ନୂଆଦିଲ୍ଲୀ, ୦୧/୦୧ : ସରିଲା ୨୦୨୫ । ଆରମ୍ଭ ହେଲା ୨୦୨୬ । ନୂଆବର୍ଷ ପାଇଁ ସାରା ବିଶ୍ୱରେ ଖୁସି ଏବଂ ଉତ୍ସାହର ମାହୋଲ । ୨୦୨୬କୁ ସବୁ ଦେଶ କରିଛନ୍ତି ସ୍ୱାଗତ । ତେବେ ସବୁ ଦେଶରେ ଏକା ସମୟରେ ବଦଳିନି କ୍ୟାଲେଣ୍ଡର । ଭିନ୍ନ ଟାଇମ୍ ଜୋନ୍ ଥିବାରୁ କେଉଁଠି ପ୍ରଥମେ ଆସିଛି ଜାନୁଆରୀ ୧ ତ ଆଉ କେଉଁଠି କିଛି ଘଣ୍ଟା କିମ୍ବା ମିନିଟରେ ଆସିଛି ନବ ବରଷ ।

ଭାରତରେ ନୂଆବର୍ଷକୁ ଧୁମଧାମରେ ସ୍ୱାଗତ କରାଯାଇଛି । ବିଭିନ୍ନ ସ୍ଥାନରେ ବାଣ ଫୁଟାଇ ଡିଜେ ବଜାଇ ସ୍ୱାଗତ କରିଛନ୍ତି ଲୋକେ । ଏହାସହ ମଧ୍ୟରାତ୍ରିରେ ବାରଣାସୀର ଗଙ୍ଗାଘାଟରେ ପ୍ରାର୍ଥନା ସହ ଗଙ୍ଗା ଆଳତି ହୋଇଛି ।

ସେହିପରି ଚାଇନାରେ ନୃତ୍ୟମାଧ୍ୟରେ ୨୦୨୬କୁ ସ୍ୱାଗତ କରାଯାଇଛି । ବେଜିଂର ଜୁୟୋନଗୁଆନରେ ଥିବା ଗ୍ରେଟ୍ ଓ୍ୱାଲ ନିକଟରେ ଜିରୋ ନାଇଟ୍ ସେଲିବ୍ରେସନ ହୋଇଥିଲା । କ୍ୟାଲେଣ୍ଡର ବଦଳିବା ପରେ ସେଠାରେ ଉପସ୍ଥିତ ସମସ୍ତେ ନବବର୍ଷର ଅଭିନନ୍ଦନ ଜଣାଇଥିଲେ ।

ଦକ୍ଷିଣ କୋରିଆରେ ମଧ୍ୟ ଲୋକେ ଜୋଗେସା ମନ୍ଦିରରେ ପୂଜାର୍ଚ୍ଚନା କରି ୨୦୨୬କୁ ସ୍ୱାଗତ କରିଛନ୍ତି । ସେଠାରେ ଜିରୋ ନାଇଟରେ ଲେଜର୍ ସୋ ମଧ୍ୟ ହୋଇଥିଲା ।

 

ଜାପାନରେ କମ୍ ବୟସର ଯୁବତୀମାନେ କିମୋନୋ ସହରରେ ଧୁମଧାମରେ ୨୦୨୬କୁ ସ୍ୱାଗତ କରିଛନ୍ତି । ସେମାନେ ପାରମ୍ପରିକ ପୋଷାକ ପିନ୍ଧି ସିଣ୍ଟୋ ମେଳାରେ ସାମିଲ ହୋଇଥିଲେ । ଓସାକାରେ ହଜାର ହଜାର ମହିଳା ସିଣ୍ଟୋ ପର୍ବରେ ଯୋଗ ଦେଇଥିଲେ ।

ଇଣ୍ଡୋନେସିଆର ବାଲିରେ ଶହଶହ କଳାକାର ପାରମ୍ପିରକ ନାଚ ସହ ଗୀତ ଗାଇ ୨୦୨୬କୁ ସ୍ୱାଗତ କରିଛନ୍ତି ।

ଅଷ୍ଟ୍ରେଲିଆରେ ରାତି ୧୨ଟା ବାଜିଲା ପରେ ବାଣ ଫୁଟିଥିଲା । ଦେଶର ବିଭିନ୍ନ ସହରରେ ଆତସବାଜି ସୋ ଅନୁଷ୍ଠିତ ହୋଇଥିଲା ।ନ୍ୟୁଜିଲାଣ୍ଡରେ ମଧ୍ୟ ସମାନ ଷ୍ଟାଇଲରେ ନୂଆବର୍ଷକୁ ସ୍ୱାଗତ କରାଯାଇଛି ।