ମୁମ୍ଵାଇ ୧୧।୦୮; ବଲିଉଡ୍‌ର 'ହିରୋ ନଂ ୧' ଗୋବିନ୍ଦା ପୁଣି ଥରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଗୋବିନ୍ଦାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବୟାନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ବ୍ୟାପୁଥିବା ଗୁଜବକୁ ନେଇ ଗୋବିନ୍ଦାଙ୍କ ନାଁ ଜଣେ ନବାଗତା ଅଭିନେତ୍ରୀଙ୍କ ସହ ଯୋଡ଼ାଯାଉଛି। ସେହି ଚର୍ଚ୍ଚିତ ଚେହେରା ଜଣକ ହେଉଛନ୍ତି କୋମଲ ରାଣୀ ସ୍ୱର୍ଣ୍ଣକର। ଏୟାରପୋର୍ଟରେ ଉଭୟଙ୍କୁ ଏକାଠି ଦେଖାଯିବା ପରେ ଏହି ଆଲୋଚନା ଆହୁରି ତୀବ୍ର ହୋଇଛି। ତେବେ କିଏ ଏହି କୋମଲ ରାଣୀ ? କ’ଣ ରହିଛି ଗୋବିନ୍ଦାଙ୍କ ସହ ତାଙ୍କର ସମ୍ପର୍କ? ଆସନ୍ତୁ ନଜର ପକାଇବା ଏହି ଖବର ଉପରେ।

ନିଜର ଜବରଦସ୍ତ କମେଡି, ଡାନ୍ସ ଏବଂ ଅଭିନୟ ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖୁଥିବା ଗୋବିନ୍ଦା ଏବେ ଏକ ନୂଆ ବିବାଦ ଘେରରେ ଅଛନ୍ତି। ସୋସିଆଲ ମିଡିଆରେ ଗୋବିନ୍ଦା ଏବଂ କୋମଲ ରାଣୀ ସ୍ୱର୍ଣ୍ଣକରଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ ଗୁଜବ ଶୁଣିବାକୁ ମିଳୁଛି । ଉତ୍ତର ପ୍ରଦେଶର ବାସିନ୍ଦା କୋମଲ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ସମ୍ପୂର୍ଣ୍ଣ ନୂଆ ଏବଂ ତାଙ୍କର ବଲିଉଡ୍ରେ କୌଣସି ଫ୍ୟାମିଲି ବ୍ୟାକଗ୍ରାଉଣ୍ଡ ନାହିଁ ।

ଏହି ଚର୍ଚ୍ଚାର ନିଆଁରେ ଘିଅ ଢାଳିଥିଲେ ଗୋବିନ୍ଦାଙ୍କ ପତ୍ନୀ ସୁନିତା ଆହୁଜାଙ୍କର ଏକ ସାକ୍ଷାତକାର। ଗୋଟିଏ ଇଣ୍ଟରଭ୍ୟୁରେ ସୁନିତା ସଙ୍କେତ ଦେଇ କହିଥିଲେ ଯେ ସେ 'କୋମଲ' ନାମକ କାହାକୁ ଆଦୌ ପସନ୍ଦ କରନ୍ତି ନାହିଁ। ଯଦିଓ ସେ ସ୍ପଷ୍ଟ କରିନଥିଲେ ଯେ ସେ କୋମଲ ରାଣୀ ସ୍ୱର୍ଣ୍ଣକରଙ୍କ ବିଷୟରେ କହୁଛନ୍ତି କି ନାହିଁ, ହେଲେ ଏହି ବୟାନ ପରେ ସୋସିଆଲ ମିଡିଆରେ ବିଭିନ୍ନ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଥିଲା। ନିକଟରେ ଦୁହିଁଙ୍କୁ ବିମାନବନ୍ଦରରେ ଏକାଠି ଦେଖାଯିବା ପରେ ଏହି ସନ୍ଦେହ ଆହୁରି ବଢ଼ିଯାଇଛି।

ଅନ୍ୟପଟେ, କୋମଲ ରାଣୀ ସ୍ୱର୍ଣ୍ଣକର ବର୍ତ୍ତମାନ ଗୋବିନ୍ଦାଙ୍କ ସହ ବଲିଉଡ୍‌ରେ ଡେବ୍ୟୁ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଗୋବିନ୍ଦାଙ୍କ ଆଗାମୀ ଫିଲ୍ମ 'ରୂପା'ରେ କୋମଲ ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିବେ। ବିଶେଷ କଥା ହେଉଛି, ଗୋବିନ୍ଦା ନିଜେ ଏହି ଫିଲ୍ମର ପ୍ରଯୋଜନା କରୁଛନ୍ତି ଏବଂ ଏଥିରେ ମୁଖ୍ୟ ଭୂମିକାରେ ମଧ୍ୟ ଅଭିନୟ କରୁଛନ୍ତି। ଶୁଣିବାକୁ ମିଳୁଛି ଯେ 'ରୂପା' ପରେ କୋମଲ 'ଦୁନିଆଦାରୀ' ନାମକ ଅନ୍ୟ ଏକ ଫିଲ୍ମରେ ମଧ୍ୟ ଗୋବିନ୍ଦାଙ୍କ ସହ ନଜର ଆସିପାରନ୍ତି। ତେବେ ଲିଙ୍କ-ଅପ୍ ଏବଂ ଡେଟିଂ ଗୁଜବକୁ ନେଇ ଗୋବିନ୍ଦା କିମ୍ବା କୋମଲଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ବୟାନ ସାମ୍ନାକୁ ଆସିନାହିଁ। ପ୍ରଶଂସକମାନେ ଏବେ ଗୋବିନ୍ଦାଙ୍କ ସ୍ପଷ୍ଟୀକରଣ ଏବଂ ତାଙ୍କର ଆଗାମୀ ଫିଲ୍ମ 'ରୂପା'ର ଆନୁଷ୍ଠାନିକ ଘୋଷଣାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହା ମାତ୍ର ବଲିଉଡ୍ର ଏକ ଗୁଜବ ନା ଗୋବିନ୍ଦାଙ୍କ ଆଗାମୀ ଫିଲ୍ମ ପାଇଁ ପ୍ରମୋସନର ଏକ ମାଧ୍ୟମ, ତାହା ସମୟ ହିଁ କହିବ।