ଗ୍ରେଟର ନୋଏଡା: ବିବାହକୁ ନେଇ ସବୁଠି ଖୁସିର ମାହୋଲ ଥିଲା। ନୂଆ ବୋହୂ ଶାଶୁଘରକୁ ଆସିବା ପରେ ପରିବାର ଲୋକେ ଉତ୍ସାହର ସହ ସ୍ୱାଗତ କରିଥିଲେ। ହେଲେ ବାହାଘରର ମାତ୍ର ଗୋଟିଏ ଦିନ ପରେ ଯାହା ଘଟିଲା, ତାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ବାହାଘରର ୨୪ ଘଣ୍ଟା ନପୁରୁଣୁ ନୂଆ ବୋହୂ ଜଣକ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଗ୍ରେଟର ନୋଏଡାର ଦନକୌର ଅଞ୍ଚଳରେ ଘଟିଥିବା ଏହି ଅଭାବନୀୟ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

କ’ଣ ଥିଲା ପୂରା ମାମଲା ?

ସୂଚନା ଅନୁଯାୟୀ, ଗ୍ରେଟର ନୋଏଡାର ଜଣେ ଯୁବକ ବୁଲନ୍ଦସହରର ଜଣେ ଯୁବତୀଙ୍କୁ ଗତ ସୋମବାର ଦିନ ବିବାହ କରିଥିଲେ। ବାହାଘର ପରେ ବହୁ ଆଡ଼ମ୍ବରରେ ବୋହୂ ଶାଶୁଘରକୁ ଆସିଥିଲେ। କିନ୍ତୁ ମଙ୍ଗଳବାର ସନ୍ଧ୍ୟାରେ ହଠାତ୍ ବୋହୂଙ୍କ ପେଟରେ ଅସହ୍ୟ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ତାଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଡାକ୍ତରଙ୍କ ଖୁଲାସା ଶୁଣି ଉଡ଼ିଗଲା ହୋସ୍

ଡାକ୍ତରଖାନାରେ ଯାଞ୍ଚ ପରେ ଜଣାପଡ଼ିଥିଲା ଯେ, ବୋହୂ ଜଣକ ୭ ମାସର ଗର୍ଭବତୀ ଅଛନ୍ତି। ଏହି ଖବର ଶୁଣିବା ପରେ ବର ପକ୍ଷର ପାଦ ତଳୁ ମାଟି ଖସିଯାଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ବୁଧବାର ଦିନ ବୋହୂ ଜଣକ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ବିବାହର ମାତ୍ର ଗୋଟିଏ ଦିନ ପରେ ପରିବାରକୁ ନୂଆ ସଦସ୍ୟ ଆସିବା ଖୁସି ନୁହେଁ ବରଂ ସମସ୍ତଙ୍କ ପାଇଁ ଝଟକା ସଦୃଶ ଥିଲା।

ଧୋକା ଅଭିଯୋଗ ଆଣିଲେ ବର ପକ୍ଷ

ଏହି ଘଟଣା ପରେ ବର ପକ୍ଷର ଲୋକେ କନ୍ୟା ପକ୍ଷ ଉପରେ ଜାଲିଆତିର ଅଭିଯୋଗ ଆଣିଛନ୍ତି। ବର ପରିବାର କହିବା ଅନୁଯାୟୀ, ୫ ମାସ ତଳେ ନିର୍ବନ୍ଧ ସମୟରେ ସେମାନେ ଝିଅକୁ ଦେଖିଥିଲେ, କିନ୍ତୁ ସେ ଗର୍ଭବତୀ ଥିବା କଥା ସେମାନଙ୍କୁ ଅନ୍ଧାରରେ ରଖାଯାଇଥିଲା। କନ୍ୟା ପକ୍ଷ ଜାଣିଶୁଣି ଏହି କଥା ଲୁଚାଇ ବାହାଘର କରିଥିବା ସେମାନେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।

ଶେଷରେ କ’ଣ ହେଲା ?

ବୋହୂ ଜଣକ ଗର୍ଭବତୀ ଥିବା ଜାଣିବା ପରେ ବର ପକ୍ଷର ଲୋକେ ତାଙ୍କୁ ଗ୍ରହଣ କରିବାକୁ ସଫା ସଫା ମନା କରିଦେଇଛନ୍ତି। ପରିସ୍ଥିତି ଏପରି ହେଲା ଯେ ଥାନାରେ ମାମଲା ପହଞ୍ଚିଥିଲା। ଶେଷରେ ଝିଅ ପରିବାର ଲୋକେ ଡାକ୍ତରଖାନା ପହଞ୍ଚି ନିଜ ଝିଅ ଓ ନବଜାତ ଶିଶୁକୁ ଧରି ବୁଲନ୍ଦସହର ଫେରିଯାଇଛନ୍ତି। ଏବେ ଏହି ଅଦ୍ଭୁତ ବାହାଘରକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି।