ଲଣ୍ଡନ: ମହିଳା ଟି-୨୦ ବିଶ୍ୱକପରେ ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜବରଦରସ୍ତ ଲଢ଼େଇ ଜାରି ରହିଛି। ଏହି ମ୍ୟାଚ୍ ଲଣ୍ଡନର ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି। ଆଜିର ମ୍ୟାଚରେ ଭାରତୀୟ କ୍ୟାପ୍ଟେନ୍ ହରମନପ୍ରୀତ କୌର ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୭୦ ରନ୍ କରିଛି।

କିନ୍ତୁ ଆଜିର ମ୍ୟାଚରେ ସବୁଠାରୁ ଚର୍ଚ୍ଚାର ବିଷୟ ହେଲା କ୍ୟାପ୍ଟେନ୍ ହରମନପ୍ରୀତଙ୍କର ଦ୍ରୁତ ଅର୍ଦ୍ଧଶତକ। ସେମିଫାଇନାଲ ଟିକେଟ୍ ପାଇଁ ଆଜି କର ବା ମର ପରିସ୍ଥିତି ଥିବାରୁ କ୍ୟାପ୍ଟେନ୍ କୌର ଦ୍ରୁତ ଅର୍ଦ୍ଧଶତକ କରି ରେକର୍ଡ କରିଛନ୍ତି। ମାତ୍ର ୨୫ ବଲରେ ଅର୍ଦ୍ଧଶତକ ହାସଲ କରି କୌର ନିଜର ପୂର୍ବ ରେକର୍ଡକୁ ନିଜେ ଭାଙ୍ଗି ଦେଇଛନ୍ତି। କେବଳ ସେତିକି ନୁହେଁ, ମହିଳା ଟି-୨୦ ବିଶ୍ୱକପ ଇତିହାସରେ ସବୁଠାରୁ ଦ୍ରୁତତମ ଅର୍ଦ୍ଧଶତକ ହାସଲକାରୀ ଭାରତୀୟ ବ୍ୟାଟର ହୋଇଛନ୍ତି ହରମନପ୍ରୀତ।

ହରମପ୍ରୀତଙ୍କ ଐତିହାସିକ ଇନିଂସ

ଜୁନ୍ ୨୮ ତାରିଖରେ ହେଉଥିବା ମୁକାବିଲାରେ ଅଷ୍ଟ୍ରେଲିଆ ବିପକ୍ଷରେ ହରମନପ୍ରୀତ କୌର ୨୭ଟି ବଲ୍ ଖେଳି ୫୬ ରନ୍ ସଂଗ୍ରହ କରିଛନ୍ତି। ସେ ମାତ୍ର ୨୫ଟି ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଯେଉଁଥିରେ ୬ଟି ଚୌକା ଏବଂ ୩ଟି ଛକା ରହିଥିଲା। ୨୦ତମ ଓଭରରେ ସୋଫି ମୋଲିନ୍ୟୁକ୍ସଙ୍କ ବଲରେ କ୍ୟାପ୍ଟେନ କୌର ହ୍ୟାଟ୍ରିକ୍ ଚକା ମାରିଥିଲେ। ଏହି ସଫଳତା ସହ ସେ ଭାରତ ପାଇଁ ମହିଳା ଟି-୨୦ ବିଶ୍ୱକପ୍ ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିବା ବ୍ୟାଟର୍ ହୋଇଛନ୍ତି। ଅବଶ୍ୟ ଏହି ରେକର୍ଡ ପୂର୍ବରୁ ମଧ୍ୟ ତାଙ୍କରି ନାଁରେ ଥିଲା। ସେ ୨୦୨୪ ମସିହାରେ ୨୭ଟି ବଲରେ ଏହି କାରନାମା କରିଥିଲେ। ତାଙ୍କ ପଛକୁ ଶେଫାଳୀ ବର୍ମା ଏବଂ ସ୍ମୃତି ମନ୍ଧାନା ଅଛନ୍ତି, ଯେଉଁମାନେ ଯଥାକ୍ରମେ ୨୯ ଏବଂ ୩୧ଟି ବଲରେ ଅର୍ଦ୍ଧଶତକ ହାସଲ କରିଛନ୍ତି।

ଭାରତୀୟ ଇନିଂସ 

ହରମନପ୍ରୀତ କୌରଙ୍କ ଏହି ଇନିଂସ ବଳରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଆଗରେ ୧୭୧ ରନର ଲକ୍ଷ୍ୟ ରଖିଛି। ହରମନପ୍ରୀତ ଯେତେବେଳେ ବ୍ୟାଟିଂ କରିବାକୁ ଆସିଥିଲେ, ସେତେବେଳେ ଭାରତ ୨ ୱିକେଟ୍ ହରାଇ ୮୩ ରନ୍ କରିଥିଲା। ସ୍ମୃତି ମନ୍ଧାନା ୩୭ଟି ବଲରେ ୩୮ ରନର ଏକ ସଂଘର୍ଷପୂର୍ଣ୍ଣ ଇନିଂସ୍ ଖେଳି ଆଉଟ୍ ହୋଇଥିଲେ। ଏହାପରେ ସେଫାଳୀଙ୍କ ସହ ମିଶି ହରମନପ୍ରୀତ ରନ ଗତିକୁ ବଢ଼ାଇଥିଲେ। ଦଳ ପାଇଁ ସେଫାଳୀ ବର୍ମା ୨୬ ବଲରେ ୩୪ ରନ୍ କରିଥିଲେ।

ଅନ୍ତିମ- ୪ରେ ସ୍ଥାନ ପକ୍କା କରିବାକୁ ହେଲେ ଟିମ୍ ଇଣ୍ଡିଆକୁ ଆଜି ଅଷ୍ଟ୍ରେଲିଆକୁ ପରାସ୍ତ କରିବାକୁ ପଡିବ। ତେଣୁ ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ବାଂଲାଦେଶକୁ ଚାରି ୱିକେଟରେ ପରାସ୍ତ କରି ପାଞ୍ଚଟି ମ୍ୟାଚରୁ ଆଠ ପଏଣ୍ଟ ହାସଲ କରିସାରିଛି। ଭାରତର ବର୍ତ୍ତମାନ ଚାରିଟି ମ୍ୟାଚରୁ ୬ ପଏଣ୍ଟ ପାଇଛି।