ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି ଏବଂ ସରକାରଙ୍କ ମଧ୍ୟରେ ଶୁକ୍ରବାର ୨ ଘଣ୍ଟା ଧରି ଦୀର୍ଘ ଆଲୋଚନା ହୋଇଛି । ଉଭୟ ପକ୍ଷ ମଧ୍ୟରେ ତିନିରୁ ଅଧିକ ପ୍ରସଙ୍ଗ ଉପରେ ସହମତି ପ୍ରକାଶ ପାଇଥିବା ଜଣାପଡ଼ିଛି । କିନ୍ତୁ କିଛି ପ୍ରସଙ୍ଗ ଉପରେ ଏବେ ସହମତି ହୋଇପାରିନାହିଁ । କକ୍ରୋଚ୍ ଜନତା ପାର୍ଟିର ପକ୍ଷରୁ ରଖାଯାଇଥିବା ଦାବି ମଧ୍ୟରେ ପ୍ରଶ୍ନପତ୍ର ଲିକ୍ ଯୋଗୁଁ ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ପରିବାରକୁ ଏକ କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ ରହିଛି । ସରକାର ଏହି ଦାବି ପ୍ରତି ସକାରାତ୍ମକ ସଂକେତ ଦେଇଛନ୍ତି ।

ଏହା ବ୍ୟତୀତ ପ୍ରଦର୍ଶନକାରୀ ଛାତ୍ରଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ଏଫଆଇଆର୍ ଫେରସ୍ତ କରିବା ଉପରେ ମଧ୍ୟ ସରକାର ପଜିଟିଭ ଆଭିମୁଖ୍ୟ ଦେଖାଇଛନ୍ତି । ଶୁକ୍ରବାର କୋକ୍ରୋଚ୍ ଜନତା ପାର୍ଟିର ସୌରଭ ଦାସ ଏବଂ ଅନ୍ୟ ଜଣେ ସଦସ୍ୟ ଆଶୁତୋଷ ରାଙ୍କା, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଏବଂ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କୁ କନଷ୍ଟିଚ୍ୟୁସନ୍ କ୍ଲବରେ ଭେଟିଥିଲେ । ଦୁହେଁ ଦୁଇ ଘଣ୍ଟା ଧରି ଏହି ବିଷୟରେ ଆଲୋଚନା କରିଥିଲେ ।

ଆଶୁତୋଷ ରାଙ୍କା କହିଛନ୍ତି ଯେ ସରକାର କ୍ଷତିପୂରଣ ଏବଂ ଆଇନଗତ ପ୍ରସଙ୍ଗରେ ନୀତିଗତ ଭାବରେ ସହମତ ହୋଇଛନ୍ତି । ଏହା ଏକ ସକାରାତ୍ମକ ଘଟଣା । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆସନ୍ତାକାଲି ସରକାରଙ୍କ ସହିତ ଆଉ ଏକ ବୈଠକ ହେବ ।

ସେପଟେ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି, "ବୈଠକ ଦୁଇ ଘଣ୍ଟା ଧରି ଚାଲିଥିଲା । କକ୍ରୋଚ୍ ଜନତା ପାର୍ଟି ପରୀକ୍ଷାରେ ସଂସ୍କାର ପାଇଁ ତିନୋଟି ମୁଖ୍ୟ ଦାବି ଏବଂ ପାଞ୍ଚଟି ପରାମର୍ଶ ଦେଇଥିଲା । ଆମେ ସେମାନଙ୍କୁ କହିଛୁ ଯେ ଆମେ ଆସନ୍ତାକାଲି ଅପରାହ୍ନରେ ପୁଣି ଥରେ ଭେଟିବୁ ଏବଂ ସରକାରଙ୍କ ସହିତ ହୋଇଥିବା ଆଲୋଚନା ବିଷୟରେ ସେମାନଙ୍କୁ ଜଣାଇବୁ ।"

ଉଲ୍ଲେଖଯୋଗ୍ୟ ଯେ, ଏହି ପ୍ରସଙ୍ଗକୁ ନେଇ ଅନଶନରେ ବସିଥିବା ସୋନମ ୱାଙ୍ଗଚୁକ୍ ଗୁରୁବାର ବିଳମ୍ବିତ ରାତିରେ ତାଙ୍କର ଅନଶନ ଭାଙ୍ଗିଥିଲେ । ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ତାଙ୍କର ଅନଶନ ଭାଙ୍ଗିଥିଲେ । ଏହା ବ୍ୟତୀତ, ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ ବାର୍ତ୍ତା ଜାରି କରି ଫାଷ୍ଟ-ଟ୍ରାକ୍ କୋର୍ଟ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ କହିଥିଲେ । ଶୁକ୍ରବାର ସରକାର ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ କଠୋର ଦଣ୍ଡ ବିଧାନ ଥିବା ଚିଠା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି । ନୂଆ ପ୍ରାବଧାନରେ ପ୍ରଶ୍ନପତ୍ର ଲିକ୍ କରୁଥିବା ଦୋଷୀଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ ସହ ୧୦ କୋଟି ଟଙ୍କା ଜରିମନା ବ୍ୟବସ୍ଥା କରାଯାଇଛି । ସରକାର ଚଳିତ ମୌସୁମୀ ଅଧିବେଶନରେ ଏହାକୁ ସଂସଦରେ ଉପସ୍ଥାପନ କରି ଶୀଘ୍ର ଆଇନରେ ପରିଣତ କରିବା ପାଇଁ ଯୋଜନା ରଖିଛନ୍ତି । ଛାତ୍ରଙ୍କ ଚିନ୍ତା ଦୂର କରିବା ସହ ପରୀକ୍ଷା ଆୟୋଜନ ପାଇଁ ଏକ ସୁଦୃଢ ଢାଞ୍ଚା ପ୍ରସ୍ତୁତ କରିବା ଉପରେ କାମ କରୁଛନ୍ତି । ସରକାର ଲଗାତାର ଅନେକ ପଦକ୍ଷେପ ନେଇଛନ୍ତି, ଏବଂ ଏବେ ଆଶା କରୁଛନ୍ତି ଯେ ଜନ୍ତର ମନ୍ତରରେ ଯୁବକମାନେ ପ୍ରତିବାଦ ବନ୍ଦ ଘୋଷଣା କରିବେ ।