୍ମ ମାର୍କେଟିଂର ସବୁଠାରୁ ସଫଳ ରଣନୀତି ଭାବେ ଗଣନା କରାଯାଏ ।

୮ ଦିନରେ ଶେଷ ହୋଇଥିଲା ସୁଟିଂ

'ଦି ବ୍ଲେୟାର ୱିଚ୍ ପ୍ରୋଜେକ୍ଟ'ର ନିର୍ଦ୍ଦେଶନା ଡାନିଏଲ୍ ମାଇରିକ୍ ଏବଂ ଏଡୁଆର୍ଡୋ ସାଞ୍ଚେଜ୍ କରିଥିଲେ । ସୀମିତ ବଜେଟ୍ ଯୋଗୁଁ ଫିଲ୍ମରେ ବଡ଼ ଷ୍ଟାରଙ୍କ ବଦଳରେ ନୂଆ କଳାକାର, ହିଦର୍ ଡୋନାହ୍ୟୁ, ଜୋଶୁଆ ଲିଓନାର୍ଡ ଏବଂ ମାଇକେଲ୍ ସି.ୱିଲିୟମ୍ସଙ୍କୁ ନିଆଯାଇଥିଲା । ପୂରା ଫିଲ୍ମର ସୁଟିଂ ମାତ୍ର ୮ ଦିନରେ ହ୍ୟାଣ୍ଡହେଲ୍ଡ କ୍ୟାମେରାରେ କରାଯାଇଥିଲା, ଯେପରି ପ୍ରତ୍ୟେକ ଦୃଶ୍ୟ ସମ୍ପୂର୍ଣ୍ଣ ବାସ୍ତବିକ ଲାଗିବ । ଫିଲ୍ମର କାହାଣୀ ତିନିଜଣ ଯୁବକ-ଯୁବତୀଙ୍କ ଚାରିପାଖରେ ଘୁରିବୁଲେ । ସେମାନେ ଏକ ରହସ୍ୟମୟ ଡାହାଣୀ ସନ୍ଧାନରେ ଜଙ୍ଗଲକୁ ଯାଆନ୍ତି ଏବଂ ପରେ ରହସ୍ୟମୟ ଭାବେ ନିଖୋଜ ହୋଇଯାଆନ୍ତି ।

ମାର୍କେଟିଂ ଏପରି ଯେ, ଲୋକେ ସତ ଭାବିନେଲେ

ଫିଲ୍ମ ରିଲିଜ୍ ହେବା ପୂର୍ବରୁ ନିର୍ମାତାମାନେ ଇଣ୍ଟରନେଟରେ ଏକ ୱେବସାଇଟ୍ ତିଆରି କରିଥିଲେ । ଏଥିରେ ତିନୋଟି ଯାକ ଚରିତ୍ର ପ୍ରକୃତରେ ନିଖୋଜ ଥିବା ଦର୍ଶାଯାଇଥିଲା । ୱେବସାଇଟରେ ସେମାନଙ୍କ ଫଟୋ, ନକଲି ପୋଲିସ ରିପୋର୍ଟ, ସମ୍ବାଦପତ୍ରର କଟିଂ ଏବଂ ନିଖୋଜ ପୋଷ୍ଟର ମଧ୍ୟ ସେୟାର କରାଯାଇଥିଲା । ସେହି ସମୟରେ ଇଣ୍ଟରନେଟ୍ ନୂଆ ନୂଆ ଲୋକପ୍ରିୟ ହେଉଥିଲା, ତେଣୁ ବହୁ ସଂଖ୍ୟାରେ ଲୋକ ଏହି କାହାଣୀକୁ ସତ ବୋଲି ମାନିନେଲେ । ଦର୍ଶକଙ୍କୁ ଲାଗିଲା ଯେ ସେମାନେ କୌଣସି ଫିଲ୍ମ ନୁହେଁ, ବରଂ ଜଙ୍ଗଲରୁ ମିଳିଥିବା ଅସଲି କ୍ୟାମେରାର ରେକର୍ଡିଂ ଦେଖୁଛନ୍ତି । ଏହି 'ଫାଉଣ୍ଡ୍ ଫୁଟେଜ୍' ଶୈଳୀ ଫିଲ୍ମର ସବୁଠାରୁ ବଡ଼ ୟୁଏସପି ପାଲଟିଗଲା । ଏହାକୁ ନେଇ ସବୁଆଡ଼େ ଚର୍ଚ୍ଚା ହେଲା ।

୨୦୦୦ କୋଟିରେ ପହଞ୍ଚିଲା ରୋଜଗାର

ରିଲିଜ୍ ପରେ 'ଦି ବ୍ଲେୟାର ୱିଚ୍ ପ୍ରୋଜେକ୍ଟ' ବକ୍ସ ଅଫିସରେ ଇତିହାସ ରଚିଲା । ପ୍ରାୟ ୪୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଫିଲ୍ମ ସାରା ବିଶ୍ୱରେ ପ୍ରାୟ ୨୦୦୦ କୋଟି ଟଙ୍କାର ବ୍ୟବସାୟ କଲା । ଏହାକୁ ଆଜି ଯାଏଁ ସବୁଠାରୁ ଅଧିକ ଲାଭଦାୟକ ଫିଲ୍ମଗୁଡ଼ିକ ମଧ୍ୟରେ ଗଣନା କରାଯାଏ । ଆଜି ବି 'ଦି ବ୍ଲେୟାର ୱିଚ୍ ପ୍ରୋଜେକ୍ଟ'କୁ ହଲିଉଡର ସବୁଠାରୁ ସଫଳ ମାର୍କେଟିଂ ଏବଂ ହରର୍ ଫିଲ୍ମ ମଧ୍ୟରେ ଗଣନା କରାଯାଏ ।