ଭୋପାଳ: ମଧ୍ୟପ୍ରଦେଶର ଦେବାସ (Dewas) ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଏବଂ ଅତି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପ୍ରାୟ ୪୨ ଜଣ ଯୁବକ ଏକ ବଡ଼ ଧରଣର ବିବାହ ସ୍କାମ୍ (Wedding Scam) ର ଶିକାର ହୋଇଛନ୍ତି । ବିବାହ କରିବା ଆଶାରେ ସଜବାଜ ହୋଇ ଆସିଥିବା ବରମାନେ ଦିନସାରା ଚାହିଁ ରହିଥିଲେ ମଧ୍ୟ କନ୍ୟାଆ ଆସିନଥିଲେ । ପରେ ସେମାନେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ ।

କିପରି ହୋଇଥିଲା ଠକେଇ ଯୋଜନା ?

ପୋଲିସର ପ୍ରାଥମିକ ସୂଚନା ଅନୁଯାୟୀ, ଏହା ଏକ ସୁଚିନ୍ତିତ ଏବଂ ସଂଗଠିତ ଠକେଇ ଥିଲା । ମଧ୍ୟସ୍ଥିମାନେ ପ୍ରତ୍ୟେକ ବର ଓ ତାଙ୍କ ପରିବାରଠାରୁ ୧୫,୦୦୦ ରୁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ 'ରେଜିଷ୍ଟ୍ରେସନ ଫି' ବାବଦରେ ଆଦାୟ କରିଥିଲେ । ସେମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା ଯେ, ଦେବାସଠାରେ ଏକ ବଡ଼ ଧରଣର "ଗଣବିବାହ ଉତ୍ସବ" ଆୟୋଜନ କରାଯିବ । ବିବାହର କିଛି ସପ୍ତାହ ପୂର୍ବରୁ ଯୁବକମାନଙ୍କୁ ମୋବାଇଲ୍ ଫୋନ୍ ମାଧ୍ୟମରେ କନିଆଙ୍କ ଫଟୋ ଦେଖାଯାଇଥିଲା ।

ଆୟୋଜକମାନେ ଦାବି କରିଥିଲେ ଯେ ,ଏହି ଝିଅମାନେ ଇନ୍ଦୋରର 'ମାତୃ ଛାୟା ଆଶ୍ରମ' (Matru Chhaya Ashram) ନାମକ ଏକ ଅନାଥ ଆଶ୍ରମର ଏବଂ ସେମାନେ ଗରିବ ଶ୍ରେଣୀର ହୋଇଥିବାରୁ ତୁରନ୍ତ ବିବାହ କରିବାକୁ ପ୍ରସ୍ତୁତ ଅଛନ୍ତି । ମାତ୍ର ବାସ୍ତବରେ ସେହି ଫଟୋଗୁଡ଼ିକ ସୋସିଆଲ ମିଡିଆରୁ ଡାଉନଲୋଡ୍ କରାଯାଇଥିବା ବିଭିନ୍ନ ମଡେଲମାନଙ୍କର ଥିଲା ।

ବିବାହ ମଣ୍ଡପରେ କଣ ଘଟିଥିଲା ?

ବର ଓ ସେମାନଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ଆୟୋଜକମାନେ ସେମାନଙ୍କୁ ଘରୁ ହଳଦୀ କିମ୍ବା ମେହେନ୍ଦୀ ନଲଗାଇ ସାଧାରଣ ପୋଷାକରେ ଆସିବାକୁ କହିଥିଲେ । ବିବାହର ସମସ୍ତ ରୀତିନୀତି, ବର ବେଶ ଏବଂ ଯୌତୁକ ସାମଗ୍ରୀ ସେହି ମଣ୍ଡପରେ ହିଁ ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା । ନିର୍ଦ୍ଧାରିତ ସମୟ ଅନୁଯାୟୀ, ଦେବାସ ଏବଂ ଆଖପାଖ ଅଞ୍ଚଳରୁ ପ୍ରାୟ ୪୨ ଜଣ ବର ନିଜ ନିଜର ବନ୍ଧୁବାନ୍ଧବ ଓ ଅତିଥିମାନଙ୍କୁ ଧରି ଭଡ଼ା ଗାଡ଼ି ସାହାଯ୍ୟରେ ମଣ୍ଡପରେ ପହଞ୍ଚିଥିଲେ । ଅନେକ ବର ଶେରୱାନୀ ଏବଂ ଗେଣ୍ଡୁମାଳ ପିନ୍ଧି ସଜେଇ ହୋଇଥିବା ବେଳେ ହାତରେ ମିଠା ଡବା ମଧ୍ୟ ଧରିଥିଲେ ।

ବରଯାତ୍ରୀ ପହଞ୍ଚିବା ପରେ ଆୟୋଜକମାନେ ବାରମ୍ବାର କହିଥିଲେ ଯେ ,‘ମ୍ୟାଡାମ କନିଆମାନଙ୍କୁ ନେଇ ଆସୁଛନ୍ତି । ଖୁବଶୀଘ୍ର ପହଞ୍ଚିବେ ।’ ମାତ୍ର ମଧ୍ୟରାତ୍ରି ପର୍ଯ୍ୟନ୍ତ କେହି ନଆସିବାରୁ ଏବଂ ଆୟୋଜକମାନଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ହୋଇଯିବାରୁ ସେମାନେ ଠକାମିର ଶିକାର ହୋଇଥିବା ବୁଝିପାରିଥିଲେ । ଏହାପରେ ମଣ୍ଡପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ମେ ୨୪ ତାରିଖରେ 'ବ୍ୟାଙ୍କ ନୋଟ୍ ପ୍ରେସ୍' ଥାନାରେ ଏକ ଅଭିଯୋଗ କରାଯାଇଥିଲା । ଥାନା ପ୍ରଭାରୀ ପ୍ରୀତି କାଟାରେ ଜଣାଇଛନ୍ତି ଯେ, ଅନେକ ଯୁବକଙ୍କ ତରଫରୁ ଏହି ଠକେଇ ସମ୍ପର୍କରେ ଲିଖିତ ଅଭିଯୋଗ ମିଳିଛି ଏବଂ ମାମଲାକୁ ଅତି ଗମ୍ଭୀରତାର ସହ ନେଇ ତଦନ୍ତ ଚାଲିଛି ।ଉକ୍ତ ଅନାଥ ଆଶ୍ରମର ନାମ ବ୍ୟବହାର କରାଯାଇଥିବା ଦାବିର ମଧ୍ୟ ସତ୍ୟାସତ୍ୟ ଯାଞ୍ଚ କରାଯାଉଛି ।

ପୋଲିସ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ମୁକେଶ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ମଧ୍ୟପ୍ରଦେଶର ବିଦିଶା (Vidisha) ଜିଲ୍ଲାର ବୋଲି ଜଣାପଡ଼ିଛି । ସେମାନଙ୍କର କାର୍ଯ୍ୟ କରିବାର ଶୈଳୀ (Modus Operandi) ଏବଂ ଏହି ଗ୍ୟାଙ୍ଗରେ ସାମିଲ ଥିବା ଅନ୍ୟ ସଦସ୍ୟମାନଙ୍କ ବିଷୟରେ ଅଧିକ ସୂଚନା ସଂଗ୍ରହ କରିବା ପାଇଁ ପୋଲିସର ଏକ ସ୍ୱତନ୍ତ୍ର ଦଳ ବିଦିଶା ଗସ୍ତ କରିଛି ।