ଗାନ୍ଧୀନଗର: ଗୁଜରାଟର ସନ୍ତରାମପୁର ପୋଲିସକୁ ବେଆଇନ ମଦ କାରବାର ଓ ବିକ୍ରି ସହ ଜଡ଼ିତ ଏକ ମାମଲାରେ ବଡ଼ ସଫଳତା ମିଳିଛି । ସନ୍ତରାମପୁର ପୋଲିସ ଦୀର୍ଘ ୫ ବର୍ଷ ଧରି ଫେରାର ଅଭିଯୁକ୍ତ ମୁକେଶ ଓରଫ ଟିନା ପାରଗୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ମୁକେଶ ଜଣେ ବିଜେପି କାର୍ଯ୍ୟକର୍ତ୍ତା ଭାବେ ପରିଚିତ ଥିବା ବେଳେ ମଦ ବ୍ୟବସାୟ ଓ ବେଆଇନ ମଦ ବିକ୍ରି ମାମଲାରେ ପୋଲିସ ତାଙ୍କୁ ଖୋଜୁଥିଲା ।

୫ ବର୍ଷ ଧରି ଫେରାର ଥିବା ମୁକେଶଙ୍କୁ ଗିରଫ କରିଛି । ମୁକେଶ ଜଣେ ବିଜେପି କାର୍ଯ୍ୟକର୍ତ୍ତା ଏବଂ ସେ ଗୁଜରାଟର ଜିଲ୍ଲା ପଞ୍ଚାୟତର ବିଜେପି ନେତ୍ରୀ ଶାନ୍ତାବେନ୍ ପାରଗୀଙ୍କ ସ୍ୱାମୀ । ପୋଲିସ ଗୁପ୍ତ ସୂଚନା ଆଧାରରେ ଏକ ସ୍ୱତନ୍ତ୍ର ଅଭିଯାନ ଚଲାଇ ତାଙ୍କୁ ଗିରଫ କରିବା ସହ ତାଙ୍କୁ କିଏ ଆଶ୍ରୟ ଦେଉଥିଲା ସେ ନେଇ ତଦନ୍ତ ଜାରି ରଖିଛି ।

ଏହି ଗିରଫଦାରୀ ରାଜନୈତିକ ସ୍ତରରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି, କାରଣ ଅଭିଯୁକ୍ତ ମୁକେଶ ହେଉଛନ୍ତି ଜିଲ୍ଲା ପଞ୍ଚାୟତ ସାଲରା ଆସନର ବିଜେପି ସଦସ୍ୟା ଶାନ୍ତାବେନ୍ ପାରଗୀଙ୍କ ସ୍ୱାମୀ । ସେ ୫ ବର୍ଷ ଧରି ଫେରାର ରହିବା ପୋଲିସ ତଦନ୍ତ ଏବଂ ସ୍ଥାନୀୟ ଅଞ୍ଚଳରେ ତାଙ୍କ ପରିବାରର ରାଜନୈତିକ ପ୍ରଭାବକୁ ନେଇ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଲମ୍ବା ସମୟ ଧରି ଫେରାର ଥିବା ଏହି ଅଭିଯୁକ୍ତଙ୍କୁ ଜେରା କରିବା ଦ୍ୱାରା ବେଆଇନ ମଦ କାରବାର ସହ ଜଡ଼ିତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ଆଶା ରଖିଛି । ଫେରାର ଥିବା ସମୟରେ ତାଙ୍କୁ କେଉଁ ସ୍ଥାନୀୟ ଲୋକେ ଆଶ୍ରୟ ଦେଉଥିଲେ କିମ୍ବା ସହାୟତା କରୁଥିଲେ ପୋଲିସ ଏବେ ସେମାନଙ୍କୁ ଖୋଜୁଛି । ଏହି ମାମଲାରେ ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ରାଜ୍ୟର ବେଆଇନ ମଦ ନିଷେଧ ଆଇନର ଉଲ୍ଲଂଘନ ପାଇଁ ସମସ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ପୋଲିସ ସୂଚନା ଦେଇଛି ।