ଭୁବନେଶ୍ୱର ୦୪।୦୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପୂର୍ବତନ ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ପୁରାତନ ଛାତ୍ର ସଂଘ ‘ସେଲ୍’ ପକ୍ଷରୁ ବନ୍ଧୁ ମିଳନ-୨୦୨୫ ‘ଗ୍ରାଣ୍ଡ ହୋମ୍ କମିଂ’ ଅନୁଷ୍ଠିତ ହୋଇଛି । ଏଥିରେ ୧୫୦୦ରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ସୋଆ କ୍ୟାମ୍ପସ-୨ ପ୍ରେକ୍ଷାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସେସ୍ର ନିର୍ଦ୍ଦେଶକ ଡ. ଦେବାଶିଷ ଦାଶ ଛାତ୍ରଛାତ୍ରୀଙ୍କୁ ପରପିଢ଼ିଙ୍କୁ ଗ୍ରହଣ କରିଥିବା ଶିକ୍ଷା ଓ ଅନୁଭୂତି ବାଣ୍ଟିବାକୁ କହିଥିଲେ । ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗ ବଢ଼ାଇବାକୁ ପରାମର୍ଶ ଦେଇଥିଲେ ।

ସମ୍ମାନିତ ଅତିଥି ସିଏସ୍ଆଇଆର-ଆଇଏମ୍ଏମ୍ଟିର ନିର୍ଦ୍ଦେଶକ ଡ. ରାମାନୁଜ ନାରାୟଣ କହିଲେ, ସୋଆର ପୁରାତନ ଛାତ୍ରଛାତ୍ରୀମାନେ ନିଜକୁ ନେଇ ଗର୍ବ କରନ୍ତୁ । ସେମାନଙ୍କ କାର୍ଯ୍ୟରେ ବିଶ୍ୱବିଦ୍ୟାଳୟକୁ ଗୌରବାନ୍ୱିତ କରନ୍ତୁ । ବିଶ୍ୱବିଦ୍ୟାଳୟରୁ ଗ୍ରହଣ କରିଥିବା ଶିକ୍ଷାକୁ ସମାଜର ହିତ ପାଇଁ ବିନିଯୋଗ କରନ୍ତୁ । କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ବିଶ୍ୱବିଦ୍ୟାଳୟର ସଫଳତାର ଚିତ୍ର ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ସୋଆର ପୁରାତନ ଛାତ୍ର ତଥା ଭୁବନେଶ୍ୱରର ଡେଲଏଟ୍ ନିର୍ଦ୍ଦେଶକ ଡ. ବିଶ୍ୱ ସାମଲ କହିଲେ, ସୋଆରେ ବର୍ତ୍ତମାନ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କୁ ସହଯୋଗ କରିବା ଏକ ମାନବିକ ଓ ସାମାଜିକ ଦାୟିତ୍ୱ । ୨୦୧୮ ବ୍ୟାଚରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲରୁ ଏମ୍ଏମ୍ବିଏସ୍ ଉତୀନ୍ନ ଛାତ୍ର ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଡ. ଡିଏସ୍ ଅରବିନ୍ଦ କହିଲେ, ଆଜି ଯାହା କିଛି ବି ହାସଲ କରିଛି ସେସବୁ ଶ୍ରେୟ ‘ସୋଆ’କୁ ଦେବି । ସୋଆର ଉପକୁଳପତି (ପୁରାତନ ଛାତ୍ର ସଂଘ ସମ୍ପର୍କ) ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର ପୁରାତନ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ବିଶ୍ୱବିଦ୍ୟାଳୟ ସହ ଯୋଡ଼ି ହୋଇ ରହିବାକୁ ଆହ୍ୱାନ ଦେଇଥିଲେ । ବିଶ୍ୱବିଦ୍ୟାଳୟ କର୍ପୋରେଟ ରିଲେସନ୍ ନିର୍ଦ୍ଦେଶକ ରୀପ୍ତି ରଞ୍ଜନ ଦାଶ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଉପସ୍ଥିତ ଥିଲେ । ପୁରାତନ ଛାତ୍ର ସଂଘ-ସେଲ୍ ସୋଆର ଆସୋସିଏଟ୍ ଡିନ୍ ଡ. ସୁସ୍ମିତା ପଣ୍ଡା ସ୍ୱାଗତ ଭାଷଣ ଓ ସେଲ୍ର ସଦସ୍ୟ ସଚିବ ଅଭିଷେକ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ । ଇନ୍ଷ୍ଟିଚ୍ୟୁଟ୍ ଅଫ ଡେଣ୍ଟାଲ ସାଇନ୍ସେସ୍ର ପ୍ରଫେସର ଗାଥା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସୂଚନାଯୋଗ୍ୟ, ପୁରାତନ ଛାତ୍ରଛାତ୍ରୀମାନେ ପୂର୍ବାହ୍ଣରେ ନିଜ ନିଜ ଅନୁଷ୍ଠାନରେ ଆୟୋଜିତ ବନ୍ଧୁ ମିଳନରେ ଯୋଗ ଦେଇଥିଲେ ।