ନୂଆଦିଲ୍ଲୀ,/୦୯ : ଆଜି ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିବସ। ଏହି ଅବସରରେ ସାରା ଦେଶରେ ଜଳିବ ଆଶୀର୍ବାଦ ଦୀପ। ମଧ୍ୟପ୍ରଦେଶରେ ୫୮ ଲକ୍ଷ,ଛତିଶଗଡ଼ରେ ୩୬ ଲକ୍ଷ,ହରିୟାଣାରେ ୭୯ଲକ୍ଷ ଏବଂ ପଶ୍ଚିମବଙ୍ଗରେ ୭୦ ଲକ୍ଷ ଦୀପ ଜଳାଇବା ପାଇଁ ପ୍ରସ୍ତୁତି ହୋଇଛି। ଏହା ସହିତ,ମୋଦିଙ୍କ ଜନ୍ମସ୍ଥାନ ବଡନଗର ଏବଂ ତାଙ୍କ ଲୋକସଭା ନିର୍ବାଚନମଣ୍ଡଳୀ ବାରାଣସୀ ମଧ୍ୟରେ ପ୍ରାୟ ୧୩ଶହ କିଲୋମିଟର ବାଇକ୍ ଶୋଭାଯାତ୍ରା କରାଯିବ।

ଏହି ଯାତ୍ରାରେ ପ୍ରାୟ ୧ହଜାର ଯୁବକ ଅଂଶଗ୍ରହଣ କରିବେ। ଏହି ଯାତ୍ରା ଅକ୍ଟୋବର ୭ ତାରିଖରେ ଶେଷ ହେବ। ଏହି ବିଶେଷ ଅବସର ପାଇଁ ଦେଶବ୍ୟାପୀ'ସେବା ସଂକଳ୍ପ ଅଭିଯାନ'ଏବଂ'ସେବା ପକ୍ଷ'ପାଳନ କରାଯାଉଛି। ତାଙ୍କର ସାର୍ବଜନୀନ ସେବାର ୨୫ ବର୍ଷ ପୂର୍ତ୍ତି ଏବଂ ଜନ୍ମଦିନକୁ ଆଧାର କରି ରକ୍ତଦାନ ଶିବିର,ସ୍ୱାସ୍ଥ୍ୟ ପରୀକ୍ଷା,ବୃକ୍ଷରୋପଣ ଏବଂ ସ୍ୱଚ୍ଛତା ଅଭିଯାନ ଭଳି ଅନେକ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।

ଗତ ଏକ ଦଶନ୍ଧିରୁ ଅଧିକ ସମୟ ଧରି ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦୀ ଦେଶକୁ ନୂତନ ଦିଗଦର୍ଶନ ଦେଇଛନ୍ତି। ତାଙ୍କ ନେତୃତ୍ୱରେ ଭାରତ ବିଶ୍ୱର ଅନ୍ୟତମ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛି।'ସ୍ୱଚ୍ଛ ଭାରତ ଅଭିଯାନ'ଏବଂ'ଆତ୍ମନିର୍ଭର ଭାରତ'ଭଳି ଯୁଗାନ୍ତକାରୀ କାର୍ଯ୍ୟକ୍ରମ ଦେଶର ଚିନ୍ତାଧାରା ଓ ସାମର୍ଥ୍ୟକୁ ବଦଳାଇ ଦେଇଛି।'ଡିଜିଟାଲ୍ ଇଣ୍ଡିଆ',ଜନ ଧନ ଯୋଜନା,ପକ୍କା ଘର,ଏବଂ ଆୟୁଷ୍ମାନ ଭାରତ ମାଧ୍ୟମରେ କୋଟି କୋଟି ଗରିବ ଲୋକଙ୍କ ନିକଟରେ ସିଧାସଳଖ ସହାୟତା ପହଞ୍ଚିପାରିଛି।

ବନ୍ଦେ ଭାରତ ଏକ୍ସପ୍ରେସ,ଆଧୁନିକ ହାଇୱେ ଏବଂ ମହାକାଶ କ୍ଷେତ୍ରରେ ଚନ୍ଦ୍ରଯାନ-୩ ର ସଫଳତା ଭାରତର ସାମର୍ଥ୍ୟକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିଛି। ଜି-୨୦ ଓ ବ୍ରିକ୍ସ ଭଳି ଆନ୍ତର୍ଜାତୀୟ ମଞ୍ଚରେ ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଯୋଗୁଁ ଭାରତ ଆଜି'ବିଶ୍ୱବନ୍ଧୁ'ଭାବେ ଗ୍ରହଣୀୟ ହୋଇଛି। ନରେନ୍ଦ୍ର ମୋଦୀଙ୍କ'ସବକା ସାଥ,ସବକା ବିକାଶ'ମନ୍ତ୍ର ଏବଂ'ବିକଶିତ ଭାରତ ୨୦୪୭'ର ସଂକଳ୍ପ ଦେଶବାସୀଙ୍କୁ ଏକ ନୂତନ ଆଶା ଓ ଭବିଷ୍ୟତର ମାର୍ଗ ଦେଖାଇଛି। ତାଙ୍କର ଏହି ନିରନ୍ତର ଦେଶସେବା ଓ ଦୃଢ଼ ନେତୃତ୍ୱ ପାଇଁ ଦେଶବାସୀ ତାଙ୍କର ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରୁଛନ୍ତି।