ବ୍ଲୁମିଂଟନ: ଆମେରିକାର ଇଣ୍ଡିୟାନା ୟୁନିଭର୍ସିଟି କ୍ୟାମ୍ପସ ନିକଟରେ ରବିବାର ଭୋର ସମୟରେ ଭୀଷଣ ଗୁଳିକାଣ୍ଡ ହୋଇଛି। ‘ଲିଟିଲ ୫୦୦’ କଲେଜ ସାଇକ୍ଲିଂ ରେସ୍ ରେ ସାମିଲ ଛାତ୍ର ଓ ଯୁବବର୍ଗଙ୍କ ଭିଡ ମଧ୍ୟରେ ଅଚାନକ ଗୁଳି ଚାଲିବା ଆରମ୍ଭ ହୋଇଥିଲା। ଏହି ଗୁଳିକାଣ୍ଡରେ ୯ ଜଣ ଆହତ ହୋଇଥିବା ଜଣାପଡିଛି। ଏହି ଘଟଣା ୪୦୦ ବ୍ଲକ୍ ଅଫ ଇଷ୍ଟ କିର୍କଉଡ ଏଭେନ୍ୟୁରେ ହୋଇଛି। ତେବେ ଘଟଣା ସ୍ଥଳରେ ବଡ଼ ଭୀଡକୁ ଦେଖି ପ୍ରଥମରୁ ପୋଲିସ ମହଜୁଦ ଥିଲା।

ଭିଡ ମଧ୍ୟରେ ଅଚାନକ ଦୁଇଜଣ ମହିଳାଙ୍କ ମଧ୍ୟରେ ବଚସା ହୋଇଥିଲା ଓ ଏହି ବଚସାରୁ ଗୁଳିକାଣ୍ଡ ହୋଇଥିବା ଜଣାପଡିଛି। ଗୁଳିଫୁଟିବା ଶବ୍ଦରେ ଲୋକେ ଏଣେତେଣେ ଦଉଡାଧାପଡା କରିଥିଲେ। ବ୍ଲୁମିଂଟନ ପୋଲିସ ବିଭାଗ ଅନୁସାରେ ଗୁଳିକାଣ୍ଡ ସୂଚନା ମିଳିବା ମାତ୍ରେ ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚିଥିଲେ। ୯ ଜଣ ଆହତଙ୍କୁ ହସ୍ପିଟାଲ ପଠାଇବାର ବ୍ୟବସ୍ଥା କରାଯାଇଥିଲା। ଏଥିରୁ ୬ ଜଣଙ୍କୁ ଆମ୍ବୁଲାନ୍ସରେ ମେଡିକାଲ ନେବାକୁ ପଡିଛି। ତେବେ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ଅଛି ସେ ନେଇ ହସ୍ପିଟାଲରୁ ସୂଚନା ଆସି ନାହିଁ। ସେହିପରି ମାମଲାରେ ଏ ପର୍ଯ୍ୟନ୍ତ ପୋଲିସ କାହାରିକୁ ଗିରଫ କରି ନାହିଁ।

ମାମଲାକୁ ନିନ୍ଦା କରି ଇଣ୍ଡିୟାନା ୟୁନିଭର୍ସିଟି ପକ୍ଷରୁ ଏକ ବୟାନ ଜାରି କରାଯାଇଛି। ଏଥିରେ ଘଟଣାକୁ ଭର୍ତ୍ସନା କରାଯାଇଥିବା ବେଳେ ଆହତଙ୍କ ପ୍ରତି ସମ୍ବେଦନା ଜ୍ଞାପନ କରାଯାଇଛି। ୟୁନିଭର୍ସିଟି ଛାତ୍ର ଓ କର୍ମଚାରୀଙ୍କଆଲର୍ଟ ଜାରି କରି କିର୍କଉଡ ଏଭେନ୍ୟୁରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଘଟଣାର ଠିକ ଏକ ସପ୍ତାହ ପୂର୍ବରୁ ଆୟୋଭା ୟୁନିଭର୍ସିଟି ନିକଟରେ ହୋଇଥିବା ଗୁଳିକାଣ୍ଡରେ ୫ ଜଣ ଆହତ ହୋଇଥିଲେ। ତେବେ ଆଜିର ଘଟଣା ପରେ ପୋଲିସ ଏବେ ଫୁଟେଜ ଓ ସାକ୍ଷଙ୍କ ବୟାନ ଆଧାରରେ ଗୁଳିକାଣ୍ଡ ଭିଆଇଥିବା ଲୋକଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ କରୁଛି।