ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଜାରି ସଙ୍କଟ ମଧ୍ୟରେ ଭାରତ ଲାଗି ଆଶ୍ବସ୍ତିକର ଖବର ଆସିଛି । ଭାରତର ସାଧାରଣ ଜନତାଙ୍କୁ ଆଶ୍ବସ୍ତ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ । କେନ୍ଦ୍ରମନ୍ତ୍ରୀ ଦେଶରେ ଇନ୍ଧନ ଅଭାବ ଏବଂ ସମ୍ଭାବ୍ୟ ଲକଡାଉନ୍ ସମ୍ପର୍କିତ ସମସ୍ତ ଗୁଜବକୁ ଖାରଜ କରିଛନ୍ତି। CII ସମ୍ମିଳନୀରେ, କେନ୍ଦ୍ରମନ୍ତ୍ରୀ ପୁରୀ ସ୍ପଷ୍ଟ କରିଛନ୍ତି ଯେ, ଯଦିଓ ବର୍ତ୍ତମାନ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି, କିନ୍ତୁ ଭାରତ ଏହି ସଙ୍କଟକୁ ଏକ ସୁଯୋଗରେ ପରିଣତ କରିଛି। ସେ ଦେଶର ଶକ୍ତି ସଂରକ୍ଷଣ ଏବଂ ତୈଳ ମୂଲ୍ୟ ସମ୍ପର୍କରେ ପରିସ୍ଥିତି ସ୍ପଷ୍ଟ କରିଛନ୍ତି।

ଆଉ ଏକ ଲକଡାଉନ୍ ହେବ କି ?

ସୋସିଆଲ ମିଡିଆରେ ଆଲୋଚନା ହେଉଥିଲା ଯେ, ଏହି ଯୁଦ୍ଧ ଦେଶରେ ଆଉ ଏକ ବଡ଼ ଲକଡାଉନ୍ ଆଣିପାରେ। ଏହା ଉପରେ ହରଦୀପ ପୁରୀ କହିଛନ୍ତି, ‘ଆମକୁ ଏପରି ଗୁଜବ ବନ୍ଦ କରିବାକୁ ପଡିବ। କୌଣସି ଲକଡାଉନ୍ ହେବନାହିଁ। ଏଗୁଡ଼ିକ କେବଳ ମିଥ୍ୟା ଏବଂ ବାସ୍ତବତା ସହିତ ଏହାର କୌଣସି ସମ୍ପର୍କ ନାହିଁ।’

ଆମ ପାଖରେ କେତେ ତେଲ-ଗ୍ୟାସ୍ ଷ୍ଟକ୍ ଅଛି ?

କେନ୍ଦ୍ରମନ୍ତ୍ରୀ ଦେଶକୁ ଆଶ୍ୱାସନା ଦେଇଛନ୍ତି ଯେ, ଭାରତରେ ପର୍ଯ୍ୟାପ୍ତ ପରିମାଣର ତୈଳ ଏବଂ ଗ୍ୟାସ୍ ଗଚ୍ଛିତ ଅଛି। ସେ ଏନେଇ ତଥ୍ୟ ମଧ୍ୟ ଦେଇଛନ୍ତି ।

ଅଶୋଧିତ ତୈଳ- ୬୦ ଦିନ ପାଇଁ ଷ୍ଟକ ଅଛି

LNG- ୬୦ ଦିନର ବ୍ୟାକଅପ୍

LPG (ରନ୍ଧନ ଗ୍ୟାସ୍)- ୪୫ ଦିନର ଷ୍ଟକ୍

ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସିର ମାନଦଣ୍ଡ ୯୦ ଦିନ ତୁଳନାରେ ଭାରତରେ ବର୍ତ୍ତମାନ ୭୬ ଦିନର ସଂରକ୍ଷଣ ରହିଛି। ଭବିଷ୍ୟତ ପାଇଁ ଏହି ସଂରକ୍ଷଣକୁ ଆହୁରି ବୃଦ୍ଧି କରାଯିବ ବୋଲି ସେ ସୂଚନା କରିଛନ୍ତି।

ଏଲପିଜିର ଅଭାବ ନାହିଁ

ଯୁଦ୍ଧ ପୂର୍ବରୁ, ଭାରତର ୬୦% ରନ୍ଧନ ଗ୍ୟାସ ହର୍ମୁଜ୍ ପ୍ରଣାଳୀ ଦେଇ ଆସୁଥିଲା। ଯୁଦ୍ଧ ପାଇଁ ଯେଉଁଭଳି ଯୋଗାଣ ବାଧାପ୍ରାପ୍ତ ନହେବ, ସେଥିପାଇଁ ଭାରତ ଏହାର ଘରୋଇ ଉତ୍ପାଦନ କ୍ଷମତା ୩୬୦୦୦ ମେଟ୍ରିକ୍ ଟନରୁ ୫୪୦୦୦ ମେଟ୍ରିକ୍ ଟନକୁ ବୃଦ୍ଧି କରିଛି। ମନ୍ତ୍ରୀ ସ୍ପଷ୍ଟ ଭାବରେ କହିଛନ୍ତି, ‘ଦେଶରେ କୌଣସି ସ୍ଥାନରେ ଗ୍ୟାସ କିମ୍ବା ତେଲର ଅଭାବ ନାହିଁ।’