କଟକ ୨୩।୧୧: କଟକ ଐତିହାସିକ ବାଲିଯାତ୍ରାକୁ ଆସୁଥିବା ଲକ୍ଷାଧିକ ଜନସାଧାରଣଙ୍କ ସୁବିଧା, ସୁଗମ ଓ ସୁରକ୍ଷିତ ଯାତାୟାତକୁ ଗୁରୁତ୍ବ ଦେଇ କମ୍ପ୍ରେହେନସିଭ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ସ୍ବତନ୍ତ୍ର ଆମ ବସ୍ ସଟଲ୍ ସେବାର ବ୍ୟବସ୍ଥା କରାଯାଇଛି । ଏହି ବ୍ୟବସ୍ଥାରେ ବାଲିଯାତ୍ରାକୁ ଆସୁଥିବା ଦର୍ଶକମାନେ ଅତି ସୁଲଭ ମୂଲ୍ୟରେ ସହଜରେ ଯିବାଆସିବା କରିପାରିବେ।

ଏହି ସ୍ବତନ୍ତ୍ର ସଟଲ୍ ବସ୍ ସେବା ଭୁଆସୁଣୀ ମନ୍ଦିରରୁ କ୍ୟାଣ୍ଟନମେଣ୍ଟ ଥାନା ମଧ୍ୟରେ ଉପଲବ୍ଧ ହେବ । ଏହି ରୁଟ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଫ୍ଲାଟ୍ ଟିକେଟ୍ ମାତ୍ର ୧୦ ଟଙ୍କା ରଖାଯାଇଛି । ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏହି ସେବା ପାଇଁ ମୋଟ୍ ୫୦ଟି ଆମ ବସ୍ ନିୟୋଜିତ କରାଯାଇଛି ।

ବାଲିଯାତ୍ରା ସମୟରେ ହେଉଥିହବା ବ୍ୟାପକ ଜନ ସମାଗମ ଓ ଯାନବାହନ ଚଳାଚଳର ଚାପକୁ ଦୃଷ୍ଟିରେ ରଖି ସାଧାରଣ ଲୋକଙ୍କୁ ସୁବ୍ୟବସ୍ଥିତ ପରିବହନ ସେବା ଯୋଗାଇ ଦେବା ହେଉଛି ମୂଳ ଲକ୍ଷ୍ୟ । ଏହାଦ୍ବାରା ମେଳାକୁ ଆସୁଥିସବା ଦର୍ଶକମାନେ ବ୍ୟକ୍ତିଗତ ଯାନବାହନ ଉପରେ ନିର୍ଭର ନକରି ଆମ ବସ୍‌ରେ ସୁବିଧାରେ ଯାତାୟାତ କରିପାରିବେ । ଏଥିସହ ବାଲିଯାତ୍ରାରେ ଯାନବାହନ ଭିଡ଼ କମ୍ କରିବା ଏବଂ ଯାତାୟାତ ବ୍ୟବସ୍ଥାକୁ ଅଧିକ ସୁଗମ କରିବାରେ ଏହି ସେବା ସହାୟକ ହେବ ।

ଜନସାଧାରଣଙ୍କୁ ସୁଲଭ, ନିର୍ଭରଯୋଗ୍ୟ ଓ ଯାତ୍ରୀ ଅନୁକୂଳ ପରିବହନ ସେବା ଯୋଗାଇଦେବା ଦିଗରେ କ୍ରୁଟ୍ ସର୍ବଦା ପ୍ରତିବଦ୍ଧ । ବାଲିଯାତ୍ରାକୁ ଆସୁଥିବା ସମସ୍ତ ଦର୍ଶକ ଏହି ସ୍ବତନ୍ତ୍ର ଆମ ବସ୍ ସଟଲ୍ ସେବାର । ଲାଭ ଉଠାଇବା ସହ ସୁବିଧାଜନକ ଗଣପରିବହନକୁ ଆପଣାଇବାକୁ କ୍ରୁଟ୍ ପକ୍ଷରୁ କୁହାଯାଇଛି ।