ନୂଆଦିଲ୍ଲୀ: ସାମଗ୍ରୀ ଏବଂ ସେବା କର (ଜିଏସଟି) ସଂଗ୍ରହ ମେ ମାସରେ ୩.୨% ବଢି ୧.୯୪ ଲକ୍ଷ କୋଟି ଟଙ୍କାକୁ ପାରକରି ଯାଇଛି। ଏହି ଅଭିବୃଦ୍ଧି ସେବା ଓ ସାମଗ୍ରୀ ଯୋଗାଣରେ ସୁଧାର ତଥା ଆମଦାନୀରୁ ମିଳୁଥିବା ଶୁଳ୍କ ସଂଗ୍ରହରେ ଲଗାତାର ବୃଦ୍ଧି ଯୋଗୁ ହୋଇଛି। ସୋମବାର ଜାରି ସରକାରୀ ତଥ୍ୟରୁ ଏହି ସୂଚନା ମିଳିଛି। ମେ ୨୦୨୫ରେ ମୋଟ ଜିଏସଟି ସଂଗ୍ରହ ୩୭,୩୯୭ କୋଟି ଟଙ୍କା, ରାଜ୍ୟ ଜିଏସଟି ୪୫,୧୪୩କୋଟି ଓ ଏକିକୃତ ଜିଏସଟି (ଆଇଜିଏସଟି) ୫୧,୯୯୦ କୋଟି ଟଙ୍କା ଥିଲା। ଏହି ଅବଧିରେ କରଯୋଗ୍ୟ ବସ୍ତୁ ଯୋଗାଣରେ ୨୬.୯% ବୃଦ୍ଧି ହୋଇଛି, ଯାହା ଘରୋଇ ଚାହିଦାକୁ ଦର୍ଶାଉଛି। ସେହିପରି ସେବା କ୍ଷେତ୍ରରେ ଏହି ଅଭିବୃଦ୍ଧି ୨୨.୨% ରହିଛି, ଏଥିରୁ ଘରୋଇ ଖର୍ଚ୍ଚର ମଜଭୁତ ସ୍ଥିତିର ପ୍ରମାଣ ମିଳୁଛି।

ଭାରତର ମେ ୨୦୨୬ ଜିଏସଟି ପ୍ରଦର୍ଶନ ଉଭୟ ଚ୍ୟାଲେଞ୍ଜ ଓ ଅବସରକୁ ଦର୍ଶାଉଛି। ମୋଟ ଘରୋଇ ଜିଏସଟି ସଂଗ୍ରହ ବାର୍ଷିକ ହାରରେ ୨.୬%ର ମାମୁଲି ହ୍ରାସ ଦେଖାଯାଇଛି। ଏଣୁ ନିଟ ଜିଏସଟି ରାଜସ୍ୱରେ ୨.୩% ହ୍ରାସ ଦେଖାଯାଇଥିବା ବେଳେ ଘରୋଇ ରିଫଣ୍ଡରେ ୪.୩% ହ୍ରାସ ହୋଇଛି। ତେବେ ଆମଦାନୀ ଉପରେ ଜିଏସଟି ସଂଗ୍ରହ ବୃଦ୍ଧି ଏହି ହ୍ରାସକୁ ଭରଣା କରିଛି। ମେ ମାସରେ ଆଇଜିଏସଟି (ଆମଦାନୀ) ୧୯.୧% ବୃଦ୍ଧି ସହିତ ଜାରି ବର୍ଷରେ ମୋଟ ଜିଏସଟି ଅସୁଲ ପାଖାପାଖି ୩୦% ବୃଦ୍ଧି ହୋଇଛି।

ଆମଦାନୀରେ ଆଇଜିଏସଟି ସଂଗ୍ରହ ୧୯.୧% ବୃଦ୍ଧି ଯୋଗୁ ମୋଟ କର ସଂଗ୍ରହ ମେ ମାସରେ ୫୯,୬୫୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହାକୁ ଔଦ୍ୟୋଗିକ କ୍ଷମତାର ବିସ୍ତାର ବୋଲି ବୁଝାଯାଇପାରେ। ସେହିପରି ଜିଏସଟି ରିଫଣ୍ଡ ୨.୬% ବଢି ୨୭,୨୮୧ କୋଟି ଟଙ୍କା ହୋଇଯାଇଛି। ରିଫଣ୍ଡ ଆଡଜଷ୍ଟ ହେବା ପରେ ମେ ମାସରେ ମୋଟ ଜିଏସଟି ରେଭିନ୍ୟୁ ୩.୩% ବଢି ୧.୬୭ଲକ୍ଷ କୋଟି ଟଙ୍କାକୁ ପହଞ୍ଚିଛି। ତେବେ ଏହା ପୂର୍ବରୁ ଏପ୍ରିଲ ମାସରେ ଜିଏସଟି ସଂଗ୍ରହ ୨.୪୩ ଲକ୍ଷ କୋଟିର ସର୍ବକାଳୀନ ଉଚ୍ଚତମ ସ୍ତରକୁ ପହଞ୍ଚି ଯାଇଥିଲା।