ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର ସରକାରୀ କର୍ମଚାରୀଙ୍କ ନିଲମ୍ୱନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି, ଯଦି କୌଣସି ସରକାରୀ କର୍ମଚାରୀ ଗିରଫ ହେବା ପରେ ୪୮ ଘଣ୍ଟାରୁ ଅଧିକ ସମୟ ନ୍ୟାୟିକ ହେପାଜତରେ ରୁହନ୍ତି, ତେବେ ତାଙ୍କୁ ସ୍ୱତଃ ନିଲମ୍ବିତ ବୋଲି ଧରାଯିବ । ଏଥିପାଇଁ ସରକାରଙ୍କ ପକ୍ଷରୁ କୌଣସି ନିଲମ୍ବନ ଆଦେଶ ଜାରି କରିବାର ଆବଶ୍ୟକତା ନାହିଁ । ଜଷ୍ଟିସ୍ ଜେ.ବି.ପାରଦୀୱାଲା ଏବଂ ଜଷ୍ଟିସ୍ ମନମୋହନଙ୍କ ଖଣ୍ଡପୀଠ ବିହାରର ସମସ୍ତିପୁର ସଦର ହସ୍ପିଟାଲର ପ୍ରଶାସକ ବିଶ୍ୱଜିତ ସିଂହଙ୍କ ଜାମିନ ମାମଲାର ଶୁଣାଣି ସମୟରେ ଏହି ଟିପ୍ପଣୀ ଦେଇଛନ୍ତି ।

ବିଶ୍ୱଜିତ ସିଂହଙ୍କ ବିରୋଧରେ ଜଣେ ଠିକା କର୍ମଚାରୀଙ୍କ ୩୬ ହଜାର ୪୨୧ ଟଙ୍କାର ବକେୟା ଦରମା ମଞ୍ଜୁର କରିବା ପାଇଁ ୪ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା । ସର୍ବୋଚ୍ଚ ଅଦାଲତ ତାଙ୍କୁ ଜାମିନ ମିଳିବାର ପ୍ରାୟ ଏକ ବର୍ଷ ପରେ ଜାମିନ ରଦ୍ଦ କରାଯିବା ସଂପର୍କିତ ପାଟନା ହାଇକୋର୍ଟଙ୍କ ଆଦେଶକୁ ରଦ୍ଦ କରିଛନ୍ତି । ଏହି ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଧ୍ୟାନ ଦେଇଥିଲେ ।

ଖଣ୍ଡପୀଠ କହିଥିଲେ, ଗିରଫ ହେବା ପରେ ଅଭିଯୁକ୍ତ ପ୍ରାୟ ୧୫ ଦିନ ନ୍ୟାୟିକ ହାଜତରେ ରହିଥିଲେ । ଜଣେ ସରକାରୀ କର୍ମଚାରୀ ଗିରଫ ହୋଇ ୪୮ ଘଣ୍ଟାରୁ ଅଧିକ ସମୟ ନ୍ୟାୟିକ ହେପାଜତରେ ରହିଲେ, ନିୟମ ଅନୁଯାୟୀ ତାଙ୍କୁ ସ୍ୱତଃ ନିଲମ୍ବିତ ବୋଲି ବିବେଚନା କରାଯିବ । ଏଥିପାଇଁ କୌଣସି ଭିନ୍ନ ଆଦେଶ ଜାରି କରିବାର ଆବଶ୍ୟକତା ନାହିଁ ।

ସୁପ୍ରିମକୋର୍ଟ ଜାଣିବାକୁ ପାଇଥିଲେ ଯେ, ଗିରଫ ପରେ ବିଶ୍ୱଜିତ ସିଂହଙ୍କୁ ନିଲମ୍ବିତ କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଇଥିଲା । ଆଶ୍ଚର୍ଯ୍ୟର କଥା ହେଉଛି, ନିଲମ୍ବନ ଆଦେଶ ଉଠିବା ପରେ ତାଙ୍କୁ ପୁଣି ସେହି ସଦର ହସ୍ପିଟାଲରେ ଏବଂ ସମାନ ପଦବିରେ ନିଯୁକ୍ତି ଦିଆଯାଇଥିଲା । ଏହାକୁ ନେଇ ଖଣ୍ଡପୀଠ ଚିନ୍ତା ପ୍ରକାଶ କରିବା ସହ ବିହାର ସରକାରଙ୍କୁ ଏହି ମାମଲାର ଶୀଘ୍ର ସମୀକ୍ଷା କରିବାକୁ କହିଛନ୍ତି ।

ସୁପ୍ରିମକୋର୍ଟ ଆହୁରି କହିଥିଲେ ଯେ, ଅଭିଯୁକ୍ତଙ୍କୁ ନିମ୍ନ ଅଦାଲତରୁ ଜାମିନ ମିଳିବାର ପ୍ରାୟ ଏକ ବର୍ଷ ପରେ ହାଇକୋର୍ଟ ଏହାକୁ ରଦ୍ଦ କରିଥିଲେ । ସାଧାରଣତଃ ଏଭଳି ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ହୋଇପାରୁଥିବା ସର୍ବାଧିକ ଦଣ୍ଡକୁ ଦୃଷ୍ଟିରେ ରଖି ଜାମିନ ଦିଆଯିବା ଉଚିତ ବୋଲି ଖଣ୍ଡପୀଠ କହିଥିଲେ । ତେବେ ଅଭିଯୁକ୍ତଙ୍କର ପୂର୍ବରୁ ଅପରାଧିକ ରେକର୍ଡ ଥିଲେ କିମ୍ବା ମାମଲାର ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇଥିଲେ ଜାମିନ ନାମଞ୍ଜୁର କରାଯାଇପାରିବ । ଶେଷରେ ସୁପ୍ରିମକୋର୍ଟ ପାଟନା ହାଇକୋର୍ଟଙ୍କ ଜାମିନ ରଦ୍ଦ ଆଦେଶକୁ ଖାରଜ କରିବା ସହ ନିମ୍ନ ଅଦାଲତ ପ୍ରଦାନ କରିଥିବା ଜାମିନକୁ ବଳବତ୍ତର ରଖିଛନ୍ତି ।