କରାଚୀ: ପାକିସ୍ତାନର ଆର୍ଥିକ ରାଜଧାନୀ କରାଚୀର ଏକ ସରକାରୀ ହସ୍ପିଟାଲରେ ସଂକ୍ରମଣ ନିୟନ୍ତ୍ରଣ ଓ ମେଡିକାଲ ବର୍ଜ୍ୟ ପରିଚାଳନାରେ ଗୁରୁତର ତ୍ରୁଟି କାରଣରୁ ଏଚଆଇଭି ପ୍ରକୋପ କରିଛି। ଫଳରେ ହସ୍ପିଟାଲରେ ନଭେମ୍ବର ୨୦୨୫ରୁ ଏ ପର୍ଯ୍ୟନ୍ତ ୬ ଜଣ ପିଲାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୯୪ ଜଣ ସଂକ୍ରମିତ ହୋଇଛନ୍ତି। ସିନ୍ଧ ପ୍ରାନ୍ତ ସ୍ୱାସ୍ଥ୍ୟ ସଚିବ ତାହିର ହୁସେନ ସଙ୍ଗୀ ଗଣମାଧ୍ୟମକୁ କହିଛନ୍ତି ଯେ ଏହି ପ୍ରକୋପ ପ୍ରଥମେ ୨୦୨୫ ମସିହାରେ କରାଚୀର କୁଲସୁମ ବାଇ ବାଳିକା ହସ୍ପିଟାଲରେ ଜଣାପଡିଥିଲା। ଏହି ହସ୍ପିଟାଲକୁ ସିନ୍ଧ ଏମ୍ପ୍ଲଇଜ୍ ସୋସିଆଲ ସିକ୍ୟୁରିଟି ଇନିଷ୍ଟିଚ୍ୟୁସନ ଚଳାଉଛି।

ସଙ୍ଗୀ କହିଛନ୍ତି ଯେ ଚଳିତମାସରେ ପିଲାଙ୍କ ଠାରେ ଏଚଆଇଭିର ୧୬ ନୂଆ ମାମଲା ପୁଷ୍ଟି ହୋଇଛି। ଏଣୁ ଗତ ନଭେମ୍ବରରୁ ଏ ପର୍ଯ୍ୟନ୍ତ ମୋଟ ସଂକ୍ରମିତ ପିଲାଙ୍କ ସଂଖ୍ୟା ୯୪କୁ ପହଞ୍ଚିଛି। ସେ କହିଛନ୍ତି ଯେ ଏଚଆଇଭି ପ୍ରକୋପ ପରେ ସିନ୍ଧ ସ୍ୱାସ୍ଥ୍ୟ ବିଭାଗ ହସ୍ପିଟାଲ ଓ ଆଖପାଖ ଅଞ୍ଚଳ ଯାଞ୍ଚ ପାଇଁ ଟିମ୍ ମୁତୟନ କରାଯାଇଥିଲା। ଏହି ଟିମ୍ ର ଯାଞ୍ଚ କାଳରେ ହସ୍ପିଟାଲ ଆଖପାଖରେ ରହୁଥିବା ପାଖାପାଖି ୧୦ ହଜାର ଲୋକଙ୍କ ମଧ୍ୟରୁ ୧୨୦ ଜଣ ଏଚଆଇଭି ପଜେଟିଭ ମିଳିଛନ୍ତି। ଏମାନଙ୍କ ମଧ୍ୟରେ ବୟଷ୍କ ଓ ପିଲା ମଧ୍ୟ ସାମିଲ ଅଛନ୍ତି। ଏଚଆଇଭି ପଜେଟିଭ ମିଳିଥିବା ଲୋକଙ୍କ ଚିକିତ୍ସା ସରକାରୀ ଖର୍ଚ୍ଚରେ କରାଯାଉଛି।

ସିନ୍ଧ ଶ୍ରମମନ୍ତ୍ରୀ ସଇଦ ଗନି ବୁଧବାର ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରଭାବିତ ପିଲାଙ୍କ ଦୀର୍ଘ ସମୟ ଧରି ଚାଲିବାକୁ ଥିବା ଚିକିତ୍ସା ଲାଗି ଏଣ୍ଡୋମେଣ୍ଟ ଫଣ୍ଡ ବ୍ୟବସ୍ଥା କରାଯାଇଛି। ସେହିପରି ଚିକିତ୍ସା ରଣନୀତି ଓ ପ୍ରଭାବିତଙ୍କ ଦେଖରେଖ ଲାଗି ମୁଖ୍ୟ ଚିକିତ୍ସା ବିଶେଷଜ୍ଞଙ୍କ ଏକ ସ୍ଥାୟୀ କମିଟି ଗଠନ କରାଯିବ। ସେ କହିଛନ୍ତି ଯେ ସଂକ୍ରମିତ ପିଲାଙ୍କ ଚିକିତ୍ସା ୫ଟି ପ୍ରମୁଖ ସଂସ୍ଥାରେ କରାଯାଉଛି। ଏଥିରେ ଇଣ୍ଡସ ହସ୍ପିଟାଲ, ଏକେୟୁଏଚ୍, ଡାଉ ୟୁନିଭର୍ସିଟି ଅଫ ହେଲଥ୍ ସାଇନ୍ସେସ ମଧ୍ୟ ସାମିଲ ଅଛି।

ସିନ୍ଧ ହାଇକୋର୍ଟ ଗତ ସପ୍ତାହରେ ପ୍ରାନ୍ତିୟ ସରକାରଙ୍କୁ ହସ୍ପିଟାଲରେ ଏଚଆଇଭି ବ୍ୟାପିବା ନେଇ ସ୍ପଷ୍ଟିକରଣ ରଖିବାକୁ ୩ ସପ୍ତାହ ସମୟ ଦେଇଥିଲେ। ଏହି ହସ୍ପିଟାଲଟି ପ୍ରାନ୍ତିୟ ଶ୍ରମ ବିଭାଗ ଦ୍ୱାରା ସଞ୍ଚାଳିତ ହେଉଛି।