ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଏବଂ ଏନସିଆରରେ ବାୟୁ ପ୍ରଦୂଷଣ ଗୁରୁତର ହୋଇଛି । ବାୟୁ ଗୁଣବତ୍ତା ସୂଚକାଙ୍କ ବା AQI ୩୦୦ ଟପିଯାଇଛି । ବାୟୁର ମାନ ‘ଅତି ଖରାପ’ ବର୍ଗରେ ପହଞ୍ଚିବା ପରେ କେନ୍ଦ୍ରୀୟ ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗ ସୋମବାରଠାରୁ ‘ଗ୍ରେଡେଡ୍ ରେସପନ୍ସ ଆକ୍ସନ୍ ପ୍ଲାନ୍’ ବା ଗ୍ରାପ୍‌ର ଦ୍ବିତୀୟ ପର୍ଯ୍ୟାୟ କଟକଣା ଲାଗୁ କରିଛନ୍ତି। 

ସୂଚନା ଆପ୍ ଅନୁଯାୟୀ, ସୋମବାର ସନ୍ଧ୍ୟା ୬ଟାରେ ଦିଲ୍ଲୀର AQI ୩୨୭ ରେକର୍ଡ କରାଯାଇଥିଲା। ଏହା ପୂର୍ବରୁ ରବିବାରଠାରୁ ଶୀତକାଳୀନ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦିଲ୍ଲୀ ବାହାରେ ପଞ୍ଜୀକୃତ ହୋଇଥିବା ଅଣ ବିଏସ୍‌-୪ ଗାଡ଼ିଗୁଡ଼ିକର ପ୍ରବେଶ ଉପରେ କଟକଣା ଲଗାଯାଇଥିଲା । କିନ୍ତୁ ସିଏନ୍‌ଜି, ଇଲେକ୍ଟ୍ରିକ୍ ଏବଂ ଜରୁରୀ ସେବା ଗାଡ଼ି ଏଥିରୁ ବାଦ୍‌ ପଡ଼ିଛି ।

ଆୟୋଗଙ୍କ ସୂଚନା ଅନୁଯାୟୀ, ଅକ୍ଟୋବର ୩୧ ରେ AQI ୧୧୭ ଥିବାବେଳେ ନଭେମ୍ବର ୧ ରେ ୨୬୧ ଏବଂ ସୋମବାର ସକାଳେ ୩୦୦ ଅତିକ୍ରମ କରିଥିଲା। ପାଣିପାଗ ପରିବର୍ତ୍ତନ ଏବଂ ପ୍ରତିକୂଳ ପରିବେଶ ଯୋଗୁଁ ଏହି ସ୍ଥିତି ସୃଷ୍ଟି ହୋଇଛି। IMDର ପୂର୍ବାନୁମାନ ଅନୁଯାୟୀ, ଆଗାମୀ କିଛି ଦିନ ପର୍ଯ୍ୟନ୍ତ ବାୟୁ ପ୍ରଦୂଷଣ ‘ଅତି ଖରାପ’ ଶ୍ରେଣୀରେ ରହିବ।

GRAP 2 ଅଧୀନରେ ପାର୍କିଂ ଫି’ ବୃଦ୍ଧି କରାଯାଇଛି। ଏହାସହ ହୋଟେଲ୍, ରେଷ୍ଟୁରାଣ୍ଟ ଏବଂ  ଢାବାରେ କୋଇଲା, କାଠ ଏବଂ ତନ୍ଦୁର ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। ଡିଜେଲ୍ ଜେନେରେଟର୍ ଚଳାଇବା ଉପରେ କଡ଼ା ନିୟମାବଳୀ ଲାଗୁ କରାଯାଇଛି। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପୌରପାଳିକା ଓ ବିଭିନ୍ନ ସଂସ୍ଥାଗୁଡ଼ିକୁ ରାସ୍ତାରେ ଜଳ ସିଞ୍ଚନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।