ଭୁବନେଶ୍ୱର, ୨୧|୦୭ : ଆସନ୍ତା ୨୨ ତାରିଖରେ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସଂଲଗ୍ନ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୨୪ ତାରିଖ ବା ବାହୁଡ଼ା ଯାତ୍ରା ଦିନ ଏହା ଲଘୁଚାପ ରୂପ ନେଇପାରେ। ଏହା ପ୍ରଭାବରେ ୨୨ ତାରିଖଠାରୁ ବର୍ଷା ବଢ଼ିପାରେ। ବାହୁଡ଼ା ଦିନ ପୁରୀରେ ଅଧିକ ବର୍ଷା ହୋଇପାରେ। ଉତ୍ତର ଓଡ଼ିଶାରେ ଭାରି ବର୍ଷା ସମ୍ଭାବନା ଅଛି। ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ପକ୍ଷରୁ ଡ. ଶରତ ସାହୁ ଏହି ଆକଳନ କରିଛନ୍ତି।

ତାଙ୍କ ପୂର୍ବାନୁମାନ ଅନୁସାରେ, ଲଘୁଚାପ ପ୍ରଭାବରେ ଉତ୍ତର, ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ । ୨୭ରୁ ୩୦ ଭିତରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି। ମାସ ଶେଷ ଯାଏ ବର୍ଷା ଲାଗି ରହିବ। ଏବେ ମୌସୁମୀ ଟ୍ରଫଲାଇନ୍ ସକ୍ରିୟ ଅଛି। ଏହା ପ୍ରଭାବରେ ବର୍ଷା ହେବ। କିଛି ସ୍ଥାନରେ ପ୍ରବଳ ବା ୧୦୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ବିଜୁଳି ଓ ଘଡ଼ଘଡ଼ି ମଧ୍ଯ ରହିବ ବୋଲି ସେ କହିଛନ୍ତି।

ମଙ୍ଗଳବାର ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ। ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ। ୨୨ ଓ ୨୩ ତାରିଖରେ ଉତ୍ତର ଓଡ଼ିଶାରେ ଭାରି ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସୋମବାର କେନ୍ଦୁଝରରେ ୩୦.୬, ଟିଟିଲାଗଡ଼ରେ ୧୭, ପାରାଦୀପରେ ୨୫.୪ ମିମି ବର୍ଷା ରେକର୍ଡ ହୋଇଛି।