ନୂଆଦିଲ୍ଲୀ: ଦଶହରା ନ ସରୁଣୁ ଦିଲ୍ଲୀର ବାୟୁ ମାନ ଖରାପ ହେବାରେ ଲାଗିଛି। ଋତୁ ବଦଳିବା ସବ ବାୟୁର ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡିବାକୁ ଲାଗିଲାଣି। ଦିନରେ ଖରା ଓ ରାତିରେ ହାଲୁକା ଥଣ୍ଡା ମଧ୍ୟରେ ପ୍ରଦୂଷଣ ସ୍ତର ଦ୍ରୁତ ବଢୁଛି। ଦିଲ୍ଲୀ ଏନସିଆର ଅନ୍ତର୍ଗତ ଅନେକ ଅଞ୍ଚଳର ବାୟୁମାନ ସୂଚକାଙ୍କ ୩୦୦ ପାର କରିଯାଇଛି, ଅର୍ଥାତ ଖରାପ ଶ୍ରେଣୀରେ ରେକର୍ଡ ହୋଇଛି। ଏଣୁ ବଦଳୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ଆଲର୍ଟ ମୋଡକୁ ଆସିଯାଇଛି ଓ ଜିଆରଏପିର ପ୍ରଥମ ପର୍ଯ୍ୟୟ କଟକଣା ଜାରି ହୋଇଛି।

ଦିଲ୍ଲୀ ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂହ ସିରସା କହିଛନ୍ତି ଯେ ଦୀର୍ଘ ବର୍ଷ ପରେ ପ୍ରଥମ ଥର ଋତୁରେ ଏତେ ଶୀଘ୍ର ଜିଆରଏପି ଲାଗୁ ହୋଇଛି। ପାଣିପାଗ ବିଭାଗ ଅନୁସାରେ ଆଗାମୀ ଦିନମାନଙ୍କରେ ରାତିର ତାପମାତ୍ରା ୧୮ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ହ୍ରାସ ହୋଇପାରେ। ତାପମାତ୍ରା ହ୍ରାସ ଓ ସନ୍ଧ୍ୟା ନଇଁଲେ ବାୟୁର ବେଗ ଧିମେଇଯିବା ଗାଡ଼ିର ଧୂଆଁ ଓ ଧୂଳି ମାଟିଠୁ ଖୁବ୍ କମ୍ ଉଚ୍ଚତାରେ ଭାସି ବୁଲୁଛି। ସିପିସିବିଙ୍କ ତଥ୍ୟ ଅନୁସାରେ ପୁଷା, ପଞ୍ଜାବୀ ବାଗ ଓ ଗ୍ରେଟର ନୋଏଡା ନଲେଜ ପାର୍କ ଭଳି ଅଞ୍ଚଳରେ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ହୋଇପଡିଛି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବୟଷ୍କ ଓ ନିଶ୍ୱାସପ୍ରଶ୍ୱାସ ସମ୍ପର୍କିତ ରୋଗୀଙ୍କ ଲାଗି ସତର୍କତା ଜାରି କରିଛନ୍ତି। ଏଥିରେ ଏପରି ଲୋକଙ୍କୁ ସକାଳ ଓ ସାନ୍ଧ୍ୟ ଭ୍ରମଣ ବନ୍ଦ କରିବାକୁ ଓ ଯଦି ବାହାରକୁ ବାହାରୁଛନ୍ତି ତେବେ ମୁହଁ ମାସ୍କ ଲଗାଇ ବାହାରିବାକୁ ପରାମର୍ଶ ଦେଇଛନ୍ତି।

ଜିଆରଏପି-୧ ଲାଗୁ ହେବା ଯୋଗୁ ବଦଳିଲା କ’ଣ?

  • ନିର୍ମାଣ ଓ ଭଙ୍ଗାରୁଜା ସ୍ଥଳରେ ଆଣ୍ଟି ସ୍ମଗ ଗନ ବ୍ୟବହାର ଜରୁରି
  • ହୋଟେଲ, ଢାବା ଓ ରେଷ୍ଟୁରାଣ୍ଟ ତନ୍ଦୁରରେ କାଠ ଅଥବା କୋଇଲା ଜଳାଇବା ଉପରେ କଟକଣା ଜାରି
  • ସଡ଼କରେ ଯେପରି ଧୂଳି ନ ଉଡେ ସେଥି ପାଇଁ ପାଣି ସିଞ୍ଚନ ବ୍ୟବସ୍ଥା ସହ ମେସିନ ଦ୍ୱାରା ସଡ଼କ ସଫା ଅଭିଯାନ ଆରମ୍ଭ
  • ଖାଲି ସ୍ଥାନରେ ସୁଖିଲା ପତ୍ର ଓ ଅଳିଆ ଆବର୍ଜନାରେ ନିଆଁ ଲଗାଇବା ଉପରେ କଟକଣା, ଧରାପଡିଲେ ଲାଗିବ ଜରିମନା