ଦୁବାଇ / ମସ୍କାଟ୍: ଗୋଟିଏ ପଟେ ଯୁଦ୍ଧର ବିଭୀଷିକା ଏବଂ ଅନ୍ୟପଟେ ପ୍ରକୃତିର କୋପ। ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ସଂଘର୍ଷ ମଧ୍ୟରେ ଏବେ ଉପସାଗରୀୟ ଦେଶଗୁଡ଼ିକରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ, ଏକ ଅସ୍ୱାଭାବିକ ତଥା ସକ୍ରିୟ ପଶ୍ଚିମା ଝଡ଼ ପ୍ରଭାବରେ ଏହି ବର୍ଷା ହେଉଛି। ମାର୍ଚ୍ଚ ୨୦୨୬ ଶେଷ ଭାଗରୁ ଆରମ୍ଭ ହୋଇଥିବା ଏହି ବର୍ଷା ଆଗାମୀ ୪-୫ ଦିନ ପର୍ଯ୍ୟନ୍ତ ସାଉଦି ଆରବ, ଦୁବାଇ, ଆବୁଧାବି, କତାର ଏବଂ ବାହାରିନ୍ ସମେତ ଆଖପାଖ ଅଞ୍ଚଳରେ ୧୦୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବୃଷ୍ଟିପାତ କରାଇବାର ସମ୍ଭାବନା ରହିଛି।

ମରୁଭୂମିରେ ଅଚାନକ ବନ୍ୟାର ବିପଦ

ବାର୍ଷିକ ହାରାହାରି ବର୍ଷା ଅତିକ୍ରମ: ଯେଉଁ ମରୁଭୂମି ଅଞ୍ଚଳରେ ବର୍ଷକୁ ହାରାହାରି ୧୦୦ ମିଲିମିଟରରୁ କମ୍ ବର୍ଷା ହୁଏ, ସେଠାରେ ମାତ୍ର କିଛି ଦିନ ମଧ୍ୟରେ ୧୦୦ ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଫଳରେ ଏଠାରେ ଅଚାନକ ବନ୍ୟା ବା ଫ୍ଲାସ୍ ଫ୍ଲଡ୍ (Flash flood) ଆସିବାର ଆଶଙ୍କା ଦେଖାଦେଇଛି।

ଓମାନରେ ୪ ମୃତ,ରାସ୍ତା ପାଲଟିଛି ନଦୀ: ଓମାନର ମସ୍କାଟ୍ (Muscat) ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କର ପ୍ରାଣହାନି ଘଟିଛି। ରାସ୍ତାଘାଟ ନଦୀର ଭ୍ରମ ସୃଷ୍ଟି କରୁଥିବା ବେଳେ ଉଦ୍ଧାରକାରୀ ଦଳ ଜଳବନ୍ଦୀ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛନ୍ତି।

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଭୟାବହ ଭିଡିଓ

ଓମାନରେ ଛେଳି ଉଦ୍ଧାର: ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଓମାନର ଏକ ଜଳମଗ୍ନ ରାସ୍ତାରେ ଜଣେ ବ୍ୟକ୍ତି ଗୋଟିଏ ବୁଡ଼ିଯାଉଥିବା ଛେଳିକୁ ଉଦ୍ଧାର କରିବାକୁ ପ୍ରୟାସ କରୁଛନ୍ତି।

କତାରର ଅଲ୍ ୱାକ୍ରାହରେବୁଡ଼ିଲା ଗାଡ଼ିମୋଟର: ପ୍ରବଳ ଘଡ଼ଘଡ଼ି ସହ ବର୍ଷା ଯୋଗୁଁ ଅଲ୍ ୱାକ୍ରାହ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତାରେ ଅନେକ ଗାଡ଼ି ବୁଡ଼ି ରହିଥିବା ବେଳେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।

ୟୁଏଇର ବିଭିନ୍ନ ସହର ବେହାଲ୍: ୟୁଏଇର ରସ୍ ଅଲ୍-ଖାଇମାହ, ଅଜମାନ ଏବଂ ଶାରଜାହ ଭଳି ଅଞ୍ଚଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏକ ଭିଡିଓରେ ରସ୍ ଅଲ୍-ଖାଇମାହ ଅଞ୍ଚଳରେ ଜଣେ ବାଇକ୍ ଆରୋହୀ ବନ୍ୟା ପାଣିର ପ୍ରବଳ ସ୍ରୋତ ମଧ୍ୟରେ ରାସ୍ତା ପାର୍ ହେବାକୁ ଚେଷ୍ଟା କରି ମଝିରେ ଫସିଯାଇଥିବା ଦେଖିବାକୁ ମିଳିଛି।