ନୂଆଦିଲ୍ଲୀ: ହରିୟାଣା ଏବଂ ରାଜସ୍ଥାନ ସୋମବାର ୧୯୯୪ ମସିହାର 'ଅପର ଯମୁନା ନଦୀ ବୋର୍ଡ' ଚୁକ୍ତିନାମାକୁ ଲାଗୁ କରିବା ପାଇଁ ଏକ ସହମତି ପତ୍ର ସ୍ଵାକ୍ଷର କରିଛନ୍ତି । ଏହାଦ୍ଵାରା ଗତ ପ୍ରାୟ ୩୨ ବର୍ଷ ଧରି ଅଟକି ରହିଥିବା ଯମୁନା ଜଳ ପ୍ରକଳ୍ପ ପାଇଁ ବାଟ ଫିଟିଛି । ଏହି ବୁଝାମଣା ନୂଆଦିଲ୍ଲୀରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ, କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସିଆର୍ ପାଟିଲ୍, ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନୀ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ୍ ଶର୍ମାଙ୍କ ଉପସ୍ଥିତିରେ ହୋଇଛି ।

ଯମୁନା ଜଳର ଏହି ପ୍ରକଳ୍ପର ଆନୁମାନିକ ବ୍ୟୟ ଅଟକଳ ପ୍ରାୟ ୩୪,୧୦୨ କୋଟି ଟଙ୍କା ରଖାଯାଇଛି । ଏହାଦ୍ଵାରା ରାଜସ୍ଥାନର ଜଳ-ସଙ୍କଟ ସାମନା କରୁଥିବା ଅଞ୍ଚଳଗୁଡ଼ିକୁ ଦୀର୍ଘକାଳୀନ ପାନୀୟ ଜଳ ସୁରକ୍ଷା ମିଳିବ ବୋଲି ଆଶା କରାଯାଉଛି । ଏହା ସହିତ ନୂତନ ଜଳ ଭିତ୍ତିଭୂମି ମାଧ୍ୟମରେ ହରିୟାଣାର ଅନେକ ଭାଗ ମଧ୍ୟ ଉପକୃତ ହେବେ ।

୧୯୯୪ରୁ ଅଟକି ରହିଥିଲା ଏହି ପ୍ରକଳ୍ପ

ହରିୟାଣା ଏବଂ ରାଜସ୍ଥାନ ମଧ୍ୟରେ ସ୍ଵାକ୍ଷରିତ ଏହି ସହମତି ପତ୍ର ୧୯୯୪ର ଉପର ଯମୁନା ନଦୀ ବୋର୍ଡ ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବ । ଏହା ଅବବାହିକା ରାଜ୍ୟଗୁଡ଼ିକ ମଧ୍ୟରେ ଯମୁନା ନଦୀର ଜଳ ବଣ୍ଟନ ଏବଂ ପରିଚାଳନାକୁ ନିୟନ୍ତ୍ରିତ କରିବି । ସହମତି ପତ୍ର ଉପରେ ସ୍ଵାକ୍ଷର ସମାରୋହରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଏହି ଚୁକ୍ତିନାମାକୁ ରାଜ୍ୟ ପାଇଁ ଏକ ମାଇଲଖୁଣ୍ଟ ବୋଲି କହିଛନ୍ତି । ତିନି ଦଶନ୍ଧି ଧରି ଚାଲିଥିବା ଏହି ବିବାଦର ସମାଧାନର ଶ୍ରେୟ ସେ କେନ୍ଦ୍ର ସରକାରଙ୍କୁ ଦେଇଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜଳ ସୁରକ୍ଷା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତର ଦୃଷ୍ଟିକୋଣର ଏକ ପ୍ରମୁଖ ସ୍ତମ୍ଭ । ଯମୁନା ଜଳ ପ୍ରକଳ୍ପ, ନର୍ମଦା ପ୍ରକଳ୍ପ, ଜଳ ଜୀବନ ମିଶନ, କେନ୍-ବେତୱା ଲିଙ୍କ୍ ପ୍ରକଳ୍ପ ଏବଂ ରାମ ଜଳ ସେତୁ ଲିଙ୍କ୍ ଭଳି ସମସ୍ତ ଯୋଜନା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

ଚୁକ୍ତିନାମାର ମୁଖ୍ୟ ବିନ୍ଦୁଗୁଡ଼ିକ

  • ଚୁକ୍ତିନାମା ଅନୁଯାୟୀ, ରାଜସ୍ଥାନର ଆବଣ୍ଟିତ ୫୭୭ ନିୟୁତ ଘନ ମିଟର (MCM) ଯମୁନା ଜଳକୁ ହରିୟାଣାର ହାତନିକୁଣ୍ଡ ବ୍ୟାରେଜରୁ ଚୁରୁ ଜିଲ୍ଲାର ହଂସିଆୱାସ ଜଳଭଣ୍ଡାରକୁ ପ୍ରାୟ ୨୯୫.୫ କିଲୋମିଟରର ଏକ ଭୂତଳ ପାଇପଲାଇନ ନେଟୱାର୍କ ମାଧ୍ୟମରେ ପରିବହନ କରାଯିବ ।
  • ଏହି ପ୍ରକଳ୍ପରେ ୩.୬ ମିଟର ବ୍ୟାସ ବିଶିଷ୍ଟ ତିନୋଟି ଭୂତଳ ପାଇପଲାଇନ ନିର୍ମାଣ, ଯାଞ୍ଚ ରାସ୍ତା, କୃତ୍ରିମ ଜଳଭଣ୍ଡାର ଏବଂ ଏକ ଆଧୁନିକ ଜଳ ପରିଚାଳନା ପ୍ରଣାଳୀ ଅନ୍ତର୍ଭୁକ୍ତ ।
  • ହରିୟାଣାର ୧୦ଟି ସ୍ଥାନରେ ପାନୀୟ ଜଳ ଯୋଗାଇବା ପାଇଁ ଭିତ୍ତିଭୂମି ଡିଜାଇନ୍ କରାଯାଇଛି, ଫଳରେ ଏହି ଦ୍ୱାରା ଉଭୟ ରାଜ୍ୟ ଲାଭବାନ ହୋଇପାରିବେ ।

ଉଲ୍ଲେଖନୀୟ ଯେ ରାଜସ୍ଥାନ ସରକାର ପୂର୍ବରୁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (DPR) ପ୍ରସ୍ତୁତ କରି କେନ୍ଦ୍ରୀୟ ଜଳ ଆୟୋଗର e-PAMS ପୋର୍ଟାଲରେ ଅପଲୋଡ୍ କରିସାରିଛି । ହରିୟାଣା ପ୍ରସ୍ତାବିତ ପାଇପଲାଇନ ଆଲାଇନମେଣ୍ଟ ପାଇଁ ନୀତିଗତ ଅନୁମୋଦନ ଦେଇଛି । ରାଜସ୍ଥାନ-ହରିୟାଣା ଯମୁନା ଜଳ ପ୍ରକଳ୍ପ ଏସପିଭି (Special Purpose Vehicle) ବା ସ୍ଵତନ୍ତ୍ର ସଂସ୍ଥା ପ୍ରତିଷ୍ଠା କରିବେ । ଏହି ସଂସ୍ଥା ପ୍ରକଳ୍ପର କାର୍ଯ୍ୟାନ୍ୱୟନ, ନିର୍ମାଣ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ ତଦାରଖ କରିବ ।