ଦିଲ୍ଲୀ : ଆଜି ଠାରୁ ପୁଣି ଗର୍ଜିବ ସିଜେପି । ଦିଲ୍ଲୀ ଜନ୍ତର ମନ୍ତରରେ ଶୁଭିବ ପ୍ରଦର୍ଶନକାରୀଙ୍କ ଗର୍ଜନ । CEC ଜ୍ଞାନେଶ କୁମାରଙ୍କ ଇସ୍ତାଫା ଦାବିରେ ବଡ଼ ଆନ୍ଦୋଳନ କରିବା ପ୍ରସ୍ତୁତିରେ କକ୍ରୋଚ ଜନତା ପାର୍ଟି । ସିଜେପି ପାର୍ଟି ପକ୍ଷରୁ ପ୍ରଦର୍ଶନ କରିବା ନେଇ ଘୋଷଣା କରାଯାଇଛି । ଏନେଇ ପୁରା ହାଇଆଲର୍ଟରେ ଦେଶର ରାଜଧାନୀ । ଦିଲ୍ଲୀରେ ବର୍ତ୍ତମାନ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଦିଲ୍ଲୀ ପୁଲିସ ପକ୍ଷରୁ ଏହି ପ୍ରଦର୍ଶନକୁ ଅନୁମତି ଦିଆଯାଇନଥିବା ସୂଚନା ମିଳିଛି।

ଏପଟେ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ପୁଲିସ ଓ ସୁରକ୍ଷା ବାହିନୀ ଆଲର୍ଟ ଅବସ୍ଥାରେ ରହିଛନ୍ତି। ରାଜଧାନୀକୁ ପ୍ରବେଶ କରୁଥିବା ବିଭିନ୍ନ ସୀମାରେ ପୁଲିସ ପକ୍ଷରୁ ଯାନବାହନ ଯାଞ୍ଚ କରାଯାଉଛି। ସନ୍ଦେହଜନକ ଗତିବିଧି ଉପରେ ନଜର ରଖିବା ସହ ପ୍ରଦର୍ଶନକାରୀଙ୍କ ଉପରେ ମଧ୍ୟ କଡା ନଜର ରଖାଯାଇଛି । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷାକର୍ମୀ ଓ ପୋଲିସ ଫୋର୍ସକୁ ମୁତୟନ କରାଯାଇଛି। ଜନ୍ତର ମନ୍ତରଠାରେ ସିଜେପିର ପ୍ରସ୍ତାବିତ ପ୍ରଦର୍ଶନ ପୂର୍ବରୁ କିଛି ପ୍ରଦର୍ଶନକାରୀଙ୍କୁ ପୁଲିସ ହେପାଜତକୁ ନେଇଥିବା ସୂଚନା ମିଳିଛି। ତେବେ ସେମାନଙ୍କୁ କେଉଁ କାରଣରୁ ଅଟକ ରଖାଯାଇଛି, ସେନେଇ କୌଣସି ସୂଚନା ମିଳିନାହିଁ।

ଅନ୍ୟପଟେ ପ୍ରଦର୍ଶନକୁ ନେଇ ଦିଲ୍ଲୀରେ ଯାତାୟାତ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଭାବ ପଡ଼ିଛି। ସାଧାରଣ ଜନତା ମଧ୍ୟ ଏଥିରେ ପ୍ରଭାବିତ ହୋଇପାରନ୍ତି ।ସିଜେପି ପ୍ରୋଟେଷ୍ଟକୁ ନେଇ ବର୍ତ୍ତମାନ ସୁଦ୍ଧା ଦିଲ୍ଲୀର ୪୫ଟି ମେଟ୍ରୋ ଷ୍ଟେସନକୁ ବନ୍ଦ କରାଯାଇଛି। ଏହା ସହ କିଛି ଅଞ୍ଚଳରେ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ କରାଯାଇଥିବା କୁହାଯାଉଛି। ସିଜେପିର ପ୍ରଦର୍ଶନକୁ ନେଇ ଦିଲ୍ଲୀରେ ଉତ୍ତେଜନା ଓ ସୁରକ୍ଷା ସମ୍ପର୍କିତ ଚିନ୍ତା ବଢ଼ିଥିବା ବେଳେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ପୁଲିସ । ଆଗାମୀ ସମୟରେ ପ୍ରଦର୍ଶନକୁ ନେଇ କି ପଦକ୍ଷେପ ନିଆଯାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।