ନୂଆଦିଲ୍ଲୀ ୨୫।୦୮; ସୋସିଆଲ ମିଡିଆରେ ଲାଇକ୍, ଫଲୋର୍ସ ଏବଂ ଭ୍ୟୁ ପାଇବା ପାଇଁ ଆଜିକାଲି ଯୁବପିଢ଼ି କିଭଳି ପାଗଳ ହେଲେଣି, ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଗ୍ୱାଲିୟରରୁ। ଇନଷ୍ଟାଗ୍ରାମରେ ରାତିାରାତି ଭାଇରାଲ୍ ହେବା ଚକ୍କରରେ ଜଣେ ଯୁବକ ତାଙ୍କ କାରକୁ ଲିପଷ୍ଟିକ୍ ଦ୍ଵାର କିସ୍ ବା ଚୁମ୍ଵନ ଚିହ୍ନରେ ପୁରା ଭରିଦେଇଥିଲେ। ଯାହା ଶେଷରେ ତାଙ୍କ ପାଇଁ ପୋଲିସ କାର୍ଯ୍ୟାନୁଷ୍ଠାନର କାରଣ ପାଲଟିଛି।

ଗ୍ୱାଲିୟର ରାସ୍ତାରେ ଯାଉଥିବା ଏହି କାର୍ର ପୁରା ବଡି ବହୁସଂଖ୍ୟକ ଲିପଷ୍ଟିକ୍ରେ କିସ୍ ବା ଚୁମ୍ବନ ଚିହ୍ନ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଥିଲା। ଯୁବକଙ୍କ ପ୍ରେମିକା କାର୍ରେ ଏହି ଚିହ୍ନ ଗୁଡ଼ିକ ତିଆରି କରିଥିଲେ। ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ଅପଲୋଡ୍ କରାଯିବା କ୍ଷଣି ଏହା ନିଆଁ ଭଳି ବ୍ୟାପି ଯାଇଥିଲା। ମାତ୍ର ଗୋଟିଏ ଦିନରେ ପ୍ରାୟ ୫.୫ ମିଲିୟନ୍ (୫୫ ଲକ୍ଷ) ଭ୍ୟୁ ପାଇଥିଲା। କିନ୍ତୁ ଏହି ଭିଡିଓ ଟ୍ରାଫିକ୍ ପୋଲିସର ନଜରକୁ ଆସିବା ପରେ ଅଡ଼ୁଆ ବଢ଼ିଥିଲା।

ଟ୍ରାଫିକ୍ ପୋଲିସ ତଦନ୍ତ କରି ଥାଟିପୁର ଅଞ୍ଚଳରୁ କାର୍ଟିକୁ ଜବତ କରି ଥାନାକୁ ଆଣିଥିଲେ। ଥାନା ଇନଚାର୍ଜଙ୍କ ସୂଚନା ଅନୁଯାୟୀ, ମୋଟର ଯାନ ଆଇନର ବିଭିନ୍ନ ଧାରା ଅନୁଯାୟୀ ସେହି କାର୍ ମାଲିକଙ୍କ ଉପରେ ମୋଟ,୫୦୦ ଟଙ୍କା ଜରିମାନାଲାଗୁ କରାଯାଇଛି। ପୋଲିସ ଷ୍ଟେସନରେ ହାଜର ହେବା ପରେ ଯୁବକ ଜଣକ ନିଜର ଭୁଲ୍ ସ୍ୱୀକାର କରିଥିଲେ ଏବଂ ନିଜ ହାତରେ ପାଣି ଦେଇ କାର୍ରୁ ସେହି ସମସ୍ତ ଲିପଷ୍ଟିକ୍ ଚିହ୍ନକୁ ସଫା କରିଥିଲେ। ତେବେ ସୋସିଆଲ ମିଡିଆରେ ଷ୍ଟଣ୍ଟ୍ କରିବା କିମ୍ବା ଲୋକପ୍ରିୟତା ହାସଲ କରିବା ନିଶା କିପରି ଆଇନଗତ ସମସ୍ୟା ସୃଷ୍ଟି କରିପାରେ, ଏହି ଘଟଣା ତାହାର ଏକ ବଡ଼ ଚେତାବନୀ ଦେଇଛି।